ଅଚାନକ ରାସ୍ତା ଉପରେ ଆସି ଗଦା ହୋଇଗଲା ୨୯,୦୦୦ କେଜି ଗାଜର, ନେବାକୁ କେହି ଆସୁନାହାନ୍ତି; ଫଟୋ ଭାଇରାଲ

ଲଣ୍ଡନର ରାସ୍ତାରେ ଗାଜରର ପାହାଡ଼ ଦେଖିବାକୁ ମିଳିଛି। ଏତେ ମାତ୍ରାରେ ଗାଜର ଗଦା ହୋଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଗାଜରକୁ କିଏ ଓ କାହିଁକି ଏଭଳି ବାହାରେ ଫିଙ୍ଗିଛି ସମସ୍ତେ ସେ ନେଇ ପ୍ରଶ୍ନ କରୁଛନ୍ତି। ଗଦା ହୋଇଥିବା ଗାଜର ପରିମାଣ ପ୍ରାୟ ୨୯,୦୦୦ କିଲୋଗ୍ରାମ୍‌ ହେବ ବୋଲି ଜଣାପଡ଼ିଛି। ଭାଇରାଲ ହେଉଥିବା ଫଟୋ ଦକ୍ଷିଣ ଲଣ୍ଡନର ଗୋଲ୍ଡସ୍ମିଥ୍‌ସ କଲେଜ ସାମ୍ନାର। କୁହାଯାଉଛି ଯେ ଏତେ ପରିମାଣର ଗାଜରକୁ ଏଠାରେ ଏକ ଟ୍ରକ ଆଣି ଫିଙ୍ଗି ଦେଇଯାଇଛି।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ କଲେଜ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି। କଲେଜ ତରଫରୁ କୁହାଯାଇଛି ଏହି ଗାଜର ଜଣେ ଛାତ୍ର ଆର୍ଟ ଇନ୍‌ଷ୍ଟଲେସନ୍‌ କରିବାକୁ ମଗାଇଥିଲେ। ଏହାକୁ ଗ୍ରାଉଣ୍ଡିଙ୍ଗ୍‌ କୁହାଯାଏ। ଏହାକୁ କିଛି ଛାତ୍ରଙ୍କ ସହ ମିଶି ଏମ୍‌ଏଫ୍‌ଏର ଛାତ୍ର ରାଫେଲ ପେରେଜ୍‌ ଇବାନ୍ସ ତିଆରି କରିଛନ୍ତି। ଏହା ଏମ୍‌ଏଫ୍‌ଏ ଡିଗ୍ରୀ ଶୋ’ର ଏକ ଅଂଶ ବୋଲି କଲେଜ ତରଫରୁ କୁହାଯାଇଛି। ଏହି ଶୋ’ରେ ସେମାନେ କୃଷକଙ୍କୁ ତାଙ୍କ ଫସଲର ଉଚିତ ମୂଲ୍ୟ ମିଳୁନଥିବାରୁ ସେମାନେ କିଭଳି ଗାଜରକୁ ନେଇ ରାସ୍ତାରେ ବିରୋଧ ପ୍ରଦର୍ଶନ କରୁଛନ୍ତି ତାହା ଦର୍ଶାଯାଇଛି।


ଏନେଇ ରାଫେଲ କହିଥିଲେ ଯେ ଏହି ଗାଜର ଖାଇବା ଯୋଗ୍ୟ ନୁହେଁ। ଏଥିରୁ କିଛି ଭାଙ୍ଗି ବି ଯାଇଛି। ଶୋ’ ପରେ ଗାଜରକୁ ପଶୁ ପକ୍ଷୀଙ୍କୁ ଖାଇବାକୁ ଦିଆଯିବ ବୋଲି ସେ କହିଥିଲେ। କିନ୍ତୁ ଶୋ’ ସରିଥିଲେ ମଧ୍ୟ ଏବେ ବି ଏତେ ସଂଖ୍ୟାରେ ଗାଜର କଲେଜ ସାମ୍ନାରେ ଗଦା ହୋଇଛି। କିଛି ଛାତ୍ର ଏହି ଗାଜର ସାମ୍ନାରେ ସେଲ୍ଫି ଉଠାଉଥିବା ବେଳେ ଆଉ କିଛି ଗାଜରକୁ ପ୍ୟାକ୍‌ କରି ଘରକୁ ରାନ୍ଧିବାକୁ ନେଉଥିବା ଦେଖାଯାଇଛି।

ଅନ୍ୟପଟେ ଏତେ ସଂଖ୍ୟକ ଗାଜର ନଷ୍ଟ ହୋଇଥିବାରୁ କିଛି ସ୍ୱେଚ୍ଛାସେବୀ ସଂଗଠନ ଏହାକୁ ବିରୋଧ କରିଛନ୍ତି। ସେମାନେ ଏହି ଗାଜରକୁ ଭୋକିଲା ଲୋକଙ୍କୁ ବାଣ୍ଟିବାକୁ ଦାବି କରିଛନ୍ତି।