ଆଜି ମା’ ଦିବସ, ଅମୃତମୟୀକୁ ବନ୍ଦନ ପାଇଁ ଦିନଟିଏ

ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଆଗରେ ସବୁ ତୁଚ୍ଛ ହେଇଯାଏ। ମାଆର ପ୍ରାର୍ଥନାରେ ଏତେ ଶକ୍ତି ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ବି ଆସିବାକୁ ଭୟ କରେ । ପାଖରେ ମା’ ଥିଲେ ସଂସାରରେ ସବୁକିଛି ନିଜ ପାଖରେ ଥିବା ପରି ଲାଗେ ।

କେନ୍ୟୁଜ୍(ବ୍ୟୁରୋ): ମା’ ଗୋଟିଏ ଶବ୍ଦରେ ଯେମିତି ଭରି ରହିଛି ବ୍ରହ୍ମାଣ୍ଡ ଯାକାର ଅମୃତ । କେବଳ ଶବ୍ଦଟିଏ ନୁହେଁ ବରଂ ଅସୀମ ବଳ, ଧର୍ଯ୍ୟ ଓ ସହନଶୀଳର ପ୍ରତୀକଟିଏ। ମୃତ୍ୟୁର କୋଳରେ ଶୋଇ ଯିଏ ଜୀବନକୁ ଜନ୍ମ ଦିଏ  ସେ ମା’। ମା’ର ଭଲ ପାଇବା, ତ୍ୟାଗ, ଓ ତପସ୍ୟା ଆଗରେ ଦୂନିଆରେ କିଛି ବି ସମତୂଲ ନାହିଁ ।  ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଆଗରେ ସବୁ ତୁଚ୍ଛ ହେଇଯାଏ। ମାଆର ପ୍ରାର୍ଥନାରେ ଏତେ ଶକ୍ତି ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ବି ଆସିବାକୁ ଭୟ କରେ । ପାଖରେ ମା’ ଥିଲେ ସଂସାରରେ ସବୁକିଛି ନିଜ ପାଖରେ ଥିବା ପରି ଲାଗେ । ସନ୍ତାନ ଯେତେ ବଡ଼ ଓ ପ୍ରତିଷ୍ଠିତ ହେଉନା କହିଁକି ମା ପାଇଁ ସେ ସେଇ କଅଁଳ ଶିଶୁ। ତେଣୁ ସନ୍ତାନ ଉପରକୁ ଯେବେ ବି କଷ୍ଟ ଆସେ ପ୍ରଥମେ ମା’ ହିଁ ସାମ୍ନାକୁ ଚାଲି ଆସେ ।  ପୁଅ ଯେତେ ଦୁଷ୍ଟ ଖଳ ପ୍ରକୃତିର ହେଉନା କାହିଁକି ମା ପାଇଁ ସେ କଳାକହ୍ନେଇ । ତା ପଣତ ଯେମିତି ବିଶ୍ବର ସବୁଠାରୁ ସୁରକ୍ଷିତ ସ୍ଥାନ। ସେଥିପାଇଁ ତ ଭଗବାନ ବି ମା’ର ତ୍ୟାଗ ଓ ତପସ୍ୟା ଆଗରେ ନତମସ୍ତକ ହୋଇଯାଆନ୍ତି।

ଆଜି ସେହି ମା ପାଇଁ ଦିନ ଟିଏ ମା’ ଦିବସ। ଏମିତିରେ ମା ପାଇଁ କୌଣସି ଦିନର ଆବଶ୍ୟକତା ନାହିଁ । କାହିଁକିନା ସବୁଦିନ ତ ମାର ଦିନ ତା ପାଇଁ ପୁଣି କଣ ସ୍ପେଶାଲ ଦିନ ? କିନ୍ତୁ ଆଜିର ସମାଜରେ ମା’ ପାଇଁ ଗୋଟିଏ ଦିନ କାଢି ତା ତ୍ୟାଗକୁ ବନ୍ଦନ କରିବା ପାଇଁ ଏଭଳି ଏକ ଦିନକୁ ବିଶ୍ବ ବ୍ୟାପି ପାଳନ କରାଯାଉଛି।  ପ୍ରତି ବର୍ଷ ମେ ମାସ ଦ୍ଵିତୀୟ ରବିବାର ମାଆ ପାଇଁ ଏହି ବିଶେଷ ଦିନଟି ପାଳନ କରାଯାଏ। ପ୍ରଥମେ ଆମେରିକାରେ ମା’କୁ ସମ୍ମାନ ଦେବା ଲାଗି ଉଦ୍ଦିଷ୍ଟ ଥିବା ଏହି ଦିନଟି ଆରମ୍ଭ ହେଲେ । ମା ଓ ମାତୃତ୍ୱକୁ ସମ୍ମାନ ଦେଇ ବିଶ୍ୱର ପ୍ରାୟ ୪୦ରୁ ଅଧିକ ଦେଶରେ ପାଳିତ ହେଉଛି ମାତୃ ଦିବସ ।