Below header

ଗଞ୍ଜାମ ଜିଲ୍ଲାକୁ ଗ୍ରାସ କରିଛି ‘ସାମାଜିକ ବାସନ୍ଦ’ ଭଳି କୁ-ପ୍ରଥା: ରୋକିବାକୁ ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ

ଭଞ୍ଜନଗର (କେନ୍ୟୁଜ): କୁଳ , ସମାଜ ଓ ପ୍ରଚଳିତ ପ୍ରଥା । ଏସବୁ ଚଳଣିକୁ ନେଇ ଆମ ସମାଜରେ ଭିନ୍ନ ଭିନ୍ନ ଚିନ୍ତାଧାରା ଗଢିଉଠେ । ସମସ୍ତଙ୍କ ଲକ୍ଷ୍ୟ ଗୋଟିଏ । ସାମାଜିକ ସଂସ୍କାର, ଶୃଙ୍ଖଳିତ ଆଚରଣ ଓ ବିଧି-ବ୍ୟବସ୍ଥା ଭଳି ମହତ୍ ଉଦ୍ଦେଶ୍ୟ ରହିଛି । ଏହି ବ୍ୟବସ୍ଥିତ ପ୍ରକ୍ରିୟା ଭିତରେ ଯଦି କେବେ କେମିତି ନକାରାତ୍ମକ ଚିନ୍ତାଧାରା ପଶିଯାଏ, ତା’ହେଲେ ବ୍ୟକ୍ତିବିଶେଷ ଠାରୁ ଆରମ୍ଭ କରି ପରିବାର , ସାହି ଏବଂ ଗ୍ରାମବାସୀ ପ୍ରଭାବିତ ହୋଇଥାନ୍ତି । ମଣିଷ ଯେତେ ଆଧୁନିକ ହେଲେ ବି ସମାଜର ସାମାଜିକ କୁସଂସ୍କାର ମଣିଷକୁ ଗ୍ରାସ କରିବାରେ ଲାଗିଛି । ଇଣ୍ଟରନେଟ୍‌ ଯୁଗରେ ଆଜି କିଛି ଲୋକ ଅବହେଳିତ, ନିଷ୍ପେସିତ ଓ ଉପେକ୍ଷିତ । ଏହି ତାଲିକାରେ ଆଗରେ ରହିଛି “ସାମାଜିକ ବାସନ୍ଦ” । ଏବେ ବି ଗଂଜାମ ସମେତ କେତେକ ଜିଲ୍ଲାରେ ନଜରକୁ ଆସୁଛି “ସାମାଜିକ ବାସନ୍ଦ” ଭଳି ରୁଗଣ ମାନସିକତା ।

ଏଠାରେ ଦେଖିବାକୁ ମିଳିଛି ଯେ ସ୍କୁଲ ପିଲାଙ୍କ ହାତରେ ପ୍ରଚାରପତ୍ର । ମୁହଁରେ ସ୍ଲୋଗାନ୍ । ସାଥିରେ ପ୍ରଶାସନିକ ଅଧିକାରୀ । କେଉଁଠି ନାଚଗୀତ ହେଉଛି ତ’ କେଉଁଠି ପଥପ୍ରାନ୍ତ ସଭା । ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ, ଗୋଟିଏ ପରେ ଗୋଟିଏ ଗାଁରେ ଏଭଳି କାର୍ଯ୍ୟକ୍ରମ । ଏ ହେଉଛି ଗଂଜାମ ଜିଲ୍ଲାର କେତେକ ସ୍ଥାନରେ ଦେଖାଦେଉଥିବା “ସାମାଜିକ ବାସନ୍ଦ” ଭଳି ସମସ୍ୟା ଠାରୁ ଦୂରେଇ ରହିବା ପାଇଁ , ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ । ଅଧିକାଂଶ ସମୟରେ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥାଏ , “ସାମାଜିକ ବାସନ୍ଦ” ଭଳି ଘଟଣା । କେତେବେଳେ ଗୁଣିଗାରେଡି ସନ୍ଦେହରେ ବାସନ୍ଦ କରାଯାଉଛି ତ’ , କେତେବେଳେ ଜାତିଆଣ ମନୋଭାବକୁ ନେଇ । ପୁଣି କେତେବେଳେ ଅନ୍ୟ ଜାତିରେ ପୁଅ-ଝିଅଙ୍କ ବିବାହକୁ ନେଇ “ସାମାଜିକ ବାସନ୍ଦ” କରାଯାଉଛି ତ’ , କେଉଁଠି କୁଳ-ସମାଜର କଥାକୁ ଅବମାନନା କଲେ “ବାସନ୍ଦ” ହେବାକୁ ପଡୁଛି । ପ୍ରଶ୍ନ ଉଠୁଛି , ବର୍ତ୍ତମାନ ଅତ୍ୟାଧୁନିକ ସମୟରେ “ଜାତିଆଣ ମନୋଭାବ” ଏବଂ “ସାମାଜିକ ବାସନ୍ଦ”ର କି’ ପ୍ରାସଙ୍ଗିକତା ରହିଛି ।

