Below header

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଘୁରି ବୁଲୁଛନ୍ତି ବୃଦ୍ଧା, ଚାଲିବା ପାଇଁ ଭଙ୍ଗା ଚେୟାର ପାଲଟିଛି ସାହାରା

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆ ଗୁଡ଼ା ଗାଁର ୭୦ ବର୍ଷର ସୂର୍ଯ୍ୟ ହରିଜନ। ଚାଲିବାକୁ ସକ୍ଷମ ନାହିଁ। ତେଣୁ ଭଙ୍ଗା ଚୌକିକୁ ଭରସା କରି ଦୁଇ ବର୍ଷ ହବ ଏମିତି ଚାଲୁଛନ୍ତି ବୃଦ୍ଧା ।

ଉମରକୋଟ (କେନ୍ୟୁଜ୍): ଅଣ୍ଟାରେ ବଳ ନାହିଁ, ଚାଲିବାକୁ ଶକ୍ତି ନାହିଁ । ତଥାପି ବୟସର ଅପରାହ୍ନରେ ଏକ ଭଙ୍ଗା ଚୌକିକୁ ଭରସା କରି ଖାଲି ପାଦରେ ଏକୁଟିଆ ଚାଲି ଚାଲି ଯାଉଛନ୍ତି ଅସହାୟ ବୃଦ୍ଧା ଜଣଙ୍କ। ଯେଉଁଠି ଥକି ପଡୁଛନ୍ତି  ସେଇଠି ସେହି ଚୌକିରେ ବସି ଟିକିଏ ବିଶ୍ରାମ ନେଇଯାଉଛନ୍ତି। ଏହି ବୃଦ୍ଧା  ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆ ଗୁଡ଼ା ଗାଁ ର ସୂର୍ଯ୍ୟ ହରିଜନ । ଚାଲିବାକୁ ସକ୍ଷମ ନ ହେବାରୁ ପ୍ରାୟ ଦୁଇ ବର୍ଷ ହବ ଏମିତି ଭଙ୍ଗା ଚୌକି ସାହାଯ୍ୟରେ ଚଲାବୁଲା କରୁଛନ୍ତି । ବୃଦ୍ଧାଙ୍କ ଜମି ବାଡ଼ି ବୋଲି କିଛିନାହିଁ । ଅତି ଦୟନୀୟ ଅବସ୍ଥାରେ ଏକ ମାଟି କୁଡ଼ିଆରେ ଜୀବନ ବିତାଉଛନ୍ତି ।

ସୂର୍ଯ୍ୟ ହରିଜନଙ୍କ ଦୁଇ ପୁଅ । ବଡ଼ ପୁଅ ପରିବାରର ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇଥିବା ବେଳେ ସାନପୁଅ ଗାଁରେ ଗାଈ ଚରେଇ ନିଜର ପରିବାର ପ୍ରତିପୋଷଣ କରିବା ସହ ମାଁଙ୍କୁ ଦୁଇ ଓଳି ଖାଇବାକୁ ଦେଉଛନ୍ତି । ତେବେ ସୂର୍ଯ୍ୟଙ୍କୁ ସରକାର ପକ୍ଷରୁ ଭତ୍ତା ୫୦୦ ଟଙ୍କା ମିଳୁଛି । କିନ୍ତୁ ଯେତେବେଳେ ସିଧା ସଳଖ ହାତରେ ଭତ୍ତା ଟଙ୍କା ମିଳୁଥିଲା ସେ ଟଙ୍କା ପାଇ ପରିବାର ଚଳି ଯାଉଥିଲା।  ତେବେ ବର୍ତ୍ତମାନ ଟଙ୍କା ବ୍ୟାଙ୍କ ଖାତାକୁ ଅନଲାଇନ୍ ରେ ଯିବା ପରେ  ବୃଦ୍ଧା ଙ୍କ ଅସୁବିଧା ଆରମ୍ଭ ହେଲା ।

