ବିନା ଚାବିରେ, ହ୍ୟାଣ୍ଡେଲ ଲକ୍ ପଡିଥିବା ସତ୍ୱେ ଆପେ ଆପେ ଚାଲୁଛି ବାଇକ୍! ଭାଇରାଲ୍ ହେଉଛି ଭିଡିଓ

ମାଲକାନଗିରି (କେନ୍ୟୁଜ୍‌) : ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ୍ ଭିଡିଓ ଆମେ ମାନେ ଦେଖିଥାଉ। ବିଶେଷ କରି ଭୂତ,ପ୍ରେତ କୁ ନେଇ ଆସୁଥିବା ଭିଡିଓକୁ ଦେଖିବାକୁ ଆମ ମାନଙ୍କ ଭିତରେ ବେଶ୍ ଉଚ୍ଛୁକତା ଥାଏ। ବେଳେବେଳେ  କିଛି ଭିଡିଓ ଫେକ୍ ଲାଗିଥାଏ ତ ଆଉ କେତେବେଳେ ଏକଦମ୍ ସତ ଭଳି ମାନେ ହୁଏ। ତେବେ କହିବାକୁ ଗଲେ ଭୂତ,ପ୍ରେତକୁ କିଏ ବା ନଡରେ। ତେବେ ଥରେ ଭାବିଲେ ଯଦି କେତେବେଳେ ଆପଣଙ୍କ ବାଇକଟିକୁ ବିନା ଚାବିରେ,ହ୍ୟାଣ୍ଡେଲ ଲକ୍ ପଡିଥିବା ସତ୍ୱେ ଭୂତ ଡ୍ରାଇଭ କରେ? ତେବେ  ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖାଯାଉଛି କି, କେମିତି ମଧ୍ୟ ରାତିରେ ଆପେ ଆପେ ଚାଲୁଛି ବାଇକ୍ । ବିନା ଚାଳକରେ ବାଇକ୍  ଚାଲିବା ଭଳି ଘଟଣା ଯେତିକି ରହସ୍ୟମୟ ଭଳି ଲାଗୁଥିଲେ ବି କଥାଟି କିନ୍ତୁ ସତ । ଏଭଳି ଏକ ଅଦ୍ଭୁତ ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚିତ୍ରକୋଣ୍ଡା ସଦରମହକୁମାର ଦୈନିକ ବଜାର ମାର୍କେଟର ଚିତ୍ରକୋଣ୍ଡା ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ  ଦୋକାନଟିଏ କରି ନିଜର ପରିବାର ପ୍ରତିପୋଷଣ କରନ୍ତି ବ୍ୟବସାୟୀ ସୁରେନ୍ଦ୍ର ଦାସ । ଗତ କିଛି ଦିନ ହେବ ସେ ନିଜ ଘର ମରାମତି କରୁଥିବାରୁ ତାଙ୍କ ମୋଟର ସାଇକେଲଟିକୁ ଗତ ୩ତାରିଖ ରାତି ୮ଟା ସମୟରେ  ଘର ଆଗରେ ଥିବା ସୀତାରାମ ଏଣ୍ଟରପ୍ରାଇସେସ ନାମକ ଏକ ଦୋକାନ ସମ୍ମୁଖରେ ହ୍ୟାଣ୍ଡେଲ ଲକ କରି ପାର୍କିଂ କରିଥିଲେ । ତେବେ୪ ତାରିଖ ଭୋର ସକାଳୁ ଉଠି ଦେଖନ୍ତି ଯେ ନିଜ ମୋଟର ସାଇକେଲଟି ଯାଇ କିଛି ଦୂରରେ ପଡିଛି।

ତେବେ ଏନେଇ ସେ ତାଙ୍କ ପୁଅକୁ ଡାକି ବାଇକଟିକୁ ଉଠାଇବାକୁ କହିଥିଲେ ଏବଂ ତାପରେ ସୁରେନ୍ଦ୍ର ଫୁଲ ତୋଳିବାକୁ ଚାଲି ଯାଇଥିଲେ। ତେବେ ପୁନଶ୍ଚ ସେହିଦିନ ରାତିରେ ମଧ୍ୟ ସେ ନିଜ ମୋଟର ସାଇକେଲଟିକୁ ଉକ୍ତ ସ୍ଥାନରେ ପାର୍କିଂ କରିଥିଲେ ଏବଂ ସକାଳୁ ଉଠି ଦେଖନ୍ତି ଯେ ପୂର୍ବ ଦିନ ଭଳି ସେହିଦିନ ମଧ୍ଯ ମୋଟର ସାଇକେଲ ଟି ପାର୍କିଂ କରିଥିବା ଜାଗାରୁ ଅଳ୍ପ ଦୂରରେ ଯାଇ ପଡିଛି। ବାରମ୍ବାର ଏଭଳି ହେଉଥିବା ଦେଖି ସେ ଘଟଣା ସମ୍ପର୍କରେ ସୀତାରାମ ଏଣ୍ଟରପ୍ରାଇସେସର ମାଲିକ ସୁନୀଲଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ସେ ଭାବିଥିଲେ କିଏ ବୋଧେ  ଜଣେ ଜାଣି ଶୁଣି ଏଭଳି ବଦମାସ କାମ କରୁଛି ।

ତେବେ ଶେଷରେ ସିତରାମ ଏଣ୍ଟରପ୍ରାଇସେସରେ ଲାଗିଥିବା ସି ସି ଟିଭି ଯାଞ୍ଚ କରାଯାଇଥିଲା । ଆଉ ସି ସି ଟିଭି ରେ ଘଟଣା ସମୟର ଦୃଶ୍ୟ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହ୍ୟାଣ୍ଡେଲ ଲକ୍ ଥିବା ସତ୍ୱେ ବିନା ଚାଳକରେ ମୋଟର ସାଇକେଲ ଟି ଷ୍ଟାର୍ଟ ହୋଇ କିଛି ଦୂର ଆଗକୁ ଯିବା ସହ ଓଲଟି ପଡୁଥିଲା। ପୂର୍ବ ଦିନ ଭଳି ଦ୍ଵିତୀୟ ଦିନ ମଧ୍ୟ ମୋଟର ସାଇକେଲଟି ସେଭଳି ଆଗକୁ ଯାଇ ଓଲଟି ପଡ଼ିଥିଲା। ବିଜ୍ଞାନ ଯୁଗରେ ଏଭଳି ଏକ ଅଦ୍ଭୁତ ଘଟଣା ସମ୍ପର୍କରେ ଚାରିଆଡେ ଏବେ ଆଲୋଚନା ଚାଲିଥିବାବେଳେ ଏହି ଘଟଣାର ଭିଜୁଆଲ୍ ଏବେ ଭାଇରାଲ ହେବାରେ ଲାଗିଛି।