ରାଞ୍ଚିରେ ପୁଣି ବାର୍ଡ ଫ୍ଲୁ; ମରା ହେଲେ ୯୨୦ ପକ୍ଷୀ, ନଷ୍ଟ କରାଗଲା ୪୩୦୦ଟି ଅଣ୍ଡା
ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ପୁଣି ଉଗ୍ର ରୂପ ନେଇଛି ବାର୍ଡ ଫ୍ଲୁ । ଏଠାରେ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିବା ପରେ ରାଞ୍ଚିର ଏକ ଫାର୍ମରେ ୯୨୦ଟି କୁକୁଡ଼ା ଓ ବତକଙ୍କୁ ମରାଯାଇଛି ।

ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ପୁଣି ଉଗ୍ର ରୂପ ନେଇଛି ବାର୍ଡ ଫ୍ଲୁ । ଏଠାରେ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିବା ପରେ ରାଞ୍ଚିର ଏକ ଫାର୍ମରେ ୯୨୦ଟି କୁକୁଡ଼ା ଓ ବତକଙ୍କୁ ମରାଯାଇଛି । ଏହା ସହିତ ୪୩୦୦ଟି ଅଣ୍ଡା ନଷ୍ଟ କରି ଦିଆଯାଇଛି । ବର୍ତ୍ତମାନ ସ୍ଥିତିରେ ରାଜ୍ୟ ସରକାର ଆଲର୍ଟ ମୋଡରେ ଅଛନ୍ତି । ଭାଇରସ୍ ଚିହ୍ନଟ ପରେ ସରକାର ବୁଧବାର ଆଲର୍ଟ ଜାରି କରିଛନ୍ତି ।
ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ମୋରହାବାଦୀରେ ରାମକୃଷ୍ଣ ଆଶ୍ରମ ଦ୍ୱାରା ସଞ୍ଚାଳିତ କୁକୁଡ଼ା ଫାର୍ମ ‘ଦିବ୍ୟାୟନ କୃଷି ବିଜ୍ଞାନ କେନ୍ଦ୍ର’ରେ ୭୭୦ଟି ବତକଙ୍କ ସମେତ ୯୨୦ଟି ପକ୍ଷୀଙ୍କୁ ମରାଯାଇଛି । ତେବେ ଭୋପାଳସ୍ଥିତ ଆଇସିଏଆର୍- ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜ୍ (NIHSAD)କୁ ଯାଞ୍ଚ ପାଇଁ ନମୁନା ପଠାଯାଇଥିଲା । ଯେତେବେଳେ ନମୁନା ପରୀକ୍ଷା କରାଯାଇଥିଲା, ସେତେବେଳେ ଏଚ୍୫ଏନ୍୧ (ଏକ ପ୍ରକାରର ଆଭିଆନ୍ ଇନ୍ଫ୍ଲୁଏଞ୍ଜା ଏ) ଭାଇରସ୍ ଚିହ୍ନଟ ହୋଇଥିଲା ।
ବାର୍ଡ ଫ୍ଲୁକୁ ଆଭିଆନ୍ ଇନ୍ଫ୍ଲୁଏଞ୍ଜା ମଧ୍ୟ କୁହନ୍ତି, ଯାହା ଏକ ଭାଇରାଲ ଇନ୍ଫେକ୍ସନ । ଏହା ପକ୍ଷୀମାନଙ୍କଠାରୁ ପକ୍ଷୀଙ୍କୁ ବ୍ୟାପିଥାଏ ଏବଂ ଏହି ସଂକ୍ରମଣ ଅଧିକାଂଶ ପକ୍ଷୀଙ୍କ ପାଇଁ ମରଣାନ୍ତକ ମଧ୍ୟ ପାଲଟେ ।
ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ (CDC) ମୁତାବକ, ବାର୍ଡ ଫ୍ଲୁ ସାଧାରଣତଃ ଜଙ୍ଗଲି ପକ୍ଷୀମାନଙ୍କ ଜରିଆରେ ପୋଷା ପକ୍ଷୀମାନଙ୍କ ମଧ୍ୟରେ ବ୍ୟାପିଥାଏ । ସିଡିସିର କହିବା ହେଲା, ଏହି ଭାଇରସ୍ ପକ୍ଷୀଙ୍କ ଅନ୍ତଃନଳୀ ଓ ଶ୍ୱାସନଳୀକୁ ଆକ୍ରମଣ କରିଥାଏ ଏବଂ ସେମାନଙ୍କୁ ରୋଗାକ୍ରାନ୍ତ କରିଦେଇଥାଏ । ଅନେକ ମାମଲାରେ ଏହାଦ୍ୱାରା ପକ୍ଷୀମାନଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ ।
ଏହି ଭାଇରସ୍ ସାଧାରଣ ଭାଇରସ୍ ଭଳି ବ୍ୟାପିଥାଏ । ସିଡିସି କହିଛି ଯେ ସଂକ୍ରମିତ ପକ୍ଷୀଙ୍କ ଲାଳ, ନାକରୁ ବାହାରୁଥିବା ଲିକ୍ୱିଡ୍ କିମ୍ବା ମଳ ଜରିଆରେ ଏଚ୍୫ଏନ୍୧ ଭାଇରସ୍ ବ୍ୟାପିପାରେ । ଏମିତି ସ୍ଥିତିରେ ଯେତେବେଳେ ଅନ୍ୟ ପକ୍ଷୀ ଏହା ସଂସ୍ପର୍ଶରେ ଆସନ୍ତି, ସେମାନେ ମଧ୍ୟ ଏଥିରେ ସଂକ୍ରମିତ ହୋଇଯାନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ମୁତାବକ, ବାର୍ଡ ଫ୍ଲୁ କିମ୍ବା ଆଭିଆନ୍ ଫ୍ଲୁ ଏ ଟାଇପ୍ର ଇନ୍ଫ୍ଲୁଏଞ୍ଜା ଭାଇରସ୍ । ଏହା ମଣିଷ ସହିତ ଜୀବଜନ୍ତୁମାନଙ୍କୁ ମଧ୍ୟ ସଂକ୍ରମିତ କରିପାରେ ।