chair

ବୃଦ୍ଧାଙ୍କ ବାମ ହାତର ଆଙ୍ଗୁଳି ପ୍ରିଣ୍ଟ ଠିକ୍ ମେଳ ଖାଉ ନଥିବା ରୁ ଅନେକ ମାସରେ ବ୍ୟାଙ୍କ ଭତ୍ତା ଟଙ୍କା ଦେଉନାହିଁ। ଯାହାଫଳରେ ୪ ମାସରୁ ଅଧିକ ହେବ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଇ ପାରିନାହାନ୍ତି ବୃଦ୍ଧା ଜଣକ। ଯାହାଫଳରେ ବହୁ କଷ୍ଟେ ମଷ୍ଟେ  ସୂର୍ଯ୍ୟ ଚଳୁଥିବାବେଳେ ଅତି ଦୁର୍ବିସହ ଜୀବନ କାଟୁଛନ୍ତି । ତେବେ ଭତ୍ତା ପାଇଁ ଯିବା ବେଳେ ଦିନେ ରାସ୍ତା ରେ ପଡ଼ି  ଯାଇ ଗୋଡ଼ ଭାଙ୍ଗି ଯିବାରୁ ବର୍ତ୍ତମାନ ଠିକ୍ ରେ ଚାଲି ପାରୁ ନାହାନ୍ତି  ସୂର୍ଯ୍ୟ । ଚାଲିବାକୁ ଅକ୍ଷମ ତଥାପି ବୃଦ୍ଧା ଜଣକ ଭତ୍ତା ପାଇଁ ଚୌକି ସହାୟତାରେ ଅନେକ ବାଟ ଚାଲି ଚାଲି ଯାଉଛନ୍ତି ।

ଅନ୍ୟ ପକ୍ଷରେ ବୃଦ୍ଧା ସୂର୍ଯ୍ୟ ବାରମ୍ବାର ପଂଚାୟତ କାର୍ଯ୍ୟଳୟ ରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ରେ ବିଭାଗୀୟ ଅଧିକାରୀ ମାନଙ୍କୁ ଯାଇ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ବେଳେ ସରକାରୀ ଯୋଜନା ବି କିଛି ମିଳୁନି । ତେବେ ଏ ସମ୍ପର୍କରେ ବାଣୁଆ ଗୁଡା  ସରପଞ୍ଚ  ଲଷ୍ମୀ ପୂଜାରୀଙ୍କୁ ପଚାରିବାରୁ  ଏଭଳି ଅସହାୟଙ୍କ ତାଲିକା କରି ସେମାନଙ୍କୁ ହାତାହାତି ଭତ୍ତା ଟଙ୍କା ଯୋଗେଇଦେବା ଲାଗି ଆଲୋଚନା କରାଯାଇଥିବା ସହ ଯଥାଶୀଘ୍ର ସୂର୍ଯ୍ୟ ହରିଜନ ଏବଂ ଅନ୍ୟ ଶାରୀରିକ ଅକ୍ଷମତା ଶଯ୍ୟାସାଈ ମାନଙ୍କୁ ଘରେ ଘରେ ଯାଇ ପେନସନ ଟଙ୍କା ଦିଆଯିବ ବୋଲି କହିଛନ୍ତି। ଏହା ସହ ସୂର୍ଯ୍ୟଙ୍କ ବିଷୟରେ ଝରିଗାଁ ବିଡିଓଙ୍କ ସହ ଆଲୋଚନା କରି ଆଶାବାଡି, ଟ୍ରାଇ ସାଇକେଲ ଯୋଗାଇ ଦିଆଯିବ ବୋଲି ମଧ୍ଯ କହିଛନ୍ତି ।

old

ବୟସର ଅପରାହ୍ନରେ ୭୦ ବର୍ଷର ଅସହାୟ ବୃଦ୍ଧା ଖୋଜୁଛନ୍ତି ବଞ୍ଚିବାର ସାହାରା। ଶରୀରର ପଞ୍ଜରା ହାଡ଼ ବି ଗଣି ହେଇଯାଉଛି । ଏଭଳି ଅବସ୍ଥାରେ ସାହାରା  ଦେବାକୁ କେହି ନାହିଁ । ତଥାପି ନିଜ ସମସ୍ୟାର ସମାଧାନ କରି ଜୀବନ ବଞ୍ଚିବା ପାଇଁ ଚେଷ୍ଟା ଜାରୀ ରଖିଛନ୍ତି  । ଯଥାଶୀଘ୍ର ସରାକାରୀ ଏହି ବୃଦ୍ଧାଙ୍କ ଉପରେ ଦ୍ରୁଷ୍ଟି ପକାଇ ସମସ୍ଯାର ସମାଧାନ କରିବା ନିହାତୀ ଅଆବାଶ୍ଯକ  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.