Below header

ବିଶ୍ୱକପ୍‌ : ସେମିଫାଇନାଲ୍‌ରେ କେବେବି ହାରି ନାହିଁ ଅଷ୍ଟ୍ରେଲିଆ, ଆଜି ଆୟୋଜକ ଇଂଲଣ୍ଡ ଠାରୁ ହାରିବ ନା ହରାଇବ ?

ଲଣ୍ଡନ୍‌ : ନାଟକୀୟ ଭାବେ ସରିଯାଇଛି ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ । ଭାରତକୁ ୧୮ ରନ୍‌ରେ ହରାଇ ନ୍ୟୁଜିଲାଣ୍ଡ କ୍ରମାଗତ ଭାବେ ଦ୍ୱିତୀୟ ଥର ଫାଇନାଲ୍‌ରେ ପହଞ୍ଚିଛି । ଆଉ ଆଜି କିଛି ସମୟ ପରେ ଆରମ୍ଭ ହେବ ଦ୍ୱିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ । ବର୍ମିଂହାମ୍‌ରେ ମୁହାଁମୁହିଁ ହେବେ ଦୁଇ ସର୍ବପୁରାତନ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ । ଯିଏ ଜିତିବ ଫାଇନାଲ୍‌ରେ ଭେଟିବ ନ୍ୟୁଜିଲାଣ୍ଡକୁ ।
ଚଳିତ ଟୁର୍ଣ୍ଣାମେଣ୍ଟର ଆୟୋଜକ ହେଉଛି ଇଂଲଣ୍ଡ । କେବେବି ବିଶ୍ୱକପ୍‌ ଟ୍ରଫି ଜିତି ନାହିଁ । ୧୯୯୨ ପରେ ପ୍ରଥମଥର ସେମିଫାଇନାଲ୍‌ରେ ପ୍ରବେଶ କରିଛି । ପୁଣି ଲିଗ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଠାରୁ ହାରିଛି । ଏସବୁ ଚାପକୁ ନେଇ ଆଜି କଙ୍ଗାରୁ ଟିମ୍‌କୁ ସାମନା କରିବ ଘରୋଇ ଦଳ । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ହେଉଛି ବିଶ୍ୱ ଏକ ନମ୍ବର ଦିନିକିଆ ଟିମ୍‌ ଓ ପାଞ୍ଚଥର ବିଶ୍ୱକପ୍‌ ଜିତିଛି । ଦୃଢ଼ ମାନସିକତା, ଚାପକୁ ସମ୍ଭାଳିବା ଏବଂ ଲଢୁଆ ଖେଳ ହେଉଛି ଅଷ୍ଟ୍ରେଲିଆ ଦଳର ସାମର୍ଥ୍ୟ ।
ଯେଉଁ ପିଚ୍‌ରେ ଭାରତକୁ ହରାଇ ଇଂଲଣ୍ଡ ସେମିଫାଇନାଲ୍‌ ଯିବାର ଆଶା ସୃଷ୍ଟି କରିଥିଲା ସେହି ପିଚ୍‌ରେ ଆଜି ଖେଳିବ । ତେବେ ସବୁ ବିଭାଗରେ ଭଲ ପ୍ରଦର୍ଶନ କରି ଆସୁଥିବା ଅଷ୍ଟ୍ରେଲିଆକୁ ମାତ୍‌ ଦେବା ଲାଗି କିଭଳି ରଣନୀତି କରୁଛି ଇଂଲଣ୍ଡ ଦଳ, ଦେଖିବାକୁ ବାକି ରହିଲା ।
ଅନ୍ୟପକ୍ଷରେ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ କେବେବି ହାରି ନାହିଁ । ମୋଟ୍‌ ୭ଥର ସେମିଫାଇନାଲ୍‌କୁ ଯାଇଥିବା ଏହି ଦଳ ୬ ଥର ବିଜୟୀ ହୋଇଛି । ୧୯୯୯ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ସହ ଖେଳିଥିବା ସେମିଫାଇନାଲ୍‌ଟି ‘ଟାଇ’ରେ ଶେଷ ହୋଇଥିଲା । ସେପଟେ ଇଂଲଣ୍ଡ ପାଞ୍ଚଥର ସେମିଫାଇନାଲ୍‌କୁ ଯାଇଥିବା ବେଳେ ତିନିଥର ଜିତି ଦୁଇଥର ହାରିଛି ।
ସେହିପରି ଦିନିକିଆ ଆନ୍ତର୍ଜାତିକରେ ଦୁଇ ଦଳ ଭିତରେ ହୋଇଥିବା ମୋଟ୍‌ ୧୪୩ଟି ମ୍ୟାଚ୍‌ରୁ ଅଷ୍ଟ୍ରେଲିଆ ୮୨ଟି ଏବଂ ଇଂଲଣ୍ଡ ୬୧ଟି ମ୍ୟାଚ୍‌ ଜିତିଛି । ବିଶ୍ୱକପ୍‌ରେ ସେମାନେ ପରସ୍ପର ସହିତ ଖେଳିଥିବା ମୋଟ୍‌ ୮ଟି ମ୍ୟାଚ୍‌ରୁ ଅଷ୍ଟ୍ରେଲିଆ ୮ଟି ଏବଂ ଇଂଲଣ୍ଡ ୨ଟିରେ ବିଜୟୀ ହୋଇଛି । ତେବେ ୨୦୧୫ ପରେ ଦୁଇଦଳ ଭିତରେ ହୋଇଥିବା ୨୧ଟି ମ୍ୟାଚ୍‌ ମଧ୍ୟରୁ ଇଂଲଣ୍ଡ ୧୨ଟି ଏବଂ ଅଷ୍ଟ୍ରେଲିଆ ୯ଟିରେ ବିଜୟ ଲାଭ କରିଛି ।
ଅବଶ୍ୟ ବର୍ମିଂହାମ୍‌ରେ ଗତ କେତୋଟି ମୁକାବିଲାରେ ଇଂଲଣ୍ଡ ହାରି ନାହିଁ । ତଥାପି ଦ୍ୱିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.