କାଶୀର ଶ୍ରବଣ କୁମାର: ତୃତୀୟ ଥର ପାଇଁ ନିଜ ମା’ଙ୍କୁ ଟୋକେଇରେ ବସାଇ ପଞ୍ଚକୋସୀ ଯାତ୍ରା କରାଇଲେ ପୁଅ

ଏହି କଳିଯୁଗରେ ଧନ ଲାଳସାରେ ଅନେକ ପୁତ୍ର ନିଜ ବାପା, ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଆସନ୍ତି। କିଛି ଘରେ ବୃଦ୍ଧ ଲୋକଙ୍କ ଉପରେ ଅତ୍ୟାଚାର କରାଯାଏ। କିନ୍ତୁ ଏହି ପିଢ଼ିର ଜଣେ ବ୍ୟକ୍ତି ଏମିତି ବି ଅଛନ୍ତି, ଯିଏ ନିଜ ବାପା, ମାଆଙ୍କୁ ଭଗବାନଙ୍କ ଭଳି ପୂଜା କରିଥାନ୍ତି। ବାରଣାସୀର ଚୌକ ନିବାସୀ ଶିବେଷ ମିଶ୍ରା ନିଜ ୯୫ ବର୍ଷୀୟା ମାଆ ସୁଶୀଳାଙ୍କୁ ଭାରରେ କାନ୍ଧେଇ ପଞ୍ଚକୋସୀ ଯାତ୍ରା କରେଇଛନ୍ତି। ଶିବେଷ ତୃତୀୟ ଥର ପାଇଁ ନିଜ ସାଙ୍ଗମାନଙ୍କ ସହ ମିଶି ମାଆଙ୍କୁ ପଞ୍ଚକୋସୀ ନେଇ ଯାଇଛନ୍ତି।
ତାଙ୍କ କହିବା ହେଲା, ଆମେ ଭଗବାନଙ୍କୁ ଦେଖିନୁ। କିନ୍ତୁ ଆଜି ଆମେ ଯାହା ବି କିଛି ହେଇଛୁ, ସବୁ ମାଆ, ବାପାଙ୍କ ଆଶୀର୍ବାଦ ଯୋଗୁ। ତେଣୁ ତାଙ୍କୁ ହିଁ ଭଗବାନ ଭାବି ସେବା କରୁଛୁ। ଏଥିରେ ଆତ୍ମା ସନ୍ତୁଷ୍ଟ ହୋଇଥାଏ। କାଶୀରେ ଭଗବାନ ରାମଙ୍କ ଦ୍ଵାରା ବରୁଣା ନଦୀ କୂଳରେ ତିଆରି ଶିବଲିଙ୍ଗ ରାମେଶ୍ୱର ମହାଦେବଙ୍କ ଛଡ଼ା ପାଞ୍ଚ ପାଣ୍ଡବ ଦେଇ ଯାତ୍ରା କରିବାକୁ ପଞ୍ଚକୋସୀ ଯାତ୍ରା କୁହାଯାଏ। ବର୍ତ୍ତମାନ ଏହି ଯାତ୍ରା କାଶୀରେ ଚାଲିଛି।
ଫୁଙ୍ଗୁଳା ପାଦରେ ଶ୍ରଦ୍ଧାଳୁମାନେ ହର ହର ମହାଦେବ ନାରା ଦେଇ ପଞ୍ଚକୋସୀ ଯାତ୍ରାରେ ବାହାରିଛନ୍ତି। ପଞ୍ଚକୋସୀ ହର ହର ମହାଦେବ ଧ୍ୱନିରେ ଗୁଞ୍ଜରିତ ହୋଇଉଠୁଛି। ତେବେ ଏହାରି ଭିତରେ କିଛି ଲୋକ ଏକ ଟୋକେଇରେ ଜଣେ ବୃଦ୍ଧା ମହିଳାଙ୍କୁ ବସାଇ ଯାତ୍ରା କରୁଥିବାର ଦେଖି ଅନ୍ୟ ଯାତ୍ରୀମାନେ ସେମାନଙ୍କୁ ନତମସ୍ତକ ହେଉଥିବା ଦେଖିବାକୁ ମିଳିଥିଲା।
ଭଗବାନ ଶିବଙ୍କ ଉପରେ ଅଗାଧ ଆସ୍ଥା ଓ ବିଶ୍ୱାସ ରଖି ଶିବେଷ କୁହନ୍ତି, ‘ମାଆ ବିନା ମଣିଷର ଅସ୍ତିତ୍ବ ନାହିଁ। ଆଗରୁ ମାଆ ଠିକ ଥିଲେ, ତ ପାଦରେ ଚାଲି ଚାଲି ଯାତ୍ରା ପୂରା କରୁଥିଲେ। କିନ୍ତୁ ଏହି ବୟସରେ ଯେତେବେଳେ ତାଙ୍କୁ ପାଦରେ ଚାଲିଯିବାକୁ ଅସୁବିଧା ହେଲା, ଆମେ ସାଙ୍ଗମାନେ ମିଶି ମାଆଙ୍କୁ ଟୋକେଇରେ ବସାଇ ଯାତ୍ରା କରେଇବା ପାଇଁ ନିଷ୍ପତ୍ତି ନେଲୁ। ଆମେ ୩ ବର୍ଷ ହେବ ମାଆଙ୍କୁ ଏଭଳି ଭାବେ ପଞ୍ଚକୋସୀ ଯାତ୍ରା କରାଉଛୁ’। ସେପଟେ ମାଆ ସୁଶୀଳା ମଧ୍ୟ କହିଥିଲେ କି, ପୁଅ ଓ ତା’ ସାଙ୍ଗମାନଙ୍କ ଯୋଗୁ ଆଜି ଏହି ବୟସରେ ମୁଁ ପଞ୍ଚକୋସୀ ଯାତ୍ରା କରିପାରିଛି।