କନ୍ଧମାଳ: ବିନା କାମ ଆଉ କାଗଜପତ୍ରରେ ଲକ୍ଷାଧିକ ଟଙ୍କା ହଡ଼ପ, ପଞ୍ଚାୟତରେ ସ୍ୱତନ୍ତ୍ର ଅଡିଟ୍‌ ସହ ଭିଜିଲାନ୍ସ ତଦନ୍ତ ପାଇଁ ଦାବି

ବାଲିଗୁଡା : କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନରୁ ଆସିଥିବା ଅର୍ଥରେ ମହା ଦୁର୍ନୀତି । କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ କଞ୍ଜାମେଣ୍ଡି ପଞ୍ଚାୟତରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧୪ଲକ୍ଷ ୮୯ହଜାର ଟଙ୍କାର ଦୁର୍ନୀତି ହୋଇଥିବା ଲୋକାଲ ଅଡିଟ୍‌ ରିପୋର୍ଟରେ ଜଣାପଡିଛି । ବିନା କାମରେ ଟଙ୍କା ହଡ଼ପ କରାଯାଇଛି । ଖର୍ଚ୍ଚର କୌଣସି କାଗଜପତ୍ର ନଥିବାରୁ ଏଭଳି ଦୁର୍ନୀତି ସାମ୍ନାକୁ ଆସିଛି ।

ଗ୍ରାମାଞ୍ଚଳର ବିକାଶ ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପ୍ରତି ପଞ୍ଚାୟତର ବିକାଶ ପାଇଁ ସିଧାସଳଖ ପଞ୍ଚାୟତ ଅଫିସକୁ ଆସୁଛି ଟଙ୍କା । ହେଲେ କିଛି ଅଧିକାରୀଙ୍କ ଦୁର୍ନୀତିଖୋର ମନୋବୃତ୍ତି ଲାଗି ସରକାରୀ ଯୋଜନାର ସଠିକ ରୂପାୟନ ହୋଇପାରୁନି । ଆଉ ଆତ୍ମସାତ ହେଉଛି ଅପର‌୍ୟ୍ୟାପ୍ତ ଟଙ୍କା । କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ କଞ୍ଜାମେଣ୍ଡି ପଞ୍ଚାୟତରେ ଏଭଳି ଏକ ଦୁର୍ନୀତି ଘଟଣା ସାମ୍ନାକୁ ଆସିଛି। ବିନା କାମ ଆଉ କାଗଜପତ୍ରରେ ହଡ଼ପ ହୋଇଛି ୧୪ଲକ୍ଷ ୮୯ହଜାର ଟଙ୍କା ।

ଦୁଇଟି ଚେକ୍‌ ନମ୍ବରରେ ପ୍ରଥମେ ୯ଲକ୍ଷ ୩୦ହଜାର ଓ ପରେ ୫ଲକ୍ଷ ୫୯ହଜାର ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତ କ୍ୟାସବୁକରେ ମଧ୍ୟ ବ୍ୟୟ ବାବଦକୁ କୌଣସି ପ୍ରମାଣ ନାହିଁ । ତା ସହ ବିନା କାମରେ ଏହି ଟଙ୍କା ଉକ୍ତ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ଅଡିଟ ସମୟରେ ପଦାକୁ ଆସିଛି । ଉକ୍ତ ଟଙ୍କାକୁ ଲୋକାଲ ଅଡିଟ୍‌ ରିପୋର୍ଟରେ ଆପତ୍ତିଯୁକ୍ତ ଦର୍ଶାଯିବା ସହ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଅନ୍ୟପଟେ ବାଲିଗୁଡା ଉପଜିଲ୍ଲାପାଳ ଘଟଣା ସମ୍ପର୍କରେ ଜାଣିବା ପରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ପଞ୍ଚାୟତରେ ଏଭଳି ଦୁର୍ନୀତି ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୁଣି ଥରେ କଞ୍ଜାମେଣ୍ଡି ପଞ୍ଚାୟତରେ ସ୍ୱତନ୍ତ୍ର ଅଡିଟ୍‌ ସହ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତିି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.