Below header

ମୁମ୍ବାଇରେ କଙ୍ଗାରୁ ଧମାକା, ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଠାରୁ ଭାରତ ୧୦ ଓ୍ଵିକେଟ୍‌ରେ ହାରିଲା

ମୁମ୍ବାଇ : ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା । ଆଜି ଏଠାରେ ଖେଳା ଯାଇଥିବା ପ୍ରଥମ ଦିବାରାତ୍ର ଦିନିକିଆ ମ୍ୟାଚ୍‌ରେ ଘରୋଇ ଦଳକୁ ଶୋଚନୀୟ ଭାବେ ୧୦ ଓ୍ଵିକେଟ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ବିଜୟୀ ହୋଇଛି । ଦୁଇ ଓପ୍ନର ଏଭଳି ବ୍ୟାଟିଂ କଲେ ଯେ ଭାରତୀୟ ବୋଲର୍‌ମାନେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଦେଲେ । ଡେଭିଡ୍‌ ଓ୍ଵାର୍ଣ୍ଣର ଏବଂ ଅଧିନାୟକ ଆରୋନ୍‌ ଫିଞ୍ଚ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ୨୫୬ ରନ୍‌ର ବିଜୟଲକ୍ଷ୍ୟରେ ପହଞ୍ଚାଇ ଦେଲେ । ଓ୍ଵାର୍ଣ୍ଣର ୧୧୨ ବଲ୍‌ରୁ ୧୨୮ ରନ୍‌ (୧୭ ଚୌକା ଓ ୩ ଛକା) ଏବଂ ଫିଞ୍ଚ ୧୧୪ ବଲ୍‌ରୁ ୧୧୦ ରନ୍‌ (୧୩ ଚୌକା, ୨ ଛକା) ସ୍କୋର କରିଛନ୍ତି । ଫିଞ୍ଚ୍‌ଙ୍କୁ ମିଳିଛି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ।
ହାତରେ ଆହୁରି ୭୪ ବଲ୍‌ ବାକି ଥାଇ ଅଷ୍ଟ୍ରେଲିଆ ଦଳ ୩୭.୪ ଓଭରରେ ବିଜୟଲକ୍ଷ୍ୟରେ ପହଞ୍ଚି ଯାଇଥିଲା । ଦିନିକିଆ କ୍ରିକେଟ୍‌ ଇତିହାସରେ ତୃତୀୟଥର ଏଭଳି ଘଟିଛି ଯେତେବେଳେ କି ଗୋଟିଏ ଦଳ ୨୫୦ କିମ୍ବା ତା ଠାରୁ ଅଧିକ ରନ୍‌ର ପିଛା କରି ୧୦ ଓ୍ଵିକେଟ୍‌ରେ ବିଜୟୀ ହୋଇଛି । ଆଉ ଚାରିଥର ଯାକ ଏସୀୟ ଦଳ ହିଁ ହାରିଛନ୍ତି । ଅନ୍ୟପଟେ ଟିମ୍‌ ଇଣ୍ଡିଆ ଲଗାତର ୪ଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ହାରିଛି । ଅବଶ୍ୟ ଧୋନିଙ୍କ ଅନୁପସ୍ଥିତିରେ ଏସବୁ ପରାଜୟ ଲଭିଛି ଭାରତୀୟ ଦଳ । ଓ୍ଵାର୍ଣ୍ଣର ଓ ଫିଞ୍ଚଙ୍କ ୨୫୮ ରନ୍‌ର ଭାଗିଦାରୀ ଦିନିକିଆରେ ଭାରତ ବିପକ୍ଷରେ ସର୍ବାଧିକ ।

ସ୍କୋର : ଭାରତ-୨୫୫/୧୦ (୪୯.୧ ଓଭର) । ଅଷ୍ଟ୍ରେଲିଆ-୨୫୮/୦ (୩୭.୪ ଓଭର) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.