କଳିଙ୍ଗ ଟକ୍କରରେ ଦେଶବିଦେଶର ଷ୍ଟାରଙ୍କ ଭିଡ଼, କିଏ ହେବ ହିରୋ ?

ହକି ବିଶ୍ୱକପରେ ଦମ୍‌ ଦେଖାଇବା ପାଇଁ ସବୁ ଦଳ ତୟାର । ଲଢ଼େଇ ହେବ ଜୋରଦାର । ଫ୍ରଣ୍ଟ ରନର ଅଛନ୍ତି ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡସ ଓ ଜର୍ମାନୀ । ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ଟାଇଟଲ୍‌ ଦାବିଦାର ଅଛି । ଅଲିମ୍ପିକ୍ସ ଚାମ୍ପିଅନ୍‌ ଆର୍ଜେଣ୍ଟିନା ଟାଇଟଲ୍‌ ଫେଭରିଟ୍‌ ବି ଅଛି । କିନ୍ତୁ ନିକଟରେ ଶେଷ ହୋଇଥିବା ଚାମ୍ପିଅନ୍ସ ଟ୍ରଫିରେ ଦଳର ପ୍ରଦର୍ଶନ ଭଲ ନଥିଲା । ଚତୁର୍ଥ ସ୍ଥାନରେ ରହିଥିଲା ଆର୍ଜେଣ୍ଟିନା । ସେହିପରି ଅଲିମ୍ପିକ୍ସ ରୌପ୍ୟ ବିଜେତା ବେଲଜିୟମ୍‌ ଡାର୍କ ହର୍ସ ହୋଇପାରେ । ଆୟୋଜକ ଭାରତ ବି କମାଲ୍‌ କରିବା ଲକ୍ଷ୍ୟରେ ରହିଛି । ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନ ସହ ଯୁଗ୍ମ ବିଜେତା ହୋଇଥିଲା ଭାରତ । ପାକିସ୍ତାନ ବି ଟ୍ରଫି ହାତେଇବା ଲକ୍ଷ୍ୟ ନେଇ ବିଶ୍ୱକପ୍‌ ଅଭିଯାନରେ ଆସିଛି । କଳିଙ୍ଗ ଷ୍ଟାଡିୟମକୁ ଲକି ଗ୍ରାଉଣ୍ଡ କରିଛି ପାକିସ୍ତାନ । ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ପାକିସ୍ତାନ । ଏବେ ଆସନ୍ତୁ ନଜର ପକାଇବା ଚଳିତ ବିଶ୍ୱକପର ୫ଟି ଟିମର ପ୍ରଦର୍ଶନ ଓ ୫ ଯୁବ ଚର୍ଚ୍ଚିତ ହକି ତାରକାଙ୍କ ଉପରେ ।

ଭାରତର ସରପ୍ରାଇଜ୍‌ ପ୍ୟାକ୍‌ ହାର୍ଦ୍ଦିକ ସିଂ

ଭାରତୀୟ ହକି ଦଳ ପାଇଁ ସରପ୍ରାଇଜ୍‌ ପ୍ୟାକେଜ୍‌ ହାର୍ଦ୍ଦିକ ସିଂ । ହକି ପରିବାରରେ ତାଙ୍କର ଜନ୍ମ । ଭାରତୀୟ ବିଶ୍ୱକପ୍‌ ଟିମ୍‌ରେ ଡିଫେନସିଭ୍‌ ମିଡ୍‌ ଫିଲ୍‌ଡର ଭାବରେ ସ୍ଥାନ ପାଇଛନ୍ତି । କୁଇକ୍‌ କାଉଣ୍ଟର ଆଟାକ୍‌ କରିବାରେ ଧୁରନ୍ଧର ହାର୍ଦ୍ଦିକ । ୨୦୧୩ ହକି ଇଣ୍ଡିଆ ଲିଗ୍‌ର ପ୍ରଥମ ସଂସ୍କରଣରେ ମୋହାଲି ହକି ଏକାଡେମୀରେ ବଲ୍‌ ବଏ ଥିଲେ ।

HARDIK SINGH

ସେତେବେଳେ ଅତି ପାଖରୁ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କ କୌଶଳକୁ ନିରେଖି ଦେଖୁଥିଲେ । ପରେ ୨୦୧୬ରେ ୧୮ ବର୍ଷରୁ କମ୍‌ ଏସିଆ କପ୍‌ରେ ଉପ-ଅଧିନାୟକ ହୋଇଥିଲେ ହାର୍ଦ୍ଦିକ । ୨୦୧୭ରେ ଜାତୀୟ ଦଳରେ ସ୍ଥାନ ନ ମିଳିବାରୁ ମନଉଣା କରିଥିଲେ । କ୍ଲବ ହକି ଖେଳିବା ପାଇଁ ନେଦରଲ୍ୟାଣ୍ଡସ ପଳାଇ ଯିବାକୁ ନିଷ୍ପତ୍ତି ନେଇଥିଲେ ହାର୍ଦ୍ଦିକ । ପୂର୍ବତନ ହକି ଷ୍ଟାର ଯୁଗରାଜ ସିଂ ହେଉଛନ୍ତି ହାର୍ଦ୍ଦିକଙ୍କ ମାମୁ । ସେ ବୁଝାଇବା ପରେ ପୁଣି ଥରେ ମୈଦାନକୁ ଓହ୍ଲାଇଥିଲେ ଏଇ ଯୁବା ଖେଳାଳି। ନିକଟରେ ମସ୍କାଟ୍‌ରେ ଶେଷ ହୋଇଥିବା ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫିରେ ଜମାଣିଆ ଖେଳ ଦେଖାଇଥିଲେ । ମାତ୍ର ୬ଟି ମ୍ୟାଚ୍‌ ଖେଳି ଅତି ସହିଜରେ ହାତେଇ ନେଲେ ବିଶ୍ୱକପ୍‌ ଟିକେଟ୍‌ ।

ମହମ୍ମଦ ଆତିକ୍‌ ଅସରଦ୍‌ (ପାକିସ୍ତାନ)

ATIQ ARSAD

୨୦୧୪ ନେଦରଲ୍ୟାଣ୍ଡସ ବିଶ୍ୱକପ୍‌ରେ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲା ପାକିସ୍ତାନ । ଚଳିତବର୍ଷ କିନ୍ତୁ ବିଶ୍ୱକପ୍‌ ଟିକେଟ୍‌ ହାତେଇଛି । ପାକିସ୍ତାନ ହେଉଛି ଚାରି ଥର ବିଶ୍ୱ ଚାମ୍ପିଅନ୍‌ । ଶେଷ ଥର ପାଇଁ ୧୯୯୪ରେ ବିଶ୍ୱବିଜେତା ହୋଇଥିଲା । ପରିବର୍ତ୍ତନ ଭିତରେ ଆଗକୁ ବଢୁଛି ପାକିସ୍ତାନ ଦଳଏଥିର କିଛି । ଯୁବ ତାରକା ଆସିଛନ୍ତି । ଏମାନଙ୍କ ଭିତରେ ଚର୍ଚ୍ଚିତ ଚେହେରା ୨୧ ବର୍ଷୀୟ ମହମ୍ମଦ ଆତିକ୍‌ ଅସରଦ ।

ନିଜ ଦେଶ ପାଇଁ ୩୦ଟି ମ୍ୟାଚ୍‌ ଖେଳିଛନ୍ତି । ୧୬ ଓ ୨୧ ବର୍ଷରୁ କମ୍‌ ଟିମ୍‌ରେ ଦମଦାର ପ୍ରଦର୍ଶନ ପରେ ଜାତୀୟ ଦଳରେ ଏଣ୍ଟ୍ରି ମାରିଛନ୍ତି । ୨୦୧୫ ଜୁନିଅୟ ଏସିଆ କପ୍‌ ରୌପ୍ୟ ପଦକ ବିଜେତା ଦଳର ସଦସ୍ୟ ଥିଲେ ଆତିକ ଅସରଦ । ୨୦୧୮ ଜାକର୍ତ୍ତା ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ପଦକ ଲଢ଼େଇ ମ୍ୟାଚ୍‌ରେ ଆତିକ୍‌ ଆଖି ଦୃଶିଆ ଗୋଲ୍‌ ଦେଇଥିଲେ ।

ଟିମ୍‌ ବ୍ରାଣ୍ଡ (ଅଷ୍ଟ୍ରେଲିଆ)

TIM BRAND

ବିଶ୍ୱର ଏକ ନମ୍ବର ମାନ୍ୟତାପ୍ରାପ୍ତ ଟିମ୍‌ ଅଷ୍ଟ୍ରେଲିଆ । ହାଟ୍ରିକ ଲକ୍ଷ୍ୟରେ ଚଳିତ ବିଶ୍ୱକପ୍‌ ଅଭିଯାନରେ ଆସିଛି କଙ୍ଗାରୁ ବାହିନୀ । ଏପର୍ଯ୍ୟନ୍ତ ଚାରି ଥର ବିଶ୍ୱକପ୍‌ ଟାଇଟଲ୍‌ ଜିତିଛି । ମଙ୍ଗ ଧରିଛନ୍ତି ଅଭିଜ୍ଞ ଓ ଯୁବ ତାରକା । ନେଦରଲ୍ୟାଣ୍ଡସରେ ଜନ୍ମିତ ଅଷ୍ଟ୍ରେଲିଆର ଫରଓ୍ଵାର୍ଡ ଖେଳାଳି ଟିମ୍‌ ବ୍ରାଣ୍ଡଙ୍କୁ ନେଇ ସବୁଠି ଚର୍ଚ୍ଚା ।

ବୟସ ମାତ୍ର ୧୯ । ୨୦୧୮ ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଦଳରେ ସ୍ଥାନ ମିଳିଥିଲା । ଗ୍ରୁପ୍‌ ପର୍ଯ୍ୟାୟରେ ନେଦରଲ୍ୟାଣ୍ଡସ ବିପକ୍ଷରେ ଦୁଇଟି ଗୋଲ ଦେଇ ଚର୍ଚ୍ଚାକୁ ଆସିଥିଲେ ଟିମ୍‌ ବ୍ରାଣ୍ଡ । ୧୨ଟି ମ୍ୟାଚ୍‌ ଖେଳି ୪ଟି ଗୋଲ୍‌ ଦେଇଛନ୍ତି ।

ଆର୍ଥର ଡି. ସ୍ଲୁଭର୍‌ (ବେଲଜିୟମ୍‌)

ATTHUR DESLOOVERବିଶ୍ୱ ହକିର ରାଇଜିଂ ଟିମ୍‌ ବେଲଜିୟମ୍‌ । ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଆକ୍ରମଣ ଖେଳ ଖେଳୁଛି । ୨୦୧୬ ରିଓ ଅଲିମ୍ପିକ୍ସର ରୌପ୍ୟ ବିଜେତା ବେଲଜିୟମ୍‌କୁ ନେଇ ଚର୍ଚ୍ଚା ଚାଲିଛି । ପୁଲ୍‌-ସି’ରେ ଆୟୋଜକ ଭାରତ, କାନାଡ଼ା ଓ ଦକ୍ଷିଣ ଆଫ୍ରିକା ସହ ରହିଛି ବେଲଜିୟମ୍‌ । ଶକ୍ତିଶାଳୀ ଡିଫେନ୍ସ ଲାଇନ୍‌ ପାଇଁ ମ୍ୟାଚ୍‌ ଜିତିବାରେ ସଫଳ ହେଉଛି । ଅଭିଜ୍ଞ ଏଲ୍‌. ଲୁଇପର୍ଟ, ଆର୍ଥର୍‌ ଡି. ସ୍ଲୋଭର୍‌, ଗୁଥିଅର ବୋକାର୍ଡ, ଦଳର ଟ୍ରମ୍ପ କାର୍ଡ । ଆର୍ଥର୍‌ ଡି. ସ୍ଲୁଭର୍‌ଙ୍କୁ କୁହାଯାଇଛି ବେଲଜିୟମ୍‌ ହକିର ଭବିଷ୍ୟତ । ଡିଫେଣ୍ଡ ମାଷ୍ଟର ସ୍ଲୋଭର୍‌ ୨୦୧୬ ଜୁନିଅର୍‌ ହକି ଓ୍ଵାର୍ଲଡ କପ୍‌ କ୍ୱାର୍ଟର୍‌ ଫାଇନାଲ୍‌ରେ ନେଦରଲ୍ୟାଣ୍ଡସ ଓ ସେମିଫାଇନାଲ୍‌ରେ ଜର୍ମାନୀ ବିପକ୍ଷରେ ପେନାଲ୍ଟିକୁ ଜବରଦସ୍ତ ଗୋଲରେ ପରିଣତ କରିଥିଲେ ।

ହିସ୍‌ ଭନ୍‌ ଡାମ୍‌ (ନେଦରଲ୍ୟାଣ୍ଡସ)

Thijs Van Dam, Netherlands (Photo by Simon Cooper/PA Images via Getty Images)

ଗତଥରର ରନର୍ସ ଅପ୍‌ ଟିମ୍‌ । ତିନି ଥର ବିଶ୍ୱ ବିଜେତା ହୋଇଛି । ଓ୍ଵାର୍ଲଡ କ୍ଲାସ ପ୍ଲେୟାରଙ୍କୁ ନେଇ ହକିର ପାଓ୍ଵାରଫୁଲ୍‌ ହାଉସ୍‌ ଭାବରେ ଉଭା ହୋଇଛି ନେଦରଲ୍ୟାଣ୍ଡସ । ଠିକଣା ସମୟରେ ଜବାବ ଦେବାର କଳା ଜାଣିଛି । ନେଦରଲ୍ୟାଣ୍ଡସ ଆଗରେ ଲକ୍ଷ୍ୟ ତୃତୀୟ ଥର ବିଶ୍ୱ ଚାମ୍ପିଅନ୍‌ ହେବା । ଗୁରୁ ଦାୟିତ୍ୱ ରହିଛି ଦଳର ଷ୍ଟାର ଖେଳାଳି ସିଭ୍‌ ଭାନ୍‌ ଏସ୍‌, ଜୋରିଅନ୍‌ ହ୍ୟାଚବର୍ଗର୍‌, ସନ୍ଦାର ବର୍ତ୍ତ । କିନ୍ତୁ ଚର୍ଚ୍ଚିତ ଚେହେରା ଭାବରେ ଉଭା ହୋଇଛନ୍ତି ୟଙ୍ଗ ସେନସେସନ୍‌ ହିସ୍‌ ଭନ୍‌ ଡାମ୍‌, ଜୋନସ୍‌ ଡି ଜିୟସ । ହିସ୍‌ ଭନ୍‌ ୩୩ଟି ମ୍ୟାଚ୍‌ ଖେଳି ୫ଟି ଗୋଲ୍‌ ଦେଇଛନ୍ତି । ୨୦୧୭ରେ ଭୁବନେଶ୍ୱର ଓ୍ଵାର୍ଲଡ ହକି ଲିଗ୍‌ ଫାଇନାଲରେ ଲାଇମ୍‌ ଲାଇଟ୍‌କୁ ଆସିଥିଲେ ହିସ୍‌ ଭନ୍‌ । ଏବେ ପୁଣି ଥରେ କଳିଙ୍ଗ ଷ୍ଟାଡିୟମରେ କମାଲ କରିବାକୁ ଆସିଛନ୍ତି ।
ଏସବୁ ଷ୍ଟାରଙ୍କ ଭିତରେ ଆଉ କିଛି ଖେଳାଳି ଡାର୍କହର୍ସ ଭାବେ ଅଛନ୍ତି । କଳିଙ୍ଗ ଟକ୍କରରେ ଆଉ କିଏ ହିରୋ ବନୁଛି ତାହା ଆଗାମୀ ତିନି ସପ୍ତାହ ଭିତରେ ସ୍ପଷ୍ଟ ହୋଇଯିବ ।

ରିପୋର୍ଟ : ଅଜିତ କୁମାର ଦେହୁରୀ

Leave A Reply

Your email address will not be published.