Below header

ଯଦି ଆଇପିଏଲ୍‌କୁ ରାଇନା ନ ଫେରନ୍ତି ତେବେ ୧୧ କୋଟିର କ୍ଷତି ସହିବାକୁ ହେବ: ଚେନ୍ନାଇ ସୁପରକିଙ୍ଗସ ମାଲିକ

ଚେନ୍ନାଇ ସୁପରକିଙ୍ଗର ଷ୍ଟାର ବ୍ୟାଟସମ୍ୟାନ୍ ସୁରେଶ ରାଇନା ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲରୁ ଓହରି ଯାଇ ଭାରତ ଫେରି ଆସିଛନ୍ତି। ତେବେ ତାଙ୍କର ଏଭଳି ଭାବରେ ଆଇପିଏଲକୁ ଛାଡି ଆସିବା କାରଣରୁ ଟିମର ମାଲିକ ଏନ ଶ୍ରୀନିବାସନ୍ ଖୁବ୍ ଅସନ୍ତୁଷ୍ଟ ଅଛନ୍ତି। ସେ କହିଛନ୍ତି, ରାଇନା ହୋଟେଲ ରୁମକୁ ନେଇ ଅସନ୍ତୁଷ୍ଟ ହୋଇ ଭାରତ ଫେରି ଯାଇଛନ୍ତି। ଏହା ଠିକ୍ ହେଲା ନାହିଁ । ତେବେ ରାଇନା ଆଇପିଏଲ୍ ଛାଡିବାର ପ୍ରକୃତ କାରଣ ଏଯାଏଁ କିଛି ଜଣାପଡିନି।
କିନ୍ତୁ ରାଇନା ସେଠାରୁ ଫେରି ଆସିବା ପରେ ତାଙ୍କ ସହିତ ଦୁଃଖଦ ଘଟଣା ଘଟିଯାଇଛି। ପଞ୍ଜାବର ପଠାନକୋଟରେ ଡକାୟତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ରାଇନାଙ୍କ ସମ୍ପର୍କୀୟମାନେ । ଏଥିରେ ତାଙ୍କ ପିଉସା ଓ ଅପାଙ୍କ ସମେତ ସଂପର୍କୀୟ ଭାଇ ରହିଥିଲେ। ଘଟଣା ସ୍ଥଳରେ ରାଇନାଙ୍କ ପିଉସାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଅପା ଏବଂ ଭାଇ ଗୁରୁତର ଆହତ ହୋଇଥିଲେ । କିନ୍ତୁ ଆଜି ତାଙ୍କ ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ରାଇନା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ପଞ୍ଜାବ ପୋଲିସକୁ ଅନୁରୋଧ କରିଛନ୍ତି ।

surena raina

ଅପରପକ୍ଷରେ ଚେନ୍ନାଇ ସୁପରକିଙ୍ଗ ଟିମର ମାଲିକ ଏନ୍ ଶ୍ରୀନିବାସନ କହିଛନ୍ତି, ରାଇନା ସବୁବେଳେ ଏହି ଟିମ ପାଇଁ ଖେଳୁଥିଲେ। ଯେତେବେଳେ ଟିମ୍ ଉପରେ ଦୁଇ ବର୍ଷ ପାଇଁ ବ୍ୟାନ୍ ଲଗାଯାଇଥିଲା ସେତେବେଳେ ସେ ଗୁଜରାଟ ଲାୟନ୍ସ ପକ୍ଷରୁ କ୍ୟାପଟେନ୍ ଭାବରେ ଖେଳିଲେ। ତାଙ୍କର ଏଭଳି ଭାବରେ ହଠାତ୍ ଭାରତ ଫେରିଯିବା ଠିକ୍ ହୋଇନାହିଁ ବୋଲି ଶ୍ରୀନିବାସନ୍ ଅସନ୍ତୋଷ ପ୍ରକାଶ କରି କହିଛନ୍ତି । ଏହା ସହିତ ସେ ଆହୁରି କହିଛନ୍ତି, ଆଇପିଏଲ ଏବେ ଆରମ୍ଭ ହୋଇନାହିଁ । ସେ ଯଦି ନଫେରନ୍ତି ତେବେ ତାଙ୍କୁ ଏହି ସିଜିନ୍ ପାଇଁ ୧୧ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ। ମୋର ଆଶା ଅଛି ସେ ପୁଣି ଫେରି ଆସି ଖେଳିବେ ବୋଲି ଶ୍ରୀନିବାସନ୍ କହିଛନ୍ତି । ତେବେ ପ୍ରକୃତରେ ରାଇନା ହୋଟେଲ ବିବାଦ ଯୋଗୁଁ ଫେରି ଆସିଛନ୍ତି କିମ୍ବା ପରିବାରରେ ଏଭଳି ଦୁର୍ଘଟଣା ତାଙ୍କୁ ଫେରାଇ ଆଣିବାକୁ ବାଧ୍ୟ କରିଛି ସେକଥା ସ୍ପଷ୍ଟ ହୋଇନାହିଁ । ଅବଶ୍ୟ ଏବେ ରାଇନାଙ୍କୁ ଶକ୍ତ ମାନସିକ ଧକ୍କା ଦେଇଛି ଏହି ପାରିବାରିକ ଦୁର୍ଘଟଣା ।

ସୂଚନାଯୋଗ୍ୟ, ସୁରେଶ ରାଇନା ଇନଷ୍ଟାଗ୍ରାମରେ ୧୫ ଅଗଷ୍ଟରେ ପୋଷ୍ଟ କରିଥିଲେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ସୁରେଶ ରାଇନା ଭାରତ ପାଇଁ ୧୮ ଟେଷ୍ଟ ମ୍ୟାଚ୍ ଓ ୨୨୬ଟି ଦିନିକିଆ ବ୍ୟତୀତ ମୋଟ ୭୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.