Below header

ବଣଭୋଜି ଏବଂ ଜଳକ୍ରୀଡାର ମଜା ନିଅନ୍ତୁ , ଏଥର ପିକନିକରେ ବୁଲିଯାନ୍ତୁ ଖସଡ଼ା ଜଳପ୍ରପାତ

କୋଭିଡ୍‌ କଟକଣା କୋହଳ ହେବା ପରେ ଆପଣମାନେ ନିଶ୍ଚୟ ଚାହୁଁଥିବେ ଟିକେ ଖୋଲା ହାଓ୍ଵାରେ ବୁଲି ଆସିବେ, ପ୍ରକୃତିର ମଜା ନେବେ । ତେବେ ଚାଲନ୍ତୁ ଆମେ ଆଜି ଆପଣଙ୍କୁ ନେଇଯିବୁ ଆମ ରାଜ୍ୟର ଗୋଟିଏ ପର୍ଯ୍ୟଟନ ସ୍ଥଳୀକୁ, ଯେଉଁ ଜାଗାଟି ଆପଣଙ୍କ ମନ କିଣିନେବ । ଜାଗାଟି ହେଉଛି ଗଜପତି ଜ଼ିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଖସଡ଼ା ଜଳପ୍ରପାତ। ପାହାଡ଼ ପର୍ବତ ଘେରା ସବୁଜ ବନାନୀ ମଧ୍ୟରେ ବହି ଯାଉଥିବା ରାମ ନଦୀର ଜଳରାଶିକୁ ଦେଖି ଯେକେହି ଘଣ୍ଟା ଘଣ୍ଟା ବସିଯିବ ବିଭୋର ହୋଇ । ସ୍ୱଚ୍ଛ ଜଳ ରାଶି ଶାନ୍ତ ପରିବେଶ ଭିତରେ ଗୀତ ଗାଇଲା ଭଳି ତାଳ ଦେଇ ଝରି ଆସୁଛି ପାହାଡ଼ ଉପରୁ । ପୁଣି ପର୍ବତ ଶିଖରରେ ରହିଛି ରାମ ମନ୍ଦିର ।

ବର୍ଷ ତମାମ ଏଠାକୁ ପର୍ଯ୍ଯଟକଙ୍କ ସୁଅ ଛୁଟିଥାଏ, କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବନ୍ଦ ରହିଥିଲା ଖସଡ଼ା ପର୍ଯ୍ଯଟନ ସ୍ଥଳୀ। ଧୀରେ ଧୀରେ ଏଠାରେ ପର୍ଯ୍ଯଟକଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। ଲାଗୁଛି ଯେମିତି ପର୍ଯ୍ୟଟକଙ୍କୁ ପାଖରେ ପାଇ ସୁପ୍ତ ଜଳପ୍ରପାତଟି ପୁଣି ଚଳଚଞ୍ଚଳ ହେବାରେ ଲାଗିଛି।

khasadaଲୋକେ ଏହି ଖସଡ଼ା ଜଳପ୍ରପାତକୁ ଆସି ବଣଭୋଜି କରିବା ସହ ଜଳକ୍ରୀଡାର ମଜା ନେଉଛନ୍ତି l ବ୍ରହ୍ମପୁର ଠାରୁ ଏହି ସ୍ଥାନଟିର ଦୂରତା ହେଉଛି ୯୦ କିଲୋମିଟର ଏବଂ ଚନ୍ଦ୍ରଗିରିରରୁ ମାତ୍ର ୭ କିମି ଦୂର । ବସ୍‌ ଯୋଗେ ଚନ୍ଦ୍ରଗିରିରେ ପହଞ୍ଚି ସେଠାରୁ ଅଟୋ କିମ୍ବା ଭଡ଼ା ଗାଡ଼ି କରି ଖସଡ଼ା ଯାଇ ହେବ ।

ଏତେବଡ ପର୍ଯ୍ଯଟନ ସ୍ଥଳୀ ହୋଇଥିଲେ ମଧ୍ୟ ଏଠାରେ କିଛି ସମସ୍ଯା ରହିଛି। ଖସଡ଼ା ଯିବା ପାଇଁ ପକ୍କା ରାସ୍ତାଟିଏ ନଥିବା ବେଳେ ଏଠାରେ ଶୌଚାଳୟର ବ୍ଯବସ୍ଥା ମଧ୍ୟ କରାଯାଇ ନାହିଁ। ତା ସହିତ ନାହିଁ କୌଣସି ସୁରକ୍ଷା ବ୍ୟବସ୍ଥା । ଏ ଜାଗାଟିର ପ୍ରଚାର ପ୍ରସାର ଓ ବିକାଶ ହେଲେ ପର୍ଯ୍ୟଟନ ସହ ଏଠାକାର ଲୋକଙ୍କ ଆର୍ଥିକ କଷ୍ଟ ମଧ୍ୟ ଦୂର ହୁଅନ୍ତା ।

ଆମେ ଏକ ଅତି ସୁନ୍ଦର ଦୁନିଆରେ ବାସ କରୁଛୁ । ଏ ପୃଥିବୀ ଏତେ ବିଶାଳ ଯେ ଏଠି ପ୍ରକୃତି ପ୍ରଦତ୍ତ ଅନେକ କଥାକୁ ଆମ ଜୀବନକାଳ ଭିତରେ ଦେଖିବା ସମ୍ଭବ ହୁଏନାହିଁ । ହେଲେ ଆମ ଆଖପାଖରେ ଏଭଳି ଅନେକ ସ୍ଥାନ ରହିଛି ଯାହାର ସୌନ୍ଦର୍ଯ୍ୟ ବଖାଣିଲେ ବି କମ୍‌ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.