Below header

ଚିକିତ୍ସା କରିବାକୁ ଟଙ୍କା ନାହିଁ ବୋଲି ଜଞ୍ଜିରରେ ବାନ୍ଧିଦେଲେ ବାପା ମା, ଏବେ ଏମିତି କଟୁଛି ପ୍ରଦୀପଙ୍କ ଜୀବନ

ଏ ଯୁବକ ଜଣକୁ ଦେଖିଲେ ଲାଗିବ ଯେମିତି କେଉଁ ଅପରାଧ ପାଇଁ ଶାସ୍ତି ଭୋଗୁଛନ୍ତି । ହଁ ସତରେ ସେ ଦଣ୍ଡ ପାଉଛନ୍ତି, ହେଲେ ଜେଲ୍‌ରେ ନୁହେଁ, ନିଜ ଘରେ । ୨୨ ବର୍ଷର ଏଇ ଯୁବକ ପ୍ରଦୀପ ମଲ୍ଲିକଙ୍କ ହାତ ଗୋଡ଼ ଲୁହା ଚେନ୍‌ରେ ବନ୍ଧା ହୋଇଛି । ନିରୀହ ମୁହଁ ଦେଖିଲେ କେହି କହିବେକି ସେ କିଛି ଦୋଷ କରିଛନ୍ତି ବୋଲି ? ତେବେ ତାଙ୍କର ଦୋଷ ହେଲା ସେ ଆଉ ନିଜ ନିୟନ୍ତ୍ରଣରେ ନାହାନ୍ତି । ନିଜ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ବାପା ମା’ଙ୍କ ପାଖରେ ଟଙ୍କା ନାହିଁ ପ୍ରଦୀପଙ୍କ ଚିକିତ୍ସା କରିବା ପାଇଁ । ତେଣୁ ତାଙ୍କ ପାଗଳାମି ପାଇଁ ଲୁହା ଜଞ୍ଜିରରେ ବାନ୍ଧି ଦେଇଛନ୍ତି । ବାପା ବ୍ରଜବନ୍ଧୁ ମଲ୍ଲିକ ଓ ମା ସଜନୀ ମଲ୍ଲିକ । ମୂଲ ଲାଗିଲେ ଘର ଚଳେ । ଟଙ୍କା ଆଣିବେ କେଉଁଠୁ ଯେ ପୁଅର ଚିକିତ୍ସା କରିବେ । ପାଞ୍ଚ ପ୍ରଣୀ କୁଟୁମ୍ବ ମୁହଁରେ ଦାନା ଦେଉ ଦେଉ ସବୁ ସରି ଯାଉଛି । ସେଠି ପୁଅର ଚିକିତ୍ସା କଥା ଉଠୁଛି ବା କେଉଁଠୁ । ତେଣୁ ଦୟନୀୟ ଅବସ୍ଥାରେ ରହିଛି ବ୍ରଜବନ୍ଧୁଙ୍କ ପରିବାର । ଭଲ ଭାବେ ଚିକିତ୍ସା କରାଗଲେ ପ୍ରଦୀପ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡାକ୍ତର ବି କହିଛନ୍ତି । ହେଲେ ସେତିକି ବି ସମ୍ଭବ ହେଉନାହିଁ ।

ପ୍ରଦୀପଙ୍କ ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଅଢ଼ାଖଣ୍ଡ ଗାଁରେ । ମାଟ୍ରିକ୍‌ ପର୍ଯ୍ୟନ୍ତ ଭଲ ଥିଲେ ପ୍ରଦୀପ । ହେଲେ ତା ପରେ କଣ ହେଲା କେଜାଣି ମାନସିକ ସନ୍ତୁଳନ ବିଗିଡ଼ି ଗଲା । ପ୍ରାୟ ଦୁଇ ବର୍ଷ ହେଲା ଏଭଳି ଯନ୍ତ୍ରଣାଦାୟକ ସ୍ଥିତିରେ ଅଛନ୍ତି ସେ । ଉଭୟ ସରକାରୀ ଓ ବେସରକାରୀ ସହାୟତା ହିଁ ଏହି ଯୁବକଙ୍କୁ ନୂଆ ଜୀବନ ଦେଇ ପାରିବ । ବ୍ରଜବନ୍ଧୁଙ୍କୁ ଯୋଗାଯୋଗ କରିବା ପାଇଁ ଫୋନ୍‌ ନମ୍ବର ହେଉଛି 9937458480 । ଆମେ ଆଶା କରୁଛୁ କେହି ନା କେହି ବଦାନ୍ୟ ବ୍ୟକ୍ତି ପ୍ରଦୀପଙ୍କ ପାଇଁ ସହାୟତାର ହାତ ବଢ଼ାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.