ଆଜି ହେଉଛି ପଖାଳ ଦିବସ। ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଏ। ଓଡ଼ିଆ ଘରର ଏହା ପ୍ରମୁଖ ପାରମ୍ପରିକ ଖାଦ୍ୟ । ଯାହାର ମଜା ଏବେ ବିଶ୍ୱ ଦରବାରରେ ସମସ୍ତେ ଉଠାଉଛନ୍ତି। ପଖାଳ ନାଁ ଶୁଣିଲେ ସମସ୍ତଙ୍କ ମନରେ ଖୁସି ଭରିଯାଏ। ମନ ସାଙ୍ଗକୁ ପେଟକୁ ମଧ୍ୟ ଏହା ରିଲାକ୍ସ କରିଦିଏ । ଓଡ଼ିଆମାନଙ୍କ ମନପ୍ରାଣରେ ପଖାଳର ରହିଛି ସ୍ୱତନ୍ତ୍ର ସ୍ଥାନ।
ଶୀତ ହେଉ ବା ଖରା ଓଡ଼ିଆଣୀର ହାଣ୍ଡିରେ ପଖାଳ ମୁଠାଏ ନିଶ୍ଚୟ ରହିଥାଏ । ଏହାକୁ ଖାଇ ପ୍ରତିଟି ଓଡ଼ିଆ ଯେଉଁ ଆତ୍ମ ତୃପ୍ତି ପାଏ । ଓଡ଼ିଆ ଘରର ଏହି ପଖାଳ କେବଳ ଓଡ଼ିଶାରେ ନୁହେଁ ବିଭିନ୍ନ ରାଜ୍ୟ ଓ ଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ଅନ୍ୟ ରାଜ୍ୟ ବଙ୍ଗଳାରେ ପଖାଳ କୁ ‘ପାନ୍ତା ଭାତ’ କୁହାଯାଉଥିବା ବେଳେ ଛତିଶଗଡ଼ରେ ‘ପାନି ଭାତ’,ଆସାମରେ ‘ପୋଇତା ଭାତ’ ଓ ତାମିଲନାଡୁରେ ପଖାଳକୁ ‘ପେଜେଧୁ ସାଧମ’ ବୋଲି କୁହାଯାଇଥାଏ ।
ତେବେ ପଖାଳକୁ ତିଆରି କରିବା ଖୁବ ସହଜ। ଭାତରେ ପାଣି ସହ ସେଥିରେ ଦହି ମିଶାଇ ପଖାଳ କରିପାରିବେ । ତେବେ ଛୁଙ୍କ ପଖାଳର ସୁଆଦ ବଡ଼ ନିଆରା । ପଖାଳ ସାଙ୍ଗକୁ ବଡି ଚୁରା, ଆଳୁ ଭର୍ତ୍ତା, ମାଛ ଭଜା, ଶାଗ ଭଜା, ଚିଙ୍ଗୁଡି ଛେଚା, ବିଭିନ୍ନ ଚିପ୍ସ ପଖାଳର ସୁଆଦକୁ ବହୁଗୁଣ ବଢ଼ାଇ ଦେଇଥାଏ । ଏବେ ବହୁ ତାରକା ହୋଟେଲରେ ମଧ୍ୟ ପଖାଳ ସାଙ୍ଗକୁ ଭଳିକି ଭଳି ଓଡିଆ ଆଇଟମ ମିଳିଲାଣି । ଯାହାକୁ ଖାଇବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ୁଥିବା ଦେଖାଯାଇଛି ।
ଏହି ଦିନ ପାଞ୍ଜିରେ ଶୀତଳା ଅଷ୍ଟମୀ ପଡ଼ୁଥିବାରୁ ଉତ୍ତର ଭାରତରେ ପାରମ୍ପରିକ ଭାବେ ମାରୁଆଡ଼ିମାନେ ଶୀତଳା ଦେବୀଙ୍କୁ ପୂଜା କରିଥାନ୍ତି । ଏହି ପୂଜାରେ ପୂର୍ବଦିନରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଦ୍ରବ୍ୟ ଯାହା ପରଦିନକୁ ଶୀତଳ ଖାଦ୍ୟ ନାମରେ ଅଭିହିତ କରାଯାଏ, ଦେବୀଙ୍କୁ ଭୋଗ ଲଗାଇବା ସହ ପ୍ରସାଦ ଭାବେ ଖାଇବାର ବିଧି ରହିଛି।
ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଶରୀର ପାଇଁ ପଖାଳ ବେଶ ଲାଭଦାୟକ ହୋଇଥାଏ । ବିଜ୍ଞାନ ଅନୁଯାୟୀ, ୧୦୦ ଗ୍ରାମ ଭାତରେ ୩.୪ ମିଲି ଗ୍ରାମ ଆଇରନ୍ ଥିବାବେଳେ ସେତିକି ମାତ୍ରାର ପଖାଳରେ ୭୩.୯୧ ମିଲି ଗ୍ରାମ ଆଇରନ୍, ୩୦୩ ମିଗ୍ରା ସୋଡିୟମ୍, ୮୩୯ ମିଗ୍ରା ପୋଟାସିୟମ୍ ଓ ୨୧ ମିଗ୍ରା କ୍ୟାଲ୍ସିୟମ୍ ରହିଥାଏ । ଖାଲି ସେତିକି ନୁହେଁ ପଖାଳ ଶରୀରକୁ ସ୍ଲିମ ରଖିଥାଏ । କାରଣ ଭାତ ତୁଳନାରେ ପଖାଳରେ ୬୦ % କ୍ୟାଲୋରୀ କମ୍ ଥାଏ ।
୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଭୁବନେଶ୍ୱରର ତାରକା ହୋଟେଲମାନେ ମଧ୍ୟ ଚାହିଦାକୁ ଦେଖି ନିଜ ସୂଚୀରେ ସାମିଲ କରିଛନ୍ତି ।
ଏହା ଶରୀରକୁ ଥଣ୍ଡା ରଖି ଭଲ ନିଦ ଦେବା ସହ ହଜମ କ୍ରିୟାକୁ ମଜଭୁତ କରିଥାଏ । ଆସନ୍ତୁ ଆଜିର ପଖାଳ ଦିବସରେ ସମସ୍ତେ ପଖାଳର ମଜା ନେବା । ନିଜେ ଖାଇବା ଓ ଅନ୍ୟଙ୍କୁ ଖୁଆଇବା ସହ ଓଡ଼ିଆ ପରମ୍ପରାକୁ ଉଜ୍ଜୀବିତ ରଖିବା ।