ସମୁଦ୍ର ମନ୍ଥନ ବେଳେ କଚ୍ଛପ ରୂପ ଧାରଣ କରିଥିଲେ ଭଗବାନ ବିଷ୍ଣୁ, ବାହାରିଥିଲା ଏହି ୧୪ଟି ଅମୂଲ୍ୟ ରତ୍ନ

ସୃଷ୍ଟିର ରଚନାକୁ ବ୍ୟବସ୍ଥିତ କରିବାରେ ସମୁଦ୍ର ମନ୍ଥନର ସ୍ୱତନ୍ତ୍ର ଭୂମିକା ରହିଛି। ସମୁଦ୍ର ମନ୍ଥନକୁ ନେଇ କେତେକ କଥା ପ୍ରଚଳିତ ଅଛି। ସମୁଦ୍ର ମନ୍ଥନରେ ବାହାରିଥିବା ରତ୍ନର ବଣ୍ଟନକୁ ନେଇ ପୁରାଣରେ ଅନେକ କଥା ବର୍ଣ୍ଣିତ ଅଛି। ଆସନ୍ତୁ ଜାଣିବା ସମୁଦ୍ର ମନ୍ଥନରୁ ବାହାରିଥିବା ରତ୍ନ ବିଷୟରେ…
ପୌରାଣିକ କଥା ଅନୁସାରେ ବଳି ନାମକ ଜଣେ ରାଜା ଥିଲେ। ସେ ଖୁବ୍ ବଳଶାଳୀ ଥିବାରୁ ତାଙ୍କୁ ଦୈତରାଜ କୁହାଯାଉଥିଲା। ବଳି ନିଜ ଶକ୍ତି ବଳରେ ତିନି ଲୋକରେ ପ୍ରଭାବ ବିସ୍ତାର କରିଥିଲେ। ଅନ୍ୟପଟେ ଋଷି ଦୁର୍ବାସାଙ୍କ ଅଭିଶାପ ଯୋଗୁ ଦେବତାଙ୍କ ରାଜା ଇନ୍ଦ୍ର କଷ୍ଟ ଭୋଗୁଥିଲେ। ବଳିଙ୍କ ବର୍ଦ୍ଧିତ ଶକ୍ତି ଦେଖି ଦେବଗଣ ଭୟଭୀତ ହୋଇଯାଇଥିଲେ। ଏଣୁ ସେମାନେ ଭଗବାନ ବିଷ୍ଣୁଙ୍କ ଶରଣ ପଶିଥିଲେ। ଦେବତାଙ୍କ କଥା ଶୁଣି ଭଗବାନ ବିଷ୍ଣୁ ସମୁଦ୍ର ମନ୍ଥନ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏହା ପୂର୍ବରୁ ଦେବତାଙ୍କୁ ଅସୁରଙ୍କ ସହ ସନ୍ଧି କରିବାକୁ କହିଥିଲେ। ଦୈତ୍ୟଙ୍କୁ ବୁଝାଇବା ପରେ ସେମାନେ ରାଜି ହୋଇଥିଲେ। ଏହା ପରେ ଦେବତା ଓ ଅସୁରଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ସମୁଦ୍ର ମନ୍ଥନ ବେଳେ ଭଗବାନ ବିଷ୍ଣୁ କଚ୍ଛପ ଅବତାର ଗ୍ରହଣ କରିଥିଲେ। ଏହି ଅବତାର ନେଇ ବିଷ୍ଣୁ କ୍ଷୀର ସାଗରର ସମୁଦ୍ର ମନ୍ଥନ ସମୟରେ ମନ୍ଦାର ପର୍ବତକୁ ନିଜ କବଚରେ ସମ୍ଭାଳି ଥିଲେ ଏବଂ ମନ୍ଦର ପର୍ବତ ଓ ନାଗରାଜ ବାସୁକିଙ୍କ ସହାୟତାରେ ମନ୍ଥନରୁ ୧୪ ଟି ରତ୍ନ ପ୍ରାପ୍ତ କରିଥିଲେ।
ସମୁଦ୍ର ମନ୍ଥନରୁ ବାହାରିଥିଲା ଏହି ୧୪ଟି ରତ୍ନ:
୧.ବିଷ
୨.ଘୋଡ଼ା
୩.ଐରାବତ ହାତୀ
୪.କୌସ୍ତୁଭ ମଣି
୫.କାମଧେନୁ ଗାଈ
୬.ପାରିଜାତ ପୁଷ୍ପ
୭.ଦେବୀ ଲକ୍ଷ୍ମୀ
୮.ଅପ୍ସରା ରମ୍ଭା
୯.କଳ୍ପତରୁ ବୃକ୍ଷ
୧୦.ବାରୁଣୀ ଦେବୀ
୧୧.ପଞ୍ଚଜନ୍ୟ ଶଙ୍ଖ
୧୨.ଚନ୍ଦ୍ରମା
୧୩.ଭଗବାନ ଧନ୍ଵନ୍ତରୀ
୧୪.ଅମୃତ