Below header

ମୟୁରଭଞ୍ଜ : ଦେଖି ନଥିବେ ଏମିତି ଭ୍ରାମ୍ୟମାଣ ପାନ ଦୋକାନ, ଗାଁ ଗାଁ ବୁଲି ଲୋକଙ୍କୁ ପାନ ଭାଙ୍ଗି ଖୁଆଉଛନ୍ତି ପ୍ରଦୀପ ମହାନ୍ତ

ଆପଣ ଦେଖିଥିବ ଫାଷ୍ଟଫୁଡ୍‌ ଦୋକାନ ସବୁ ଭ୍ରାମ୍ୟମାଣ ଗାଡ଼ିରେ ରହିଛି । କିଛି ଫେରିବାଲା ମଧ୍ୟ ଏହିଭଳି ଭାବେ ଗାଡ଼ିରେ ଜିନିଷ ଧରି ବିକିଥାନ୍ତି । ହେଲେ ଭ୍ରାମ୍ୟମାଣ ପାନ ଦୋକାନ ? କଥାଟା ଶୁଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ । ତେବେ ଏଭଳି ଏକ ଭ୍ରାମ୍ୟମାଣ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ପ୍ରଦୀପ କୁମାର ମହାନ୍ତ । କିଛି କରି ଦେଖାଇବାର ଇଚ୍ଛାଶକ୍ତି ହିଁ ତାଙ୍କୁ ଏହି ପ୍ରୟାସରେ ସଫଳ କରିଛି । ଆଉ ଯୁବପିଢ଼ିଙ୍କ ପାଇଁ ଉଦାହରଣ ପା ଲଟିଛନ୍ତି ପ୍ରଦୀପ ।
ଏହି ବ୍ୟକ୍ତି ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଳକ ଟିକରପଡା ଅଞ୍ଚଳର ପ୍ରଦୀପ ମହାନ୍ତ । ତାଙ୍କର ଏ ପାନ ଦୋକାନଟି କୌଣସି ଏମିତି ସେମିତିକା ଦୋକାନ ନୁହେଁ । ଏ ହେଉଛି ଭ୍ରାମ୍ୟମାଣ ପାନ ଦୋକାନ । ମିଠାପାନ ସାଙ୍ଗକୁ ସମସ୍ତ ପ୍ରକାର ପାନର ସମ୍ଭାର ଏହି ଗାଡିରେ । ଗାଁ ଗାଁ ବୁଲି ନିଜ ହାତଭଙ୍ଗା ପାନ ଯୋଗଇ ଥାନ୍ତି ପ୍ରଦୀପ । ପାନ ଦୋକାନ ଟିଏ ଖୋଲିବାକୁ ଘରଭଡ଼ା ବାବଦରେ ଅତିକମରେ ୫୦ ହଜାର ଟଙ୍କା ଦରକାର । ହେଲେ ଅର୍ଥାଭାବ ପ୍ରଦୀପଙ୍କ ପାଇଁ ସମସ୍ୟା ହୋଇଥିଲା । ତାଙ୍କ ନିଜର ଏକ ମାରୁତି ଭ୍ୟାନ ଥିଲା । ଯାହାକୁ ଭଡ଼ା ଲଗାଇ ଚଳୁଥିଲେ । ହେଲେ ସମୟ କ୍ରମେ ଆଉ ଭଡ଼ା ଲାଗିଲା ନାହିଁ । ପେଟପାଟଣା ପାଇଁ କିଛି ତ କରିବାକୁ ହେବ ।

PANA-2

ତେଣୁ ଅଭିନବ ଉପାୟରେ ରୋଜଗାର କରିବାକୁ ଚେଷ୍ଟା କଲେ । ତାଙ୍କ ମୁଣ୍ଡକୁ ବୁଦ୍ଧି ଜୁଟିଲା । ସେହି ଗାଡିରେ ଭ୍ରାମ୍ୟମାଣ ପାନ ଦୋକାନ କରି ରୋଜଗାର କରିବାକୁ ନିଷ୍ପତ୍ତି ନେଲେ । ତା ପରେ ଗାଁ ଗାଁକୁ ଗଡ଼ିଲା ପ୍ରଦୀପଙ୍କ ମୋବାଇଲ୍‌ ବିଟିଲ ସପ୍‌ । ଯେଉଁ ଗାଁରେ ପାନ । ଦୋକାନ ନାହିଁ ସେଠାରେ ପହଞ୍ଚି ଯାଆନ୍ତି ପ୍ରଦୀପ । ଖାଲି ଏତିକି ନୁହେଁ ମେଳା ଲାଗୁ କି ବାହାଘର ସବୁଠି ପହଁଚିଯାଏ ଏଇ ମୋବାଇଲ୍‌ ପାନ ଦୋକାନ । ଆଉ ଲୋକଙ୍କ ହାତକୁ ପ୍ରଦୀପ ବଢ଼ାଇ ଦିଅନ୍ତି ସୁଆଦିଆ ପାନ । ଲୋକେ ମଧ୍ୟ ପ୍ରଦୀପଙ୍କ ହାତଭଙ୍ଗା ପାନକୁ ଚାହିଁ ବସନ୍ତି ।
ମାତ୍ର ୧୦ ଟଙ୍କାରେ ୮ ଖଣ୍ଡି ପାନ । ବଜାର ଅପେକ୍ଷା ବେଶ୍‌ ଶସ୍ତା । ପୁଣି ହାତ ପାଆନ୍ତାରେ ମିଳି ଯାଉଛି । ତେଣୁ ଗ୍ରାହକ ବି ବେଶ୍‌ ଖୁସି । ତେବେ ଆମେ ପଚାରିଥିଲୁ ପ୍ରଦୀପଙ୍କୁ ଯେ ଗାଡ଼ିରେ ତେଲ ଖର୍ଚ୍ଚ କରି ଗାଁ ଗାଁ ବୁଲୁଛନ୍ତି । ସେଥିରେ ଏଇ ପାନ କେତେଖଣ୍ଡି ବିକି କଣ ଚଳି ପାରୁଛନ୍ତି ? ପ୍ରଦୀପଙ୍କ ଉତ୍ତର ଥିଲା, ପେଟ ପୋଷିବା ପାଇଁ ଆବଶ୍ୟକ ରୋଜଗାର ହେଉଛି । ଏଡା ସହିତ ଆନେକ ନୂଆ ନୂଆ ଲୋକଙ୍କ ସହ ଭେଟ ମଧ୍ୟ ହେଉଛି । ତେବେ ଅନ୍ୟ କୌଣସି ପେସା ଠାରୁ ତାଙ୍କୁ ଏହେି ପେସା ଖୁବ୍‌ ଆତ୍ମସନ୍ତୋଷ ଦେଉଛି ବୋଲି ପ୍ରଦୀପ ମହାନ୍ତ କହିଛନ୍ତି । ତାଙ୍କର ଏହି ଉତ୍ତର ହିଁ ବେକାର ବସିଥିବା, ଚାକିରି ଖୋଜୁଥିବା ଅନେକ ଯୁବକ ଯୁବତୀଙ୍କ ପାଇଁ ଏକ ପ୍ରେରଣା ଓ ଶିକ୍ଷା ବୋଲି କହି ହେବ ।

ମୟୁରଭଞ୍ଜ ଶାମାଖୁଣ୍ଟା ବ୍ଲକ୍‌ରୁ ସତ୍ୟାଜିତ୍‌ ସୋମ୍‌, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.