Below header

କରୋନା ସତରେ କିଛି ବାର୍ତ୍ତା ଦେଉଛି କି ମଣିଷ ସମାଜକୁ ? ବୁଝିବା ଲୋକେ ବୁଝି ଯାଆନ୍ତୁ

କରୋନା । ଏଇ ନାଁଟି ଆଉ କାହା ପାଇଁ ନୂଆ ହୋଇ ନାହିଁ । ମହାମାରୀ ରୂପରେ ସାରା ବିଶ୍ୱକୁ ଘାଇଲା କରି ଚାଲିଛି । ହେଲେ ଏହାକୁ ରୋକିବାର ଶକ୍ତି କାହା ପାଖରେ ବି ନାହିଁ । ଚିକିତ୍ସା ବିଜ୍ଞାନ ବି ହାରି ଯାଇଛି କରୋନା ପାଖରେ । କେମିତି ଆସୁଛି, କାହାକୁ ଗ୍ରାସୁଛି ପୁଣି କାହାକୁ ନେଇ ଯାଉଛି ତ ଆଉ କାହାକୁ ଛାଡ଼ି ଦେଉଛି । ଏବେ ଏଭଳି ଅବସ୍ଥା ମଣିଷ ସମାଜ ପାଇଁ ।

ତେବେ ଏହାକୁ ନେଇ ମନକୁ ପ୍ରଶ୍ନ ଆସୁଛି ଏମିତି କାହିଁକି ହେଲା ? ଏତେ ଜ୍ଞାନୀ ମଣିଷ, ବିଜ୍ଞାନରେ ଧୁରନ୍ଧର ତଥାପି କାହିଁକି କରୋନାର ମୂଳ ଖୋଜି ପାଉନି ? ପ୍ରତିଦିନ ଏହାକୁ ନେଇ ନୂଆ ତଥ୍ୟ ଆସୁଛି । ନୂଆ ନୂଆ କଥା ଶୁଣିବାକୁ ମିଳୁଛି । ବିଶେଷଜ୍ଞଙ୍କ ବିଶ୍ଳେଷଣ ବି ହାରି ଯାଉଛି । ମଣିଷ ଥଳକୂଳ ପାଉନି କରୋନାକୁ ନେଇ । ଜ୍ୟୋତିଷଙ୍କ ଅଙ୍କକୁ ଭୁଲ ପ୍ରମାଣିତ କରୁଛି ଏଇ ରୋଗ ।

NATURE-2

ସେ ମାଳିକା ହେଉ କି ଆଉ କାହାର ଭବିଷ୍ୟବାଣୀ ତାକୁ ନେଇ ତର୍ଜମା ଚାଲିଛି । ହେଲେ ଠୋସ୍‌ କଥା ବା ତଥ୍ୟ କାହା ପାଖରେ ନାହିଁ । ଯଦି ଆମେ କିଛି କଥାକୁ ତର୍ଜମା କରିବା ତେବେ ବେଶ୍‌ କିଛି ବୁଝି ହେଲା ଭଳି ତଥ୍ୟ ସାମନାକୁ ଆସିବ । ଯେମିତିକି ଏହି ରୋଗର ଏକ ଲକ୍ଷଣ ହେଉଛି କିଛି ସ୍ୱାଦ ଲାଗିବନି ଆଉ ଗନ୍ଧବି ବାରି ହେବ ନାହିଁ । ଏହାର ଅର୍ଥ କଣ ହୋଇ ପାରେ ? ଚିକିତ୍ସା ବିଜ୍ଞାନ ଏହାକୁ ଭୂତାଣୁ ଜନିତ ବିକାର କହି ପାରନ୍ତି । ହେଲେ ଆଧ୍ୟାତ୍ମବାଦୀମାନେ କିଛି ଅନ୍ୟ କଥା କହୁଛନ୍ତି । ଯେମିତି କି ମଣିଷ ଭିତରେ ଥିବା ଲୋଭ ମୋହକୁ ହଟାଇବାର ଏକ ଏକ କାରଣ ହୋଇ ପାରେ ।

ଆମେ ପାଟିର ସ୍ୱାଦ ପାଇଁ ଅନେକ କିଛି ଖାଦ୍ୟ ଖାଉଛୁ । କେବଳ ବଞ୍ଚିବା ପାଇଁ ଖାଉ ନାହୁଁ ଯେମିତି ଖାଇବା ପାଇଁ ବଞ୍ଚିଛୁ । ଆଉ ଯଦି ସବୁ ଦିନ ପାଇଁ ଆମ ଜିଭର ସ୍ୱାଦ ବାରିବା ବ୍ୟବସ୍ଥାଟି ଦେହ ଭିତରୁ ହଜିଯାଏ ତେବେ କଣ ହେବ ? ଆମେ ଯାହା ବି ଖାଇବା ତାର ସ୍ୱାଦ ବାରି ପାରିବା ନାହିଁ । ତେଣୁ ସେ କ୍ଷେତ୍ରରେ ଯାହା ଖାଇଲେ ଚଳିବ ସ୍ଥିତି ଆସିଯିବ ।

ସେହିପରି କୌଣସି ବାସ୍ନା ବି ଆମେ ଯଦି ବାରି ପାରିବା ନାହିଁ ତେବେ ଆମେ ନିଜକୁ କିଭଳି ସ୍ଥିତରେ ପାଇବା ? ଅବଶ୍ୟ ଏ ଦୁଇଟି ଯାକ କଥା ଆମ ଭିତରୁ ଅନେକ ଲୋକ ବୁଝି ସାରିଥିବେ । ଅନୁଭବ କରି ସାରିଥିବେ । କାରଣ ସେମାନେ କରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି ।

NATURE-3

ଯେତେବେଳେ କିଛି ଘଟଣା କି ଦୁର୍ଘଟଣା ଘଟେ ଲୋକେ କୁହନ୍ତି ଘୋର କଳି କାଳ । ଆଉ କରୋନା ଆସିବା ପରେ ଆଲୋଚନା ଚାଲିଛି ଯେମିତି କଳିଯୁଗ ଶେଷ ହେବାକୁ ଯାଉଛି । କାରଣ ଯାହା ସବୁ ନହେବା କଥା ସେ ସବୁ ଘଟି ଚାଲିଛି ଏଇ କରୋନା କାଳରେ । ଲୋକେ ପୋକ ମାଛି ଭଳି ମରୁଛନ୍ତି । କିଏ ମାଳିକା ଭବିଷ୍ୟବାଣୀ ସହ ବର୍ତ୍ତମାନର ପରିସ୍ଥିତିକୁ ମିଳାଉଛି ତ ଆଉ କିଏ ସତ୍ୟଯୁକ ଆରମ୍ଭ ହେବ ବୋଲି କହୁଛି ।

ତେବେ ଏମିତି ଆଲୋଚନା ତ ଚାଲିବ । କାରଣ ଯେତେବେଳେ କୌଣସି ସମସ୍ୟାର ସମାଧାନ ପାଇଁ ବାଟ ନମିଳେ ସେତେବେଳେ ଏଭଳି କଥା ସବୁ ଉଠେ । ଅତୀତରେ ହଇଜା ହେଉ କି ପ୍ଲେଗ୍‌ ଅବା ଅନ୍ୟ ମହାମାରୀ ଏଭଳି ଭୟଙ୍କର ସ୍ଥିତି ଉପୁଜିଛି ସାରା ବିଶ୍ୱରେ । ଯାହାକୁ ଅତିକ୍ରମ କରିଛି ଏହି ମଣିଷ ସମାଜ । କରୋନାକୁ ବି ପଛରେ ପକାଇ ଦେବ । ହେଲେ କିଛି କଥା ତ କରୋନା ପରିସ୍ଥିତି ଆମକୁ ଶିଖାଇଛି । ତାକୁ ଆମେ ପ୍ରକୃତରେ ମାନୁଛନ୍ତି କି ? ଏକଥା ସିଦ୍ଧ ହୋଇ ସାରିଛି ଯେ ପ୍ରକୃତିକୁ ଅବମାନନା କଲେ ତାର ପରିଣାମ ଭୋଗିବାକୁ ପଡ଼େ । ଯାହା ଏବେ ବାରମ୍ବାର ଘଟି ଚାଲିଛି ।

ପରିସ୍ଥିତି ଏଭଳି ହେଲା ଯେ ମଣିଷ ତୁଣ୍ଡି ବାନ୍ଧି ଘରେ ବନ୍ଦୀ ଜୀବନ ବିତାଇଲା । ଆଉ ବାହାରକୁ ବାହାରିବା ମୁସ୍କିଲ ହୋଇଗଲା । ହେଲେ ଯଦି ଭଲ କରି ଚିନ୍ତା କରିବେ ତେବେ ଘରେ କି ବାହାରେ କେଉଁଠି ବି ଆଶ୍ୱସ୍ତି କି ନିସ୍ତାର ମିଳିଲା ନାହିଁ ମଣିଷକୁ । ଶେଷର କରୋନାକୁ ନଡରି ପଦାକୁ ବାହାରିବାକୁ ବାଧ୍ୟ ହୋଇଛି ମଣିଷ । ଏ ବିଶ୍ୱ ଉପରେ ମଣିଷ ଭଳି ସବୁ ପ୍ରାଣୀଙ୍କର ସମାନ ଅଧିକାର ରହିଛି । ହେଲେ ଅନ୍ୟର ଅଧିକାର ଛଡ଼ାଇ ନେଇଛି ମଣିଷ । ଯାହାର ଫଳ ଭୋଗିବାକୁ ହିଁ ପଡ଼ିବ ।

NATURE-4

ପ୍ରକୃତି ରାଗିଲେ କେବଳ ଧ୍ୱଂସଲୀଳା ହିଁ ସୃଷ୍ଟି ହେବ, ଏକଥା ଆମେ ଅନୁଭବ କରୁଛନ୍ତି । ହେଲେ ସଚେତନ ହେଉ ନାହାନ୍ତି । ଯଦି ମଣିଷ ଭଲ ଭାବେ ଚିନ୍ତା କରିବ ତେବେ ଏକଥା ସମ୍ପୂର୍ଣ୍ଣ ବାସ୍ତବ ଲାଗିବ ଯେ ଏଇ ପ୍ରକୃତି ମଣିଷ ତଥା ସମସ୍ତ ପ୍ରାଣୀ ପାଇଁ ସବୁ କିଛି ଖଞ୍ଜି ଦେଇଛି । ହେଲେ ମଣିଷର ଲୋଭ ହିଁ ମଣିଷକୁ ଖାଉଛି । ଆବଶ୍ୟକତା ଠାରୁ ଅଧିକ ଚାହିଁବି ହିଁ ମଣିଷ ପାଇଁ କାଳ ହୋଇଛି । ଯାହା ପ୍ରକୃତିର ବରଦାସ୍ତ ବାହାରେ ହୋଇଗଲାଣି । ମଣିଷର ପ୍ରକୃତି ସହ ଯେମିତି ପ୍ରକୃତିର ଲାଗିଛି ଯୁଦ୍ଧ । ଲାଗୁଛି ଏବେ ସତର୍କ ହେଲେ ବି ଯେମିତି ବିଳମ୍ବ ହୋଇଗଲାଣି । ଆଉ ନିସ୍ତାର ନାହିଁ । ଦେଖିବାକୁ ବାକି ରହିଲା ଏଭଳି ସ୍ଥିତିରେ କିଏ ଜିତୁଛି ମଣିଷର ପ୍ରକୃତି ନା ଈଶ୍ୱରଙ୍କ ପ୍ରକୃତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.