୧୮୪୮ ମସିହା ଏପ୍ରିଲ ମାସ ୨୮ ତାରିଖରେ ଉତ୍କଳ ମାଟି ପାଇଥିଲା ତାର ଜଣେ ସୁଯୋଗ୍ୟ ବରପୁତ୍ରଙ୍କୁ । କଟକ ଜିଲ୍ଲା ଠାରୁ ମାତ୍ର ୨୦ କିଲୋମିଟର ଦୂର ସତ୍ୟଭାମାପୁର ଗ୍ରାମର ଏକ ଜମିଦାର ପରିବାରରେ ଜନ୍ମ ନେଇଥିଲେ ସେହି ଯୋଗଜନ୍ମା ମହାପୁରୁଷ ତଥା ପ୍ରତିଟି ଓଡ଼ିଆଙ୍କ ମଧ୍ୟରେ ସୁପରିଚିତ ଉତ୍କଳ ଗୌରବ ମଧୁସୂଦନ ଦାସ । ପିତାଙ୍କ ନାମ ଥିଲା ଚୌଧୁରୀ ରଘୁନ୍ନାଥ ଦାସ ଓ ମାତାଙ୍କ ନାଁ ଥିଲା ପ୍ରଭାତୀ ଦେବୀ । ଛୋଟ ବେଳେ ମଧୁବାବୁଙ୍କ ପ୍ରକୃତ ନାଁ ରଖାଯାଇଥିଲା ଗୋବିନ୍ଦ ବଲ୍ଲଭ । ଚାରି ଭାଇଭଉଣୀଙ୍କ ଭିତରେ ତୃତୀୟ ଥିଲେ ଗୋବିନ୍ଦବଲ୍ଲଭ ।
ପ୍ରାଥମିକ ଶିକ୍ଷା ଶେଷ ପରେ କଟକ ହାଇ ସ୍କୁଲ ବା ଏବେକାର ରେଭେନ୍ସା କଲିଜିଏଟ ସ୍କୁଲରେ ଇଂରାଜୀ ଶିକ୍ଷା ଲାଭ କରିଥିଲେ । ୧୮୬୪ ମସିହାରେ କଟକ ଜିଲ୍ଲାରୁ ମେଟ୍ରିକୁଲେସନ ପାସ କରିବା ପରେ ବାଲେଶ୍ୱର ଠାରେ ତିନି ବର୍ଷ ଧରି ଶିକ୍ଷକତା କରିଥିଲେ । ପରେ କଲିକତା ଯାଇ ଦୀର୍ଘ ୧୫ ବର୍ଷ ଧରି ସେଠାରେ ଅବସ୍ଥାନ କରିଥିଲେ । ୧୮୬୬ମସିହାର ନଅଙ୍କ ଦୃଭିକ୍ଷ ସମୟରେ ପ୍ରାୟ ୧ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା । ଏହି ଘଟଣା ମଧୁବାବୁଙ୍କ ଗଭୀର ଆଘାତ ଦେଇଥିଲା । ଫଳରେ ସେହି ବର୍ଷ ହିଁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ଗୋବିନ୍ଦ ବଲ୍ଲଭ ଚୌଧୁରୀରୁ ପାଲଟିଥିଲେ ମଧୁସୂଦନ ଦାସ ।
ଏହି କାରଣରୁ ପରବର୍ତ୍ତୀ ସମୟରେ ତାଙ୍କୁ ନିଜ ଗାଁରୁ ବାସନ୍ଦ ହେବାକୁ ପଡିଥିଲା । କଲିକତାରେ ଅବସ୍ଥାନ ସମୟରେ ମଧୁବାବୁ ଓ ତାଙ୍କ ପତ୍ନୀ ସୌଦାମିନୀ ଦୁଇ ଜଣ ବେଙ୍ଗଲୀ କନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶୈଳବାଳା ଦାସ ଓ ଅନ୍ୟ ଜଣେ ହେଉଛନ୍ତି ସୁଧାଂଶୁ ବାଳା ହାଜରା | ଶୈଳବାଳା ଶିକ୍ଷକତା କରି ପ୍ରସିଦ୍ଧି ଲାଭ କରିଥିବା ବେଳେ ସୁଧାଂଶୁବାଳା ବ୍ରିଟିଶ ଶାସନ ସମୟରେ ପ୍ରଥମ ମହିଳା ଓକିଲ ହେବାର ଖ୍ୟାତି ଅର୍ଜନ କରିଥିଲେ । ୧୮୮୧ ମସିହାରେ କଲିକତାରୁ ଓଡିଶା ଫେରିବା ପରେ ଓକିଲାତି ଆରମ୍ଭ କରିଥିଲେ ମଧୁବାବୁ ।
ତାଙ୍କ ଦୂରଦର୍ଶୀ ବ୍ୟକ୍ତିତ୍ୱ ଓ ପାରଦର୍ଶିତା କାରଣରୁ ଓକିଲ ମାନଙ୍କ ପାଇଁ ଆଦର୍ଶର କେନ୍ଦ୍ର ବିନ୍ଦୁ ପାଲଟି ପାରିଥିଲେ । ମଧୁବାବୁଙ୍କର ଆଉ ଏକ ବିଶେଷ ଗୁଣ ଥିଲା କି ଅନେକ କ୍ଷେତ୍ରରେ ସେ ଥିଲେ ପ୍ରଥମ ଓଡ଼ିଆ । ସେ ଥିଲେ ପ୍ରଥମ ଓଡ଼ିଆ ବିଏ ,ଏମଏ, ପ୍ରଥମ ଓଡ଼ିଆ ଓକିଲ, ପ୍ରଥମ ଓଡ଼ିଆ ବ୍ୟବସ୍ଥାପକ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ପ୍ରଥମ ଓଡ଼ିଆ ମନ୍ତ୍ରୀ ତଥା ଜାତୀୟ ନେତା । ତାଙ୍କରି ଉଦ୍ୟମରେ ଓଡ଼ିଆ ଜାତୀୟତାବାଦର ଅଭ୍ୟୁଦୟ ଓ ପ୍ରସାର ହୋଇଥିଲା । ଓଡ଼ିଆ ଭାଷାଭାଷୀ ଅଂଚଳକୁ ଏକାଠି କରି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଥିଲା ତାଙ୍କ ଜୀବନର ମୂଳ ଲକ୍ଷ । ଏଥିପାଇଁ ସେ ଗଢ଼ିଥିଲେ “ଉତ୍କଳ ସମ୍ମିଳନୀ” । ଏହି ଉତ୍କଳ ମାଟିକୁ ଶିଳ୍ପୋନ୍ନତ କରି ଗଢି ତୋଳିବା ପାଇଁ ଗଠନ କରିଥିଲେ “ଉତ୍କଳ ଟାନେରୀ” ଓ “ଓଡିଶା ୱାର୍ଟ୍ସ ୱେର ୱାର୍କ୍ସ” ।
ତାଙ୍କରି ପ୍ରଚେଷ୍ଟାରେ ହିଁ କଟକର ତାରକସି କାମ ଏକ ନୂଆ ପରିଚୟ ପାଇ ପାରିଥିଲା । ଖାଲି ସେତିକି ନୁହେଁ ତାଙ୍କର ଅନନ୍ୟ ଦେଶଭକ୍ତି ତାଙ୍କ କଲମ ମୁନରେ ହିଁ ପ୍ରସ୍ପୁଟିତ ହୋଇଥିଲା । ଇଂରାଜୀ ଓ ଓଡ଼ିଆ ଭାଷାରେ ଅନେକ କାବ୍ୟକବିତା ରଚନା କରିଥିଲେ | ତାଙ୍କର କିଛି ଲୋକପ୍ରିୟ ରଚନା ଭିତରେ ଥିଲା ଉତ୍କଳ ସନ୍ତାନ, ଜାତି ଇତିହାସ ଓ ଜନନୀର ଉକ୍ତି । କିନ୍ତୁ ଦୁଃଖର ବିଷୟ ଯେଉଁ ଆଖି ଓଡିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ ଦେଖିବାର ସ୍ବପ୍ନ ଦେଖିଆସିଥିଲା ସେହି ଆଖି ସ୍ୱତନ୍ତ୍ର ଓଡିଶା ଗଠନର ମାତ୍ର ଦୁଇ ବର୍ଷ ପୂର୍ବରୁ ହିଁ ବୁଜି ଯାଇଥିଲା ଆଉ ମାଟି ପାଇଁ ଛାଡି ଯାଇଥିଲା ଅସରନ୍ତି ସ୍ବପ୍ନ ।