କେନ୍ୟୁଜର ପ୍ରଭାବ, ଖବର ପ୍ରସାରଣ ପରେ ମାମୁନି ଖାତୁନଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ପ୍ରତାପ ନନା

ଜଳେଶ୍ୱର (କେନ୍ୟୁଜ) : ସାହାଯ୍ୟର ହାତ ବଢ଼ାଇଲେ ନନା। କେନ୍ୟୁଜଓଡିଶାରେ ଖବର ପ୍ରସାରଣ ପରେ ଗରୀବ ମୁସଲିମ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସୂନାରୁଇ ଗ୍ରାମର ଏକ ଗରୀବ ମୁସଲିମ ପରିବାରର ଝିଅ ହେଉଛନ୍ତି ମାମୁନି ଖାତୁନ।

ଧର୍ମ ଅଲଗା ହେଲେ ବି ବିଭିନ୍ନ ମନ୍ତ୍ର ଓ ଭଜନରେ ପାରଙ୍ଗମ ସେ । ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରିବା ସହ ନମାଜ ପାଠ ବି କରନ୍ତି । ମୁସଲିମ୍ ପରିବାରରେ ଜନ୍ମ ହୋଇ ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରୁଥିଲେ ବି ପରିବାର ଲୋକ କେବେ ବିରୋଧ କରିନାହାନ୍ତି ମାମୁନିକୁ। ଭବିଷ୍ୟତରେ ଜଣେ ସଂସ୍କୃତ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ମାମୁନି । ହେଲେ ଆର୍ଥିକ ସମ୍ବଳ ନଥିବାରୁ ଆଗକୁ ବଢିପାରୁନାହାନ୍ତି । ଭଙ୍ଗା ଚାଳ ଛପର ଘରେ ଦିନ ବିତାଉଛନ୍ତି ମାମୁନିଙ୍କ ପରିବାର । ମାଟ୍ରିକରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ କଲେଜରେ ନାମ ଲେଖାଇଛନ୍ତି । ଦୁଃଖ କଷ୍ଟ ସତ୍ତ୍ୱେ ଝିଅକୁ ପାଠ ପଢାଉଛନ୍ତି ପରିବାର ।

ମାମୁନିଙ୍କ ଏହି ଦୁଃଖଭରା କାହାଣୀ ଶୁଣିବା ପରେ ପ୍ରଥମେ ତାଙ୍କୁ ଭେଟିଥିଲେ ଆମ କେନ୍ୟୁଜଓଡିଶାର ପ୍ରତିନିଧି ରାଧାଗୋବିନ୍ଦ ଦାସ। ତାଙ୍କର ଏହି ସଘର୍ଷମୟ କାହାଣୀକୁ ପ୍ରଥମେ କେନ୍ୟୁଜଓଡିଶାରେ ପ୍ରସାରଣ କରିବା ପରେ କୋଣଅନୁକୋଣରୁ ମାମୁନିଙ୍କୁ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି।
ଆଜି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମାମୁନିଙ୍କ ଘରେ ପହଞ୍ଚି ତାଙ୍କର ଉଚ୍ଚଶିକ୍ଷା ପାଇଁ ସମସ୍ତ ପଢା ଖର୍ଚ୍ଚ ଏବଂ ପକ୍କାଘର ନିର୍ମାଣ ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାର ପ୍ରତିଶୃତି ଦେଇଛନ୍ତି। ଏଥିପାଇଁ ମାମୁନି ଏବଂ ତାଙ୍କ ପରିବାର ଲୋକେ କେନ୍ୟୁଜଓଡିଶାକୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.