Below header

ରାଉରକେଲାରେ ହେବ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ୍‌, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶା କ୍ରୀଡ଼ାରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ବଡ଼ ସଫଳତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ରାଉରକେଲା ଠାରେ ଭାରତର ସବୁଠାରୁ ବଡ଼ ହକି ଷ୍ଟାଡିୟମ୍‌ କରାଯିବ ।

ପୂର୍ବ ହକି ବିଶ୍ୱକପ୍‌କୁ ଅତ୍ୟନ୍ତ ସଫଳତାର ସହ ଆୟୋଜନ କରିବା ପରେ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ଥାନ ପକ୍କା କରି ସାରିଛି ଓଡ଼ିଶା । ଏବେ ୨୦୨୩ ପୁରୁଷ ବିଶ୍ୱ ହକି ପ୍ରତିଯୋଗିତାର ଆୟୋଜନ କରିବାକୁ ଯାଉଛି । ଏହି ସମୟରେ ସାରା ବିଶ୍ୱ ଦେଖିବ ଏହି ବୃହତ୍‌ ଷ୍ଟାଡିୟମ୍‌କୁ । ଯେଉଁଥିରେ ୨୦ ହଜାର ଦର୍ଶକ ବସିବାର ବ୍ୟବସ୍ଥା କରାଯାଉଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଜି ଏକ ଭିଡିଓ ବାର୍ତ୍ତା ଜରିଆରେ ଘୋଷଣା କରିଛନ୍ତି । ବିପିୟୁଟି କ୍ୟାମ୍ପସରେ ଏହି ଷ୍ଟାଡିୟମ୍‌ ନିର୍ମାଣ କରାଯିବ ।

BPUT

୨୦୨୩ ହକି ବିଶ୍ୱ କପ୍‌ ରାଜ୍ୟର ଦୁଇଟି ଜାଗା ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ସୁନ୍ଦରଗଡ଼ ହେଉଛି ହକିର ଗଡ଼ । ଏଠାରେ ଦିଲୀପ ତିର୍କି ଓ ସୁନୀତା ଲାକ୍ରାଙ୍କ ଭଳି ବିଶ୍ୱ ବିଖ୍ୟାତ ଖେଳାଳି ବାହାରିଛନ୍ତି । ଯେଉଁମାନେ କି ଭାରତୀୟ ଦଳର ନେତୃତ୍ୱ ନେବା ସହ ରାଜ୍ୟକୁ ଅନେକ ଗୌରବ ଆଣି ଦେଇଛନ୍ତି । ସୁନ୍ଦରଗଡ଼ରେ ହକି ଖେଳ ଅତ୍ୟନ୍ତ ଲୋକପ୍ରିୟ । ସେଠାକାର ଲୋକେ ମଧ୍ୟ ହକିକୁ ଏତେ ସମର୍ଥନ ଓ ସହଯୋଗ ଦିଅନ୍ତି, ଯାହା ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ସର୍ବବୃହତ୍‌ ଷ୍ଟାଡିୟମ ସେମାନଙ୍କ ପାଇଁ ଏକ ଉପହାର ହେବ ବୋଲି ନବୀନ କହିଛନ୍ତି ।

HOCKEY STADIUM

ଏହି ଷ୍ଟାଡିୟମ୍‌ରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ସାରା ବିଶ୍ୱରେ ଏହି ରାଉରକେଲା ଷ୍ଟାଡିୟମ୍‌ ସ୍ୱତନ୍ତ୍ର ଖ୍ୟାତି ଅର୍ଜନ କରିବ ବେଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ନିକଟରେ ଷ୍ଟାଡିୟମ ନିର୍ମାଣ ନେଇ ଏଫ୍‌ଆଇଏଚ୍‌, ହକି ଇଣ୍ଡିଆ ଏବଂ ରାଜ୍ୟ କ୍ରୀଡ଼ା ବିଭାଗ ଅଧିକାରୀମାନେ ରାଉରକେଲା ଯାଇଥିଲେ । ସେମାନେ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି ।
ସେହିପରି ହକିର ଅଧିକ ପ୍ରସାର ପାଇଁ ସୁନ୍ଦରଗଡ଼ର ୧୭ଟି ଯାକ ବ୍ଲକ୍‌ରେ ଗୋଟିଏ ଲେଖାଏଁ ସିନ୍ଥେଟିକ୍‌ ଟର୍ଫ ନିର୍ମାଣ କାମ ଆରମ୍ଭ ହୋଇ ସାରିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.