Below header

ନିଜ ଉପରେ ନିୟନ୍ତ୍ରଣ ରଖି ପାରିଲେନି କୋହଲି, ଦର୍ଶକଙ୍କୁ ଏଭଳି ଇସାରା କାହିଁକି କଲେ; ଦେଖନ୍ତୁ ଭିଡିଓ

ଖ୍ରୀଷ୍ଟଚର୍ଚ୍ଚ : ଜଳିତ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ଏବେ ଖୁବ୍‌ ଜୋରରେ ପ୍ରଶ୍ନ ଉଠିଛି । ଖରାପ ଖେଳ ପାଇଁ ସମାଲୋଚନା ବି ହେଉଛି । ଏଥିରେ କେବଳ ଦର୍ଶକ ନୁହନ୍ତି ପୂରା ଟିମ୍‌ ଇଣ୍ଡିଆ ଦଳ ଚାପରେ ରହିଛି । କାରଣ ଟି-୨୦ ସିରିଜ୍‌ ଜିତିବା ପରେ ଭାରତ ସେଠାରେ ଦିନିକିଆ ସିରିଜ୍‌ ଏବଂ ପ୍ରଥମ ଟେଷ୍ଟ ହାରି ସାରିଛି । ତେଣୁ ନିଜ ଦଳର ସଦସ୍ୟଙ୍କ ସମେତ ଅଧିନାୟକ ବିରାଟ କୋହଲି ଚିନ୍ତାରେ ରହିବା ସ୍ୱାଭାବିକ । ଏପଟେ ନିଜେ କୋହଲି ମଧ୍ୟ ଫର୍ମରେ ନାହାନ୍ତି । ଏସବୁ ଘଟଣା ଘଟି ଚାଲିଥିବା ବେଳେ ଆଜି ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ବୋଲର୍‌ ଚମତ୍କାର ବୋଲିଂ କରି ଘରୋଇ ନ୍ୟୁଜିଲାଣ୍ଡ ଦଳକୁ ୨୩୫ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଥିଲେ ।

ତେବେ ଏହି ଇନିଂସ୍‌ ବେଳେ ଆଜି ଏଭଳି ଏକ ଘଟଣା ଘଟିଥିଲା ଯାହା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନ୍ୟୁଜିଲାଣ୍ଡ ଓପ୍ନର ଲଥାମ୍‌ଙ୍କୁ ଯେତେବେଳେ ମହମ୍ମଦ ସାମି ଆଉଟ୍‌ କରି ଦେଲେ ବିରାଟ କୋହଲି ଷ୍ଟାଡିୟମ୍‌ରେ ବସିଥିବା ଦର୍ଶକଙ୍କମାନଙ୍କ ପ୍ରତି କିଛି ଇସାରା କରିଥିଲେ । ଲାଗୁଥିଲା ଏହି ସଫଳତାରେ ