ଭାରତ-ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟ, ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ

ନୂଆଦିଲ୍ଲୀ : ବର୍ଡର ଗାଭାସ୍କର ସିରିଜ୍ର ଆଜି ଶେଷ ମ୍ୟାଚ୍ । ସିଡନୀରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଅଷ୍ଟ୍ରେଲିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଲୋକେଶ ରାହୁଲ ୯ ରନ୍ କରି ଆଉଟ୍ ହୋଇଛନ୍ତି । ଅଷ୍ଟ୍ରେଲିଆ ମାଟିରେ ଟିମ୍ ଇଣ୍ଡିଆ ୭୧ ବର୍ଷ ପରେ ଟେଷ୍ଟ ସିରିଜ ବିଜୟୀ ହେବାର ସୌଭାଗ୍ୟ ରହିଛି । ଏହି ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଛି କୋହଲି ବାହିନୀ । ମ୍ୟାଚ୍ ଡ୍ର ରହିଲେ ବି ଭାରତ ସିରିଜ କବଜା କରିବ । ୧୯୪୭ରୁ ଏପର୍ଯ୍ୟନ୍ତ ଦୁଇ ଦେଶ ଖେଳିଥିବା ୧୧ଟି ଟେଷ୍ଟ ସିରିଜରୁ ଅଷ୍ଟ୍ରେଲିଆ ୮ଥର ବିଜୟୀ ହୋଇଥିବା ବେଳେ ୩ଟି ଡ୍ରରେ ଶେଷ ହୋଇଛି । ବିଜୟ ଖାତା ଖୋଲି ପାରିନି ଟିମ୍ ଇଣ୍ଡିଆ ।
ସେହିପରି ସିଡନୀରେ ୪୧ ବର୍ଷ ହେବ କୌଣସି ଟେଷ୍ଟ ମ୍ୟାଚ୍ ଜିତି ପାରିନି ଭାରତ । ୧୯୭୮ରେ ବିଷନ ସିଂହ ବେଦୀଙ୍କ ନେତୃତ୍ୱରେ ଶେଷ ଥର ସିଡନୀରେ ମ୍ୟାଚ୍ ବିଜୟୀ ହୋଇଥିଲା । ଇନିଂସ ଓ ୨ ରନର୍ ହାରିଥିଲା ଅଷ୍ଟ୍ରେଲିଆ । ସେହିପରି ଶେଷ ଥର ପାଇଁ ୨୦୧୫ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଡ୍ର ରହିଥିଲା ।
ତେବେ ବର୍ତ୍ତମାନ ଘରୋଇ ଦଳର ପ୍ରଦର୍ଶନ ଆଧାରରେ ଭାରତର ପଲ୍ଲା ଭାରି ରହିଛି । ସେପଟେ ସିରିଜ ବରାବର କରି ପରାଜୟ ଏଡ଼ାଇବା ବାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ବି କରିବ କଙ୍ଗାରୁବାହିନୀ । ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ମୋଟ୍ ୨୫ଟି ଟେଷ୍ଟରୁ ଟିମ୍ ଇଣ୍ଡିଆ ୮ଟି ଓ ଅଷ୍ଟ୍ରେଲିଆ ଜିତିଛି ୧୨ଟି । ୫ଟି ଡ୍ର ରହିଛି ।