Below header

ଏଠି ଜଳଯାତନା, ସକାଳ ହେଲେ ଅନ୍ୟ ଗାଁକୁ ପାଣି ପାଇଁ ଚାଲନ୍ତି ମହିଳା

ଉଦଳା (କେନ୍ୟୁଜ) : ରାତି ପାହିଲେ ଘର କାମ ଛାଡି ଅନ୍ୟ ଗାଁକୁ ଦୌଡ଼ନ୍ତି ମହିଳାମାନେ । ହାତରେ ଗରା, ବାଲଟି ଧରି ଏକମୁହାଁ ହୋଇ ଚାଲନ୍ତି ସମସ୍ତେ। ଥାଏ ଗୋଟିଏ ଲକ୍ଷ୍ୟ, ପିଇବା ପାଇଁ ପାଣି। ପାଣି ଏମିତି ଏକ ଜିନିଷ ଯାହା ବିନା ସୃଷ୍ଟି ବିନାଶ। ମଣିଷ ଠାରୁ ଆରମ୍ଭ କରି ଜୀବ ଜନ୍ତୁ, ପଶୁପକ୍ଷୀ, ଗଛଲତା ସବୁ ପାଣି ବିନା ହାହାକାର ହୁଅନ୍ତି। ଏଠାକାର ଲୋକେ ଭୋଗୁଛନ୍ତି ଜଳଯାତନା। ଯିଏ ଆଗ ପହଁଚିଲା ତା ଭାଗ୍ୟ ଟାଣ। କାହିଁକିନା ୫,୬ ଗରା ଭର୍ତ୍ତି ପରେ ବାହାରେ ନାଲି ପାଣି।

ଏବେ ଚାରିଆଡେ ଧୁ ଧୁ ଖରା। ଏହି ଖରାଦିନରେ ଜଳସଂକଟ ଏମାନଙ୍କୁ ଦେଇଛି ଚିନ୍ତାରେ। ପିଲାଠୁ ବଡ ପର୍ଯ୍ୟନ୍ତ ସମସ୍ତେ ପାଣି ପାଇଁ କରୁଛନ୍ତି ଚିନ୍ତା। ଏ ଘଟଣା ହେଉଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଜେଏସ୍ ଜାମୁଡିହା ପଞ୍ଚାୟତର କୁଲଡିହି ଗାଁରେ। ଏହି ଗାଁରେ ବସବାସ କରନ୍ତି ପ୍ରାୟ ୫୦ ରୁ ଅଧିକ ପରିବାର। ସମସ୍ତଙ୍କୁ ପାଣି ଚିନ୍ତା। କାହିଁକିନା ପାଣି ବୁନ୍ଦାଏ ପାଇଁ ଏମାନଙ୍କୁ କରିବାକୁ ପଡୁଛି ସଂଘର୍ଷ। ଗାଁରେ ଗୋଟିଏ ନଳକୂପ ଅଛି କିନ୍ତୁ ତାହା ନାମକୁ ମାତ୍ର। କାହିଁକିନା ନଳକୂପଟି ଆରମ୍ଭରୁ ହିଁ ଅଚଳ ହୋଇଥିବାବେଳେ ସେଥିରୁ ବୁନ୍ଦାଏ ବି ପାଣି ବାହାରିନି ଏଯାଏଁ। ପାଣି ପାଇଁ ଅନ୍ୟ କୌଣସି ସୁବିଧା ମଧ୍ୟ ନାହିଁ। ତେଣୁ ସକାଳ ହେଲେ ଗ୍ରାମବାସୀମାନେ ଗାଁ ଠାରୁ ଗୋଟେ କିଲୋମିଟର ଦୂରରେ ଥିବା ବନ୍ଧସାହି ଗାଁ ନଚେତ ଅନ୍ୟ କୌଣସି ଗାଁ ଯାଆନ୍ତି ପାଣି ଗରେ ପାଇଁ।

ସେଠାରେ ଲୋକେ ପୂର୍ବରୁ ପାଣି ନେଉଥିବାରୁ ଏମାନଙ୍କୁ ଧାଡିରେ ରହିବାକୁ ପଡିଥାଏ । ଯିଏ ଆଗ ପହଂଚିଲା ସିଏ ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ପାଇଲା । କାରଣ ୫ ରୁ ୬ ଗୋଟି ଗରା ଭର୍ତି ହେବା ପରେ ଉକ୍ତ ନଳକୂପରୁ ଲାଲ ପାଣି ବାହାରିଥାଏ । ଯାହା ପାନୀୟ ଉପଯୋଗୀ ନୁହେଁ । ତେଣୁ ଏଠାରେ ପାଣି ପାଇଁ ଏକ ପ୍ରକାର ପ୍ରତିଯୋଗିତା ଚାଲେ । ଯିଏ ଆଗ ପହଂଚିଥିଲା ତାର ଭାଗ୍ଯ ଟାଣ । ଅନ୍ଯମାନେ ସେହି ଲାଲ ପାଣିକୁ ଆଣି ଫୁଟାଇ ତାହାକୁ ପାନୀୟ ଜଳ ଭାବେ ବ୍ଯବହାର କରିଥାନ୍ତିା

ବାରମ୍ବାର ବ୍ଲକ ପ୍ରଶାସନଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଯାଇଥିଲେ ଏ ଗାଁ ଲୋକଙ୍କ ପାଣି କଷ୍ଟ ସେମାନଙ୍କ ହୃଦୟକୁ ବାଧୁ ନାହିଁ ବୋଧହୁଏ । ତେଣୁ କୁଲଡିହି ଗାଁ ଲୋକଙ୍କ ଜଳଯାତନା ବାବଦରେ ପଚାରି ବୁଝିବାକୁ ଆମେ ପହଂଚିଥିଲୁ କପ୍ତିପଦା ବିଡିଓଙ୍କ ପାଖରେ । ପୂରା ଘଟଣା ଶୁଣିବା ପରେ ଚିରାଚରିତ ଢଙ୍ଗରେ କହିଥିଲେ ଖୁବ୍‌ ଶୀଘ୍ର ପାନୀୟ ଜଳ ଯୋଗାଇ ଦିଆଯିବ । … ତେବେ ବିଡିଓଙ୍କ କଥାକୁ ସମ୍ମାନ ଦେଇ ଆମେ କିଛି ଦିନ ଅପେକ୍ଷା କରୁଛୁ । ଯଦି ଏହି ଗାଁର ସମସ୍ୟା ଦୂର ନହେଲୋ ତେବେ ଆମେ ପୁଣି ବିଡିଓଙ୍କୁ ଘେରିବୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.