Below header

ରାଜ୍ୟର ପ୍ରଥମ ଇକୋ ଭିଲେଜ : ଆସନ୍ତୁ ବୁଲିଯିବା ନୟାଗଡ଼ ଜିଲ୍ଲାର ଗାଁ ମୁଦୁଲି ଗାଡିଆ

ନୟାଗଡ଼ : ଦିନ ଥିଲା ନିଜର ପରିଚୟ ଖୋଜୁଥିଲା ଏଇ ଗାଁଟି । ଆଜି କିନ୍ତୁ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଏବେ ଏହି ଗାଁକୁ ବୁଲିବାକୁ ଦେଶ ବିଦେଶରୁ ପର୍ଯ୍ୟଟକମାନେ ଛୁଟି ଆସୁଛନ୍ତି । ରାଜ୍ୟର ପ୍ରଥମ ଇକୋ ଭିଲେଜ ମାନ୍ୟତା ପାଇଥିବା ନୟାଗଡ଼ ଜିଲ୍ଲାର ଗାଁ ମୁଦୁଲି ଗାଡିଆ ।

6

ଇକୋ ଭିଲେଜ୍‌ର ଠିକଣା

ନୟାଗଡ ଜିଲା ଗଣିଆ ବ୍ଲକରେ ରହିଛି ମୁଦୁଲି ଗାଡିଆ ଗାଁ । ମହାନଦୀ ବନଖଣ୍ଡ ତରଫରୁ ପ୍ରଥମେ ନଦୀ ବାଲିରେ ମାତ୍ର ତିନିଗୋଟି ଟେଣ୍ଟ ପକାଯାଇ ଇକୋ ଟୁରିଜିମ କରାଗଲା । ଏହାର ଦେଖାଶୁଣା କରିବାପାଇଁ ମୁଦୁଲି ଗାଡିଆ ଗାଁର ଲୋକମାନେ ମା ସାତଭଉଣୀ ନାମରେ ମିସନ ଗଢି ହାତକୁ ଦାୟିତ୍ୱ ନେଲେ । ମାତ୍ର ଚାରି ବର୍ଷ ଭିତରେ ଏହା ୧୯ଟି ଟେଣ୍ଟରେ ପହଞ୍ଚିଛି । ରାଜ୍ୟ ତଥା ରାଜ୍ୟ ବାହାର ଓ ବିଦେଶରୁ ମଧ୍ୟ ବହୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି । ମୁଖ୍ୟତଃ ଏହା ନଭେମ୍ବର ମାସରୁ ଖୋଲାଯାଇ ମାର୍ଚ୍ଚ ମାସ ଯାଏଁ ରହିଥାଏ ।

1

ଏଠାକୁ ବୁଲି ଆସିବା ପାଇଁ ରାଜ୍ୟ ସରକାର ଙ୍କତରଫରୁ ଅନଲାଇନ ବୁକିଙ୍ଗ ବ୍ୟବସ୍ଥା କରାଯାଇଛି । ଇକୋ ଟୁରିଜିମ ହେବା ଦ୍ଵାରା ମୁଦୁଲି ଗାଡିଆ ଗାଁର ଲୋକଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସି ପାରିଛି । ପର୍ଯ୍ୟଟକମାନଙ୍କ ଠାରୁ ଅଦାୟ ହେଉଥିବା ଅର୍ଥର ୧୦ ଭାଗ ଗ୍ରାମବାସୀମାନେ ପାଇଥାନ୍ତି । ଏହି ଅର୍ଥରେ ଏବେ ସେମାନେ ଗାଁକୁ ସଜାଇଛନ୍ତି । ପଲିଥିନ ମୁକ୍ତ କରିବା ସହ ସଫା ସୁତୁରା ରଖିଛନ୍ତି ପୂରା ଗାଁକୁ । ପ୍ରତ୍ୟେକ ଘର ଆଗରେ ଅଳିଆ ରଖିବା ପାଇଁ ଡଷ୍ଟବିନ ରଖା ଯାଇଛି । ପ୍ରତି ଘରକୁ ଗେରୁଆ ରଙ୍ଗରେ ଚିତ୍ରିତ କରାଯାଇଛି । ସବୁ ଘରେ ପାଇଖାନା ବସିବା ସହ ପାନୀୟ ଜଳ ଯୋଗାଣର ମଧ୍ୟ ବ୍ୟବସ୍ଥା ହୋଇପାରିଛି ।

2
ଇକୋ ଟୁରିଜିମକୁ ବୁଲି ଆସୁଥିବା ପର୍ଯ୍ୟଟକମାନେ ଏହି ଗାଁ ବୁଲି ବହୁତ ଖୁସି ହେଉଛନ୍ତି । ସେମାନଙ୍କୁ ଗାଁର ସଂସ୍କୃତି, ପରମ୍ପରା ବେଶ୍‌ ଆକୃଷ୍ଟ କରିପାରିଛି ।

ବଦଳିଛି ଗାଁର ଚିତ୍ର

ଇକୋ ଭିଲେଜ ହେବାପରେ ବ୍ୟାପକ ପରିବର୍ତନ ଆସିଛି ମୁଦୁଲି ଗାଡିଆ ଗାଁର ଲୋକଙ୍କ ଭିତରେ । ଭଲ ଦୁଇ ପଇସା ରୋଜଗାର ହୋଇପାରୁଛି। ଗତ ବର୍ଷ ସେମାନେ ଏକ କୋଟିରୁ ଅଧିକ ଟଙ୍କା ରୋଜଗାର କରି ରାଜ୍ୟ ଓ ଦେଶରେ ମଧ୍ୟ ନା କମେଇଥିଲେ । ବର୍ତ୍ତମାନ ୩୩ ଜଣ ମହିଳା ଓ ପୁରୁଷ ଏଠି କାମ କରୁଛନ୍ତି ।

4

ସମସ୍ୟା ବି ରହିଛି

ଏସବୁ ପରେ ବି ବହୁ ସମସ୍ୟା ରହିଛି ଏହି ଗାଁ ଲୋକଙ୍କର । ଗାଁରେ ଅଙ୍ଗନବାଡି ସେଣ୍ଟରଟିଏ ନାହିଁ କି ସ୍କୁଲ ଘରଟିଏ ମଧ୍ୟ ନାହିଁ । ଗାଁ ପିଲାଙ୍କୁ ପାଠ ପଢିବାକୁ ହେଲେ ଦୁଇ କିଲୋମିଟର ଚାଲି ଚାଲି ଯିବାକୁ ପଡେ । ବାଇଶିପଲି ଅଭୟାରଣ୍ୟ ଭିତରେ ରହୁଥିବାରୁ ପ୍ରାୟ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଏମାନେ ।

8

ଏପରିକି ମହାନଦୀ କୂଳରେ ଥିବାରୁ ପ୍ରତି ବର୍ଷ ନଦୀ ବଢିରେ ମାଟି ଅତଡା ଖସି ଗାଁ ମୁଣ୍ଡ ପର୍ଯ୍ୟନ୍ତ ନଦୀ ଆସିଲାଣି । ସରକାରଙ୍କ ତରଫରୁ ଆଡିବନ୍ଧ ବ୍ୟବସ୍ଥା କଲେ ଗାଁର ସୁରକ୍ଷା ହୋଇ ପାରିବ ବୋଲି ଗ୍ରାମବାସୀମାନେ କହିଛନ୍ତି । ତେବେ ଇକୋ ଟୁରିଜିମ୍‌ରୁ ମାତ୍ର ୧୦ ଭାଗ ଅର୍ଥକୁ ଛାଡି ଦେଲେ ଅନ୍ୟ କିଛି ସରକାରୀ ସୁବିଧା ସୁଯୋଗ ଏମାନେ ପାଇ ପାରିନାହାନ୍ତି ।

‘ଅତିଥି ଦେବୋ ଭବ’

ତଥାପି ‘ଅତିଥି ଦେବୋ ଭବ’କୁ ଏମାନେ ଭୁଲିନାହାନ୍ତି । ଦେଶୀ ଖାଦ୍ୟ ପରସି ଦେଇଥାନ୍ତି ଏମାନେ ପର୍ଯ୍ୟଟକମାନଙ୍କୁ । ଏଠାରେ ରାତ୍ରି ରହିବା, ବୋଟିଙ୍ଗ, ଅଭୟାରଣ୍ୟ ଭିତରେ ସାଇକେଲ ଯାତ୍ରା, ନଦୀ ବାଲିରେ ଖେଳିବାର ଅନନ୍ୟ ଆନନ୍ଦ ପର୍ଯ୍ୟଟକମାନେ ନେଇଥାନ୍ତି । ରାତି ହେଲେ ଗାଁର ଲୋକ କଳା, ଲୋକ ନୃତ୍ୟ, ସଙ୍ଗୀତ ପରିବେଷଣ ହୋଇଥାଏ । ଯାହା ପର୍ଯ୍ୟଟକମାନଙ୍କୁ ଏକ ଅନନ୍ୟ ଅନୁଭୂତି ଦେଇଥାଏ ।

5ଆଶା କରୁଛୁ କେବଳ ଇକୋ ଭିଲେଜ୍‌ର ମାନ୍ୟତା ଦେଇ ସରକାର ମୁଦୁଲି ଗାଡ଼ିଆ ଗାଁକୁ ଭୁଲି ଯିବେ ନାହିଁ । କାରଣ ଏହି ଗାଁ ହେଉଛି ପରିବେଶ ସୁରକ୍ଷା ଦିଗରେ ସଫଳତାର ପ୍ରଥମ ପାହାଚ ।

ଉତ୍ପଳ କୁମାର ସାହୁ, ନୟାଗଡ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.