ଫେରୁଥିଲେ ଘରକୁ ବାଟରେ ଜଗି ବସିଥିଲା ଯମ, ଏକା ସାଙ୍ଗରେ ଚାଲିଗଲା ୧୪ ଜୀବନ

ମଧ୍ୟପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୧ ଜଣ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶର ଶାହପୁର ଥାନା ଅନ୍ତର୍ଗତ ବିଛିଆ ନିକଟ ବଡ଼ଝାର ଘାଟରେ ଘଟିଛି ଏହି ଦୁର୍ଘଟଣା ।

ମଧ୍ୟପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୧ ଜଣ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶର ଶାହପୁର ଥାନା ଅନ୍ତର୍ଗତ ବିଛିଆ ନିକଟ ବଡ଼ଝାର ଘାଟରେ ଘଟିଛି ଏହି ଦୁର୍ଘଟଣା । ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଖବର ଅନୁଯାୟୀ ପିକଅପରେ ଥିବା ଲୋକମାନେ ଏକ ପାରିବାରକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଆହତମାନଙ୍କୁ ଶାହପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ କିଛି ରିପୋର୍ଟ ଅନୁଯାୟୀ ଦୁର୍ଘଟଣାର କାରଣ ବ୍ରେକ୍ ଫେଲ ବୋଲି ମଧ୍ୟ କୁହାଯାଉଛି । ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଗଭୀର ଦୁଃଖ ପ୍ରକାଶ କରି ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଏଥିସହ ଗୁରୁତରଙ୍କୁ ସବୁ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ମୃତକଙ୍କ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ଏବଂ ସେମାନଙ୍କ ପରିବାରକୁ ଏହି ଗଭୀର ଦୁଃଖ ସହ୍ୟ କରିବାକୁ ଶକ୍ତି ପ୍ରଦାନ କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଡା. ଯାଦବଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ସାଂସଦ ଜିତୁ ପାଟୱାରୀ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଡିଣ୍ଡୋରିରେ ପିକଅପ୍ ଗାଡି ଓଲଟି ପଡ଼ିବାରୁ ୧୪ ଜଣଙ୍କ ମୃତ୍ୟୁକୁ ନେଇ ଏକ ଦୁଃଖଦ ଖବର ଆସିଛି ।

ଏହି ଦୁର୍ଘଟଣାରେ ୨୧ ଜଣ ମଧ୍ୟ ଆହତ ହୋଇଛନ୍ତି । ସେ କହିଛନ୍ତି ମୃତକଙ୍କ ଆତ୍ମାର ଶାନ୍ତି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ରିଲିଫ ଏବଂ ଚିକିତ୍ସା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଅନୁରୋଧ କରାଯାଇଛି । ତେବେ ଏହି ଦୁର୍ଘଟଣାର ପ୍ରାୟତଃ ମୃତକ ଦେଓରି ଗାଁର ବୋଲି ସୂଚନା ମିଳିଛି । ଏହି ଦୁର୍ଘଟଣା ଯୋଗୁ ବହୁ ସମୟ ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏହାପରେ ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ରାସ୍ତାରୁ ହଟାଯିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ବର୍ତ୍ତମାନ ପୋଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.