ସମାଲୋଚକଙ୍କ ମୁହଁରେ ଏବେ ଧୋନିଙ୍କ ପ୍ରଶଂସା

ମୁମ୍ବାଇ : କିଛି ଦିନ ତଳେ ସମାଲୋଚନା କରୁଥିବା ମୁହଁ ଏବେ ଧୋନିଙ୍କ ପ୍ରଶଂସାରେ ଶତମୁଖ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିବା ମହେନ୍ଦ୍ର ସିଂହ ଧୋନି ଏବେ ଯେମିତି ଭାରତୀୟ କ୍ରିକେଟ୍‌ ଦଳର ଗଳାର ମାଳି । ତାଙ୍କ ବିନା ବିଶ୍ୱ କପ୍‌ କଥା ଭାବି ହେବ ନାହିଁ ବୋଲି କୋଚ୍‌ ରବି ଶାସ୍ତ୍ରୀ ଏବଂ ଅଧିନାୟକ ବିରାଟ କୋହଲି କହିଛନ୍ତି ।
ଗତକାଲି ମେଲବର୍ଣ୍ଣରେ ଟିମ୍‌ ଇଣ୍ଡିଆ ତୃତୀୟ ତଥା ଶେଷ ମ୍ୟାଚ୍‌ ଜିତି ପ୍ରଥମଥର ଲାଗି ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆକୁ ତା ନିଜ ମାଟିରେ ହରାଇ ବିଜୟୀ ହୋଇଥିଲା । ଶେଷ ଦୁଇଟି ମ୍ୟାଚ୍‌ରେ ଚମତ୍କାର ଅର୍ଦ୍ଧଶତକ ସାଙ୍ଗକୁ ଧୋନି ମ୍ୟାଚ୍‌ ଫିନିସର୍‌ ହୋଇଥିଲେ । ତେବେ ତିନିଟିଯାକ ମ୍ୟାଚ୍‌ରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ଅବଶ୍ୟ ପ୍ରଥମ ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଥିଲା ଓ ଏଥିରେ ମନ୍ଥର ବ୍ୟାଟିଂ କରିବା ଯୋଗୁଁ ଧୋନି ସମାଲୋଚନାର ଶିକାର ହୋଇଥିଲେ ।
ଏବେବି ତାଙ୍କ ଠାରେ ପୂର୍ବର ସବୁ ଚମତ୍କାରିତା ରହିଛି ବୋଲି ଏବେ କ୍ରିକେଟ୍‌ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ସାଥୀ ଖେଳାଳିମାନେ କହିଛନ୍ତି । ଶାସ୍ତ୍ରୀ କହିଛନ୍ତି, ଧୋନିଙ୍କର କେହି ବିକଳ୍ପ ନାହିଁ । ତାଙ୍କ ସ୍ଥାନରେ ଆମେ ଆଉ କାହା କଥା ଭାବି ମଧ୍ୟ ପାରିବୁ ନାହିଁ । ସେପଟେ ବିରାଟ କହିଛନ୍ତି, ଦଳ ବାହାରେ ଯିଏ ଯାହା କହୁଛି କହୁ, ହେଲେ ଆମେ ଜାଣିଛୁ ଯେ ଧୋନିଙ୍କର ଦଳ ପ୍ରତି ଯେଭଳି ଉତ୍ସର୍ଗୀକୃତ ମନୋଭାବ ରହିଛି ଆଉ କାହାରି ନାହିଁ । ସେ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ପୂରା ଫିଟ୍‌ । ଅବଶ୍ୟ ଧୋନି କହିଛନ୍ତି ଯେଉଁ ନମ୍ବରରେ ବି ମୋତେ କୁହାଯିବ ମୁଁ ବ୍ୟାଟିଂ କରିବାକୁ ରାଜି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.