ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା, ମୁତୟନ ହେବେ ୬୭ ପ୍ଲାଟୁନ ପୋଲିସ ଫୋର୍ସ, ୨ ଡିଆଇଜିଙ୍କୁ ଦାୟିତ୍ବ

ଭୁବନେଶ୍ୱର : ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି । ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ଜଣେ ଆଇଜି ଓ ୨ ଡିଆଇଜିଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ଜନତା ମଇଦାନ ସୁରକ୍ଷା ଦାୟିତ୍ବ ତଦାରଖ କରିବେ ଆଇଜି ପ୍ରବୀଣ କୁମାର । ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ, ଉମାଶଙ୍କର ଦାସ ଟ୍ରାଫିକ ବୁଝିବେ ।
୧୩ ଡିସିପି, ୧୮ ଏଡିସିପି ରାଙ୍କ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ । ୫୮ ଏସିପି, ୯୪ ଇନ୍ସପେକ୍ଟର, ୩୧୨ ଏସ୍ଆଇ/ଏଏସ୍ଆଇ ରହିବେ । ୧୧୧ ଜଣ ମହିଳା ପୋଲିସ ହେବେ ମୁତୟନ । ଆସନ୍ତାକାଲି ଦିନ ୨ଟାରୁ ୭ଟା ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳରେ ଟ୍ରାଫିକ କଟକଣା ଜାରି ରହିବ । ଏଥିସହିତ ଭୁବନେଶ୍ବରରେ ମୁତୟନ ହେବେ ୬୭ ପ୍ଲାଟୁନ ପୋଲିସ ଫୋର୍ସ । ଏନେଇ ପୋଲିସ କମିଶନର ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି ।
ରାଜଧାନୀରେ ୫ ଘଣ୍ଟା ପାଇଁ ଜାରି ହୋଇଛି ଟ୍ରାଫିକ କଟକଣା । ଦିନ ୨ଟାରୁ ରାତି ୭ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ । ଜୟଦେବ ବିହାରରୁ ନାଲକୋ ଛକ ଦେଇ ଗାଡ଼ି ଚଳାଚଳ ମନା। ସଂଲଗ୍ନ ଗଳି ରାସ୍ତାରେ ମଧ୍ୟ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ । ଏପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି ।