ଭୁବନେଶ୍ୱର (କେନ୍ୟୁଜ୍): ମୁଁ ବି ପାରିବି , ମୋ ଦ୍ବାରା ସବୁ ସମ୍ଭବ। ଏଉକ୍ତିଟି ଶୁଣିଲେ ଯେକୌଣସି ଲୋକର ଆତ୍ମ ବିଶ୍ବାସ ଆପେ ଆପେ ବଢିଯାଏ ଏବଂ କୌଣସି ବି କାମକୁ କରିଦେଖାଇବାର ଜୋସ୍ ତା ଭିତରେ ଜାଗ୍ରତ ହୋଇଯାଏ। ଯେମିତି ନୀଳକଣ୍ଠ ମଉସା ।
ଗୋଟିଏ ହାତରେ ସେ ସବୁ କାମ କରିଥାନ୍ତି। କାହିଁକିନା ତାଙ୍କର ବାମ ହାତଟି ଅଧାରୁ ନାହିଁ। କାଠ କାଟିବା ଠାରୁ ଆରମ୍ଭ କରି ମାଳି କାମ ଯାଏ ସବୁଥିରେ ସେ ପାରଙ୍ଗମ। ଦିନେ ଗଛଟିକୁ ଡାହାଣ ହାତରେ କାଟି, କାଠ ସଂଗ୍ରହ କରୁଥାନ୍ତି ସେତିକି ବେଳେ ତାଙ୍କ ଉପରେ ନଜର ପଡିଲା।
କଥାବାର୍ତ୍ତା ପରେ ଜଣା ପଡିଲା ତାଙ୍କ ନାମ ନୀଳକଣ୍ଠ। ଘର ନୟାଗଡ଼ ଜିଲ୍ଲାରେ। ହେଲେ ଦୀର୍ଘ ତିରିଶି ବର୍ଷ ହେଲାଣି ସାଲିଆ ସାହିରେ ବସବାସ କରି ଆସୁଛନ୍ତି। ଘରେ ଚାରି ପାଞ୍ଚ ପ୍ରାଣୀ କୁଟୁମ୍ବ। ତେଣୁ କାଠ ଟିକେ କାଟି ନେଲେ ଘରେ ଚୁଲି ଜାଳିବା ପାଇଁ କାମରେ ଲାଗିବ । ନୀଳକଣ୍ଠ ପ୍ରଥମେ ବିଭିନ୍ନ ବ୍ୟବସାୟ କରୁଥିଲେ।
କେତେବେଳେ ଆଇସକ୍ରିମ ତ ଆଉ କେବେ ପାଉଁରୁଟି ବିକି ପରିବାରର ପାଞ୍ଚ ପ୍ରାଣୀ ମୁହଁରେ ଦାନ ଯୋଗାଉଥିଲେ। ଖାଲି ସେ ତିକି ନୁହେଁ ଛୁଆଙ୍କୁ ପାଠପଢାଇବା ଠାରୁ ନେଇ ସବୁ ଖର୍ଚ୍ଚ ବହନ କରୁଥିଲେ। ଦିନେ ଏମିତି କାମ କରୁଥିଲେ ହଠାତ ବିଦ୍ୟୁତ ଆଘାତର ଶିକାର ହେଲେ । ଅନେକ ଚିକିତ୍ସା ପରେ ଜୀବନଟି ବଞ୍ଚି ଯାଇଥିଲା ସିନା ହେଲେ ବାମ ହାତଟି ତାଙ୍କୁ ହରାଇବାକୁ ପଡିଥିଲା।
ଦୀର୍ଘ ଛବିଶି ବର୍ଷ ତଳୁ ତାଙ୍କର ଏହି ବାମ ହାତଟି ହରାଇ ବସିଥିଲେ ବି ନୀଳକଣ୍ଠ ହାର ମାନିନାହାନ୍ତି। ଜୀବନରେ ସଂଘର୍ଷ କରି ପରିବାର ଚଳାଇ ଆସୁଛନ୍ତି। ଏବେ ସେ କୋଉଁଠି ଭଲ ମନ୍ଦ ରୋଷେଇ କରି ମଜୁରୀ ଆଣି ଘର ଚଳାଉଛନ୍ତି ତ କୋଉଁଠି କାହାର ମାଳି କାମ କରି ପରିବାର ଗୁଜୁରାଣ କରୁଛନ୍ତି। କହୁ କହୁ ନୀଳକଣ୍ଠ କହିଥିଲେ ଯେ ତାଙ୍କ ଜୀବନରେ କୁଆଡେ ସେ ବହୁ କଷ୍ଟ ସହିଛନ୍ତି।
ତେବେ ସବୁ କଥା କହିଲା ପରେ କାଠ ସବୁ ଏକାଠି କରି ସାଇକେଲ ପଛରେ ଥୋଇଥିଲେ, ତାଉପରେ କାଠ ଥିବା ବସ୍ତା ଥୋଇ ବାନ୍ଧିବା ପରେ ସାଇକେଲ ହ୍ୟାଣ୍ଡେଲକୁ ଡାହାଣ ହାତରେ ଧରିଲେ, ଆଉ ବାମ ହାତରେ ଅଳ୍ପ ଭରା ଦେଇ ସାଇକେଲରେ ବସି ସେଠାରୁ ଚାଲିଗଲେ ନୀଳକଣ୍ଠ।
ସତରେ ଦୀର୍ଘ ଛବିଶି ବର୍ଷ ଧରି ଗୋଟିଏ ହାତରେ କାମ କରିବା ଏତେ ସହଜ କଥା ନୁହେଁ। ତା ଉପରେ ପୁଣି ଏତେ ବଡ଼ ପରିବାକୁ ଚଳାଇବା । ତେବେ ବାସ୍ତବରେ ନୀଳକଣ୍ଠଙ୍କ ଠାରୁ ଏ ସମାଜରେ ଅବାଟକୁ ଯାଉଥିବା ପ୍ରତ୍ୟେକ ମଣିଷ କିଛି ଶିଖିବା ଉଚିତ। ନିକକଣ୍ଠ ଏସମାଜ ପାଇଁ ପ୍ରେରଣାର ଉତ୍ସ କହିଲେ ଭୁଲ ହେବନି।