କଳାକାର ଦମ୍ପତି : ଲୋକଙ୍କୁ ମନୋରଂଜନ ସହ ଦେଉଛନ୍ତି ସଚେତନତାର ବାର୍ତ୍ତା

ସୁବର୍ଣ୍ଣପୁର ; କଳା ହିଁ ଜୀବନ । କଳାକୁ ନେଇ ଜୀବନ ଜୀବିକା । କଳାରେ ଜିଇଁବା ଆଉ କଳାକୁ ନେଇ ହିଁ ମରିବା । ଏହିଭଳି ଭାବେ କଳାକୁ ନେଇ ବଂଚୁଥିବା ଗୋଟିଏ ନିଆରା କଳାକାର ଦମ୍ପତି । ସକାଳୁ ସଞ୍ଜଯାଏ ଯାହାଙ୍କ ପାଇଁ ନାଚିବା ଆଉ ଗାଇବା ସବୁକିଛି । ଆଉ ଏହାରି ଭିତରେ ପୁଣି ଲୋକଙ୍କୁ ମନୋରଂଜନ ସହ ଦେଉଛନ୍ତି ସଚେତନତାର ବାର୍ତ୍ତା।

couple 1

ସକାଳ ହେଲେ ଆରମ୍ଭ ହୋଇଯାଏ ପ୍ରସ୍ତୁତି । ବେଶ ପୋଷାକ ସାଜ ସଜ୍ଜା ସହ ମୁହଁରେ ରଂଗବୋଳି ପାଦରେ ଘୁଂଗୁର ବାନ୍ଧିବା ସହ ଢୋଲଧରି ବାହାରି ପଡନ୍ତି ସ୍ୱାମୀ ସ୍ତ୍ରୀ । ଆଉ ଗୋଟିଏ ପରେ ଗୋଟିଏ ଗାଁ ଓ ସହରକୁ ଯାଇ ଆରମ୍ଭ ହୋଇଯାଏ ନାଚ ଗୀତ । ସୁମଧୁର କଂଣ୍ଠରେ କେତେବେଳେ ଭଜନ ତ ଆଉ କେତେବେଳେ ଦଣ୍ଡଗୀତ ଗାଇ ଲୋକଙ୍କ ମନୋରଂଜନ କରନ୍ତି ଏମାନେ । ତେବେ ଏସବୁ ଭିତରେ ପୁଣି କେତେବେଳେ ଟ୍ରାଫିକ ନିୟମ,ତ କେତେବେଳେ ପଲିଥିନ ଓ ପରିପାଇଁ କଥାଟିଏ ଭଳି ଗୀତ ଓ ନୃତ୍ୟକରି ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରନ୍ତି ଏମାନେ । ଏହିଭଳି ସଚେତନ କରିବାକୁ କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା ଦ୍ୱାରା ସେମାନେ ନିୟୋଜିତ ହୋଇନଥିଲେ ହେଁ ସ୍ୱଇଚ୍ଛାରେ ଲୋକଙ୍କୁ ସଚେତନ କରିବାକୁ କରୁଛନ୍ତି ପ୍ରୟାସ । ଏହି କଳାକାର ଦମ୍ପତି ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜମ୍ଭାଲିପାଲି ଗାଁର ହରେକୃଷ୍ଣ ବାଗ ଓ ପୁର୍ଣ୍ଣମାସୀ ବାଗ । ଯାହାଙ୍କ ପାଇଁ କଳାହିଁ ଏବେ ପାଲଟି ଯାଇଛି ବୃତ୍ତି ଆଉ ପ୍ରବୃତ୍ତି।

ghungorro

ବାହାଘର ପରେ ହରେକୃଷ୍ଣ ଏବଂ ପୁର୍ଣ୍ଣମାସୀ ଦଣ୍ଡନୃତ୍ୟରୁ ଆରମ୍ଭ କରିଥିଲେ ଏହିଭଳି ନୃତ୍ୟଗୀତ । ପରେ ପରେ ଜିଲ୍ଲା,ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ ମଂଚରେ ଦେଖାଇଥିଲେ ସେମାନଙ୍କ ପ୍ରତିଭା । ସେହିଦିନଠୁ ଆଉ ପଛକୁ ଫେରିନାହଁନ୍ତି ଏହି କଳାକାର ଦମ୍ପତି । ଶେଷରେ ଏହି କଳା ପାଲଟିଯାଇଛି ସେମାନଙ୍କ ପାଇଁ ଜୀବନ ଜୀବିକା । ସକାଳ ହେଲେ ଗାଁଠୁ ସହର ସବୁଠିକୁ ଯାଇ ନୃତ୍ୟ ଗୀତ ଗାଇ ଲୋକଙ୍କ ମନୋରଂନ କରି କରୁଛନ୍ତି ପେଟପାଟଣା । ସରକାରୀ ଭାବେ ଉଭୟେ ୧୨ଶହ ଲେଖାଏଁ କଳାକାର ଭତା ପଉଥିଲେବି ଯଥେଷ୍ଟ ହେଉନଥିବା କହିବା ସହ ସରକାରୀ ଭାବେ ସୁବିଧାସହ ଜାତୀୟସ୍ତରର ଭତ୍ତା ଦେବାକୁ ଦାବୀ କରିଛନ୍ତି ଉଭୟ କଳାକର । ସେପଟେ ବିନା ପାରିଶ୍ରମିକରେ ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରୁଥିବାରୁ ସାଧୁବାଦ ଜଣାଇଛନ୍ତି ଓଡିଶା ସରକାରଙ୍କର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ସୁବର୍ଣ୍ଣପୁରରୁ ଶେଷଦେବ ବାରିକ (କେ ନ୍ୟୁଜ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.