ଅତୀତରୁ ଚଳି ଆସିଥିବା ଏଭଳି ଅଲିଖିତ ନିର୍ଦ୍ଦେଶନାମାକୁ , ଏବେବି କେତେକ କୁଳ-ସଂଗଠନ ଓ ଗ୍ରାମବାସୀ ବିଶ୍ବାସ ରଖିଛନ୍ତି । ଯାହାକି , କେତେକ ଅନୁନ୍ନତ ଓ ଅନ୍ଧବିଶ୍ୱାସରେ ପ୍ରଭାବିତ ହେଉଥିବା ଗ୍ରାମାଞ୍ଚଳ ଲୋକଙ୍କ ଭିତରେ ଏହା ଦେଖିବାକୁ ମିଳିଥାଏ । “ସାମାଜିକ ବାସନ୍ଦ “ ଭଳି କୁସଂସ୍କାରକୁ , ଏକ ବ୍ୟବସ୍ଥାର ମାନ୍ୟତା ଦେବାପାଇଁ ହୀନ ପ୍ରୟାସ କରାଯାଏ । ସଂପୃକ୍ତ ବ୍ୟକ୍ତି କିମ୍ବା ତାଙ୍କ ପରିବାରକୁ “ନିଆଁ-ପାଣି” ବାସନ୍ଦ କରାଯାଉଥିଲା । ଅବଶ୍ୟ ତାହା ଏବେ, ଅର୍ଥ କିମ୍ବା ସ୍ଥାନାନ୍ତର ଦଣ୍ତର ରୂପ ନେଇଛି । ବେଳେ ବେଳେ ଏହି ବ୍ୟବସ୍ଥାକୁ ମୁଣ୍ଡପାତି ସହିବାକୁ ପଡେ କିମ୍ବା ସାଲିସ୍ କରିବାକୁ ପଡ଼ିଥାଏ ପୀଡ଼ିତ ପରିବାରକୁ । ନଚେତ୍ “ବାସନ୍ଦ” ଦଣ୍ଡ ଭୋଗିବାକୁ ହୁଏ । ଥାନା ଏବଂ ପ୍ରଶାସନ ପାଖରେ ହୁଏତ ଏଭଳି ଅନେକ ଅଭିଯୋଗ ଫାଇଲ୍‌ ହୋଇ ରହିଥିବ । ଅନ୍ୟପକ୍ଷରେ ଏଭଳି ବ୍ୟବସ୍ଥା କୈାଣସି କୁଳ-ସମାଜ କିମ୍ବା ଗ୍ରାମାଞ୍ଚଳରେ ରହି ନାହିଁ ବୋଲି କହିଛନ୍ତି , କିଛି ମୁଖିଆ । ଯେଉଁମାନେ ଏକ ବିଧି ବ୍ୟବସ୍ଥାର ବ୍ୟତିକ୍ରମ ଆଚରଣ କରନ୍ତି, ସେମାନଙ୍କୁ ବାଟକୁ ଆଣିବା ପାଇଁ ଇଏ ଏକ ଅନୁଶାସନ । ସଂସ୍କାର ଓ ସୁସ୍ଥ ବାତାବରଣ ଫେରାଇ ଆଣିବାକୁ ପ୍ରୟାସ। ଏଥିରେ ରାଜି ହେଉନଥିବା ବ୍ୟକ୍ତିମାନଙ୍କୁ, କୈାଣସି ସାମାଜିକ କାର୍ଯ୍ୟରେ ସାମିଲ୍ କରାଯାଉ ନଥିବାରୁ, ତାହାକୁ “ବାସନ୍ଦ” ବୋଲି ମନେ କରି ଏଭଳି ଅଭିଯୋଗ ଆଣିଥାନ୍ତି । କିଏ କାହା ସହିତ ସଂପର୍କ ରଖିବ କି’ ନରଖିବ କିମ୍ବା କାହାର ସାମାଜିକ ଉତ୍ସବରେ କିଏ କାହାକୁ ନିମନ୍ତ୍ରଣ କରିବ କି’ ନକରିବା, ତାହା ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କୁଳ ସଂଗଠନର ନିଜସ୍ଵ ବିଚାର ବୋଲି କିଛି ମୁଖିଆ ଓ ବୁଦ୍ଧିଜୀବୀ କହନ୍ତି ।

ତଥ୍ୟ ଅନୁସାରେ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମାଜିକ ବାସନ୍ଦକୁ ନେଇ ଗତ ବର୍ଷମାନଙ୍କରେ ଥାନା ଓ ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ସେହି କ୍ରମରେ ଜିଲ୍ଲାର ଗାଙ୍ଗପୁର ଥାନା ଅଞ୍ଚଳର ୩ଟି ଗାଁରେ ଗୁଣିଗାରେଡି ସନ୍ଦେହରେ ୩ଟି ପରିବାରକୁ ଏବଂ ଜଗନ୍ନାଥପ୍ରସାଦ ଥାନାଞ୍ଚଳର ଗୋଟିଏ ପରିବାରରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଥିଲା । ସେହିଭଳି ଅନ୍ୟ ଜାତିର ପୁଅ-ଝିଅଙ୍କୁ ବିବାହ କରିଥିବାରୁ, ପୋଲସରା ଥାନାଞ୍ଚଳର ଦୁଇଟି ସେନା ବାହିନୀ ପରିବାର ଓ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଥିଲା । ଗଂଜାମ – ହୁମା ଫାଣ୍ଡି ଅଞ୍ଚଳରେ, ସାମାଜିକ ବାସନ୍ଦ ର ଶିକାର ହୋଇଥିବା ସଂପୃକ୍ତ ଯୁବକ ନ୍ୟାୟ ପାଇଁ ଶେଷରେ, ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବା ଭଳି ଦୁଃଖଦାୟକ ଘଟଣା ଘଟିଥିଲା । କେବଳ ଗଂଜାମ ନୁହେଁ, ଅନ୍ୟ କିଛି ଜିଲାରେ ମଧ୍ୟ ସାମାଜିକ ବାସନ୍ଦ ଘଟଣା ନଜରକୁ ଆସିଛି । ରାୟଗଡ଼ା ଜିଲ୍ଲାର ଟିକିରି ଥାନା ଅଞ୍ଚଳର ଜଣେ ବ୍ୟକ୍ତିକୁ ବାସନ୍ଦ କରାଯିବା ସହ ପିଟିପିଟି ମାରି ଦିଆଯାଇଥିଲା । କୋରାପୁଟ ଜିଲ୍ଲା ଜୟପୁର ଥାନା ଅଞ୍ଚଳର, ଗୋଟିଏ ବାସନ୍ଦ ପରିବାରର ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ କାନ୍ଧ ଦେବା ପାଇଁ କେହି ଆସିନଥିଲେ । ଯାହା ଫଳରେ ମା’ର କୋକେଇକୁ ପୁଅ ଘୋଷାଡି ଘୋଷାଡି ଶ୍ମଶାନ ପର୍ଯ୍ୟନ୍ତ ନେଉଥିବାର ହୃଦୟ ବିଦାରକ ଦୃଶ୍ୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । କେବଳ ସେତିକି ନୁହେଁ , ନିର୍ବାଚନରେ ଭାଗ ନେଇଥିବା କାରଣରୁ , ବାଲେଶ୍ଵର ଜିଲ୍ଲାର ଜଣେ ମହିଳା ଜନପ୍ରତିନିଧିଙ୍କୁ ମଧ୍ୟ , ସାମାଜିକ ବାସନ୍ଦର ଶିକାର ହେବାକୁ ପଡ଼ିଥିଲା ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।

ଗଂଜାମ ଜିଲ୍ଲାର ଅଧିକାଂଶ “ବାସନ୍ଦ” ଅଭିଯୋଗର ସମାଧାନ, ପୋଲିସ୍ ଓ ପ୍ରଶାସନର ଉଦ୍ୟମରେ ପ୍ରାୟତଃ ହୋଇ ସାରିଛି । ଆଉ କିଛି ସ୍ଥାନରେ ଏଭଳି ଅଭିଯୋଗ ରହିଥିଲେ ମଧ୍ୟ କଥା ବାହାରକୁ ଆସି ନାହିଁ । ଅଧିକାଂଶ କ୍ଷେତ୍ରରେ ପୀଡ଼ିତ ବ୍ୟକ୍ତି, ପରିବାର, ଗାଁ ମୁଖିଆ ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଗଣମାଧ୍ୟମ ଆଗକୁ ଖୋଲା ଖୋଲି ଭାବେ ଆସିବାକୁ ଇଚ୍ଛା କରୁ ନାହାନ୍ତି । ତା’ସତ୍ତ୍ବେ ବି ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଦିଗି ଗାଁରେ, ଗୁଣିଗାରେଡି ସନ୍ଦେହରେ ବାସନ୍ଦ ହୋଇଥିବା ପୀଡ଼ିତ ପରିବାର ଓ ଗାଁ ମୁଖିଆଙ୍କ ପାଖରେ ପହଞ୍ଚିଥିଲୁ । ବାସନ୍ଦକୁ ନେଇ ଦୀର୍ଘ ବର୍ଷର ଘଣ୍ଟାଚକଟା ଭିତରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଉଭୟ ପୀଡ଼ିତ ଓ ଗ୍ରାମବାସୀ ଏକାଠି ବସି ଗାଁର ସାମାଜିକ ଓ ପାରମ୍ପରିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରୁଥିଲେ । ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ଥିଲା ।

ଏଭଳି ବ୍ୟବସ୍ଥା ଉପରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆ ଯାଉଛି । ଗତ ମାସରେ ଜିଲ୍ଲାର ବିଭିନ୍ନ ବ୍ଳକ୍ ମାନଙ୍କରେ “ସାମାଜିକ ବାସନ୍ଦ” ହଟାଇବାକୁ ସଚେତନତା ଯାତ୍ରା ଆରମ୍ଭ ହୋଇଛି । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ, ସାମାଜିକ ବାସନ୍ଦ ପ୍ରଥା ପ୍ରଚଳନ କରି ଆଇନକୁ ହାତକୁ ନେବା ଉଚିତ୍ ନୁହେଁ ବୋଲି କୁହାଯାଉଛି । ବିଶେଷ କରି ଲୋକଙ୍କ ପାଖକୁ ପ୍ରଶାସନିକ ଅଧିକାରୀମାନେ ନିଜେ ଯାଇ ଆଇନ୍ ସଂକ୍ରାନ୍ତରେ ବୁଝାଇଛନ୍ତି । ଆଉ ଦଣ୍ଡବିଧାନ ପରିବର୍ତ୍ତେ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି ।

ଅତୀତ ଅପେକ୍ଷା ବର୍ତ୍ତମାନ ସମୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି ଏଭଳି ସାମାଜିକ ବାସନ୍ଦ । ଘଟୁଛି ଗୋଟିଏ ପରେ ଗୋଟିଏ ଘଟଣା ଓ ଦୁର୍ଘଟଣା । ଏହା ଦ୍ବାରା ଉଭୟ ପୀଡ଼ିତ ଓ ବ୍ୟବସ୍ଥାକୁ ପ୍ରଚଳନ କରୁଥିବା ଗୋଷ୍ଠୀଙ୍କ କୈାଣସି ଲାଭ ନଥାଇ କେବଳ କ୍ଷତି ହିଁ ହେଉଛି । ପ୍ରଭାବିତ ହେଉଛନ୍ତି ପାଖ-ପଡୋଶୀ ଏବଂ ପରବର୍ତ୍ତୀ ପିଢ଼ି । ତା’ସତ୍ବେ ଲୋକଙ୍କ ଭିତରେ କାହିଁକି ଏ ମାନସିକତା ସୃଷ୍ଟି ହେଉଛି , ତାହା ଆଜି ଅସମାହିତ ପ୍ରଶ୍ନ ହୋଇ ଠିଆ ହୋଇଛି । … ପ୍ରଥା ଏଇ ମଣିଷ ହିଁ ତିଆରି କରିଛି । ହେଲେ ଯାହା ସମାଜକୁ ଶୃଙ୍ଖଳିତ କରିବା ପାଇଁ ଥିଲା ଯଦି ତାର ଅପବ୍ୟବହାର ହୁଏ ତେବେ ଏଇ ମଣିଷ ହିଁ ଦୁର୍ଦ୍ଦଶା ଭୋଗିବ । ତେଣୁ ମଣିଷ ସଚେତନ ହେବା ଦରକାର କେବଳ ମଣିଷ ପଣିଆ ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.