ପ୍ରଳୟ ନେଇ ଆସୁଛି ବାତ୍ୟା ମୋକା, ଧ୍ୱଂସ ହୋଇଯିବ ଶରଣାର୍ଥୀ ଶିବିର

ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ମୋକା । ଘଣ୍ଟାପ୍ରତି ୨୧୦ କିଲୋମିଟର ବେଗରେ ପବନ ବହିବ ବୋଲି ସୂଚନା ରହିଛି । ତେବେ ସବୁଠୁ ବଡ ବିପଦ ରହିଛି ବାଂଲାଦେଶରେ ଥିବା ଶରଣାର୍ଥୀ ଶିବିର ଉପରେ । ଏହା ଛାରଖାର ହୋଇଯିବ ।

ଭୟଙ୍କର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ମୋକା । ଅତି ଭୀଷଣ ରୂପ ନେଇ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ମୋକା । ଘଣ୍ଟାପ୍ରତି ୨୧୦ କିଲୋମିଟର ବେଗରେ ପବନ ବହିବ । ସମୁଦ୍ରରେ ଉଠିବ ୧୦ ଫୁଟ୍‌ରୁ ଅଧିକ ଉଚ୍ଚର ଜୁଆର । ବାଂଲାଦେଶର କୋକ୍ସ ବଜାର ଓ ମିଆଁମାରର କ୍ୟାୟୁକ୍ୟୁ ଉପକୂଳରେ ମଧ୍ୟାହ୍ନରେ ସ୍ଥଳଭାଗ ଅତିକ୍ରମ କରିବ । ପ୍ରବଳ ବର୍ଷା ପବନ ସହ ଭୂସ୍ଖଳନ ଭୟ ବି ଘାରିଛି । ଦୁଇ ଦଶନ୍ଧି ଭିତରେ ବାଂଲାଦେଶରେ ସବୁଠୁ ଅଧିକ ଶକ୍ତିଶାଳୀ ଜୁଆର ଉଠିବ । ଉପକୂଳବର୍ତ୍ତୀ ଏୟାରପୋର୍ଟ ବନ୍ଦ କରି ଦିଆଗଲାଣି । ପ୍ରାୟ ୧୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ବିଶ୍ୱର ସବୁଠୁ ବଡ଼ ଶରଣାର୍ଥୀ ଶିବିର ବାଂଲାଦେଶର କୋକ୍ସ ବଜାରକୁ ହିଟ୍‌ କରିପାରେ ବାତ୍ୟା । ଶରଣାର୍ଥୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଇଛି । ଏବେ ବାତ୍ୟା ମୋକା ବାଂଲାଦେଶର କୋକ୍ସ ବଜାର ଉପକୂଳରୁ ୪୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ମିଆଁମାର ଉପକୂଳରୁ ୩୧୦ କିଲୋମିଟର ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ଗତ ୬ ଘଣ୍ଟାରେ ବାତ୍ୟାର ବେଗ ରହିଛି ଘଣ୍ଟାପ୍ରତି ୧୭ କିଲୋମିଟର ।

ସ୍ଥଳଭାଗ ମୁହାଁ ହେବା ସହ ବାତ୍ୟା ଅତି ଭୟଙ୍କର ହେଉଛି, ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି । ବର୍ତ୍ତମାନର ତୀବ୍ରତା ଓ ଗତିକୁ ଦେଖିଲେ ସୁପର ସାଇକ୍ଲୋନ୍‌ ଅନୁମାନକୁ ଏଡାଯାଇ ନପାରେ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ । ବାତ୍ୟାର ବେଗ ଘଣ୍ଟାପ୍ରତି ୨୨୦ କିଲୋମିଟର ରହିଲେ ଏହାର ସୁପର ସାଇକ୍ଲୋନ୍‌ ବୋଲି କୁହାଯାଏ ।

ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ଅନୁମାନ, ବାତ୍ୟା ମୋକା ହରିକେନ କାଟାଗୋରୀ ୪ ସହ ସମାନ । ଲ୍ୟାଣ୍ଡଫଲ ବେଳେ ହରିକେନ କାଟାଗୋରୀ ୩ ଭଳି ଭୀଷଣ ରହିବ । ଏହାର ପ୍ରଭାବରେ କୋକ୍ସ ବଜାରରେ ବ୍ୟାପକ କ୍ଷୟକ୍ଷତି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.