Below header

ଓଡ଼ିଶା ଆସିଲେ ପଖାଳ ଖାଇବାକୁ ଭଲ ପାଉଥିଲେ ପ୍ରଣବ ଦା’

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସ ଦଳର ବରିଷ୍ଠ ନେତା ଡଃ ପ୍ରଣବ ମୁଖାର୍ଜୀ ଆଉ ଆମ ଗହଣରେ ନାହାନ୍ତି । ସୋମବାର ଅପରାହ୍ନରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ପ୍ରଣବ ଦା’ ଙ୍କ ପୁଅ ଅଭିଜିତ ମୁଖାର୍ଜୀ । ଦିଲ୍ଲୀ ସ୍ଥିତ ଲୋଧି ରୋଡ଼ ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି । ଭାରତୀୟ ରାଜନୀତି ତଥା କଂଗ୍ରେସ ଦଳର ସଙ୍କଟ ମୋଚନ କହିଲେ ବି କିଛି ଭୁଲ ହେବ ନାହିଁ । ଅନେକ ଜଟିଳ ପରିସ୍ଥିତିରେ ଦେଶର ରାଜନୀତିକୁ ବିପଦ ମୁହଁରୁ ଉଦ୍ଧାର କରିଛନ୍ତି ପ୍ରଣବ ଦା’ । ଏମିତିକି ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ସୋନିଆ ଗାନ୍ଧୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଣବଙ୍କ ପରାମର୍ଶକୁ ସମ୍ମାନ ଜଣାଇଥାନ୍ତି । ଜଣେ କିରାଣୀ ଭାବରେ କ୍ୟାରିୟର ଆରମ୍ଭ କରିଥିବା ପ୍ରଣବ ମୁଖାର୍ଜୀ ନିଜ ପ୍ରଚେଷ୍ଟା ବଳରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ରାଷ୍ଟ୍ରପତି ପଦ ଅଧିକୃତ କରି ପାରିଥିଲେ । ଖାଲି ସେତିକି ନୁହେଁ ସେ ଜଣେ ପ୍ରବୀଣ ପ୍ରବକ୍ତା ତଥା ସୁଲେଖକ ହେବା ସହ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଥିଲେ ।

pranaba

ଏକ ମଧ୍ୟବିତ୍ତ ବଙ୍ଗୀୟ ପରିବାରରେ ଜନ୍ମ ନେଇଥିବା ପ୍ରଣବଙ୍କର ସଂଗୀତ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରତି ଏକ ପ୍ରକାର ଅହେତୁକ ଦୁର୍ବଳତା ଥିଲା । ପଡୋଶୀ ରାଜ୍ୟ ହୋଇଥିବାରୁ ଅଥବା ଅନ୍ୟକୌଣସି କାରଣ ହେତୁ ଓଡିଶା ପ୍ରତି ତାଙ୍କର ଯେମିତି ଥିଲା ଏକ ଘନିଷ୍ଟ ନିବିଡ଼ତା । ଓଡିଶାର ମାଟି, ପାଣି, ପବନ, ସଂସ୍କୃତି ତାଙ୍କୁ ଆକୃଷ୍ଟ କରିଥିଲା । କେତେକ ଘଟଣାରୁ ହିଁ ଏହା ସ୍ପଷ୍ଟ ହୋଇଯାଏ । ୧୯୯୯ ମହାବାତ୍ୟାରେ ଯେବେ ଓଡିଶା ଏକ ପ୍ରକାର ଧ୍ବଂସ ଵିଧ୍ଵଂସ ହୋଇଯାଇଥିଲା । ସେହି ସମୟରେ ରାଜ୍ୟବାସୀଙ୍କ ଦୁଃଖ ବୁଝିବାକୁ ନିଜେ ଆସିଥିଲେ । ସେସସମୟରେ ସେ ସାଂସଦ ଥିବା ବେଳେ ସୋନିଆ ଗାନ୍ଧୀଙ୍କ ସହ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିଥିଲେ । ସେସମୟରେ କେନ୍ଦ୍ରାପଡାରେ ତିନି ଦିନ ବିତାଇଥିଲେ । ଆଉ ସବୁଠୁ ବଡ କଥା ହେଉଛି, ଯାତ୍ରା ପାଇଁ କୌଣସି ସୁବିଧା ନଥିଲେ ବି ନିଜ ଲକ୍ଷ ପଥରୁ ଓହରି ଯାଇନଥିଲେ ପ୍ରଣବ ଦା’ ।

pranaba

ଜଣଙ୍କ ବାଇକରେ ବସି ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଥିଲେ । ଆଉ ପ୍ରଣବଙ୍କୁ ନିଜ ମଟର ସାଇକେଲରେ ବସାଇ ବାତ୍ୟାଂଚଳ ବୁଲାଇଥିବା ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ତରୁଣକାନ୍ତି କାଞ୍ଜିଲାଲ । ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଘଟଣାର ୧୪ ବର୍ଷ ପରେ ରାଷ୍ଟ୍ରପତି ଭାବରେ ଓଡିଶା ଆସିଥିଲେ ମଧ୍ୟ ତରୁଣକାନ୍ତିଙ୍କୁ ଭୁଲିନଥିଲେ ପ୍ରଣବ । ରାଜଭବନକୁ ଡକାଇଥିଲେ। ଓଡିଶା ଓ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ମଧ୍ୟରେ କିପରି ନିବିଡ ସମ୍ପର୍କ ଥିଲା ଥରେ ନିଜ ବକ୍ତବ୍ୟରେ ଏବାବଦରେ ବର୍ଣ୍ଣନା କରିଥିଲେ ଓଡିଶାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ପୁରୀକୁ କିପରି ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋର ନିଜ ଘର କରିନେଇଥିଲେ ସେବାବଦରେ କହିଥିଲେ । ଭ୍ରମଣରେ ବିଶେଷ ରୁଚି ରଖୁଥିବା ପ୍ରଣବ ରାଷ୍ଟ୍ରପତି ହେବା ପରେ ଓଡ଼ିଶାକୁ ସର୍ବାଧିକ ୫ ଥର ଗସ୍ତ କରିଛନ୍ତି । ଏହିସମୟରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଭୁଲନ୍ତି ନାହିଁ । ଆଉ ଓ଼ଡିଶାର ଜାତୀୟ ଖାଦ୍ୟ ଭାବରେ ଜଣା ପଖାଳ ହେଉଛି ତାଙ୍କର ପ୍ରିୟ ଖାଦ୍ୟ । ୨୦୧୮ ମସିହା “ଦ ଟଲ ମ୍ୟାନ” ପୁସ୍ତକ ଉନ୍ମୋଚନ ପାଇଁ ଆସିଥିବା ବେଳେ ନବୀନ ନିବାସରେ ଅନ୍ୟ ବରିଷ୍ଠ ନେତାଙ୍କ ସହ ପଖାଳ ଖାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.