କ୍ୟାଚ୍ ଧରିବାରେ ଓସ୍ତାଦ୍, ଦ୍ରାବିଡ଼ଙ୍କୁ କାଟିଲେ ଓ ଚାପେଲଙ୍କ ସମକକ୍ଷ ହେଲେ : କିଏ ସେହି ଭାରତୀୟ କ୍ରିକେଟର ?

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବ୍ୟାଟିଂରେ ଫ୍ଲପ୍ ମାରିଛନ୍ତି ଟିମ୍ ଇଣ୍ଡିଆ ଓପନର୍ ଲୋକେଶ ରାହୁଲ । କିନ୍ତୁ ଫିଲ୍ଡିଂରେ ସୁପର ସୋ ଦେଖାଇଛନ୍ତି । ଜବରଦସ୍ତ କ୍ଯାଚ୍ ଧରିଛନ୍ତି । ଓଭାଲ୍ ଟେଷ୍ଟରେ ବେନ୍ ଷ୍ଟୋକସଙ୍କ କ୍ୟାଚ୍ ଧରି ନିଜ ନାଁକୁ ରେକର୍ଡ ବୁକରେ ଲେଖାଇଛନ୍ତି । ଇଂଲଣ୍ଡ ବିପକ୍ଷ ସିରିଜରେ ୧୪ଟି କ୍ୟାଚ୍ ନେଇଛନ୍ତି ଲୋକେଶ ରାହୁଲ । ଏହାସହ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ କ୍ୟାଚ୍ ନେବାରେ ସେ ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇ ଦେଇଛନ୍ତି । ରାହୁଲ ଦ୍ରାବିଡ ୨୦୦୪ରେ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫିରେ ୧୩ଟି କ୍ୟାଚ୍ ନେଇଥିଲେ ।

ଟେଷ୍ଟ ସିରିଜରେ ସର୍ବାଧିକ କ୍ୟାଚ୍ ନେଇଥିବା କ୍ରିକେଟରଙ୍କ ତାଲିକାରେ ଆଗରେ ରହିଛି ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଜ୍ୟାକ୍ ଗ୍ରେଗୋରିଙ୍କ ନାଁ । ୧୯୨୦-୨୧ରେ ଏରୋଜ୍ ସିରିଜରେ ସେ ୧୫ଟି କ୍ୟାଚ୍ ଧରିଥିଲେ । ଲୋକେଶ ରାହୁଲ ଏହି ଟେଷ୍ଟ ସିରିଜରେ ୧୪ଟି କ୍ୟାଚ୍ ସହ ଏବେ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଗ୍ରେଗ୍ ଚାପେଲଙ୍କ ସମକକ୍ଷ ହୋଇଛନ୍ତି । ଚାପେଲ ଓ ଲୋକେଶ ରାହୁଲ ଉଭୟ ଦ୍ବିତୀୟ ସ୍ଥାନରେ ଅଛନ୍ତି । ଚାପେଲ୍ ୧୯୭୪-୭୫ରେ ଇଂଲଣ୍ଡ ବିପକ୍ଷରେ ୬ଟି ମ୍ୟାଚରୁ ୧୪ଟି କ୍ୟାଚ୍ ନେଇଥିଲେ । ଏବେ ଚାପେଲଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ଆଲିଷ୍ଟର କୁକଙ୍କ ପାଖରେ ରହିଛି ।

ଯଦିଓ ଭାରତ ବିପକ୍ଷ ଓଭାଲ୍ ଟେଷ୍ଟ ତାଙ୍କ କ୍ୟାରିୟର ଶେଷ ମ୍ୟାଚ । ଆଜି ଯଦି ସେ ଆଉ ୩ଟି କ୍ୟାଚ୍ ନିଅନ୍ତି ଗ୍ରେଗ୍ ଚାପେଲଙ୍କୁ କାଟି ପାରିବେ । କୁକ୍ ଚଳିତ ସିରିଜରେ ଏପର୍ଯ୍ୟନ୍ତ ୧୩ଟି କ୍ୟାଚ୍ ଧରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ କ୍ୟାଚ୍ ଧରିଥିବା ରେକର୍ଡ ରାହୁଲ ଦ୍ରାବିଡଙ୍କ ନାଁରେ ରହିଛି । ଦ୍ରାବିଡ ୧୬୪ ମ୍ୟାଚ ରେ ଧରିଛନ୍ତି ୨୧୦ଟି କ୍ୟାଚ୍ । ଦ୍ଵିତୀୟ ସ୍ଥାନରେ ଶ୍ରୀଲଙ୍କା କ୍ରିକେଟର ମାହେଲା ଜୟବର୍ଦ୍ଧନେ । ୧୪୯ ମ୍ୟାଚରୁ ଜୟବର୍ଦ୍ଧନେଙ୍କ ହାତରେ ଲାଗିଛି ୨୦୫ କ୍ୟାଚ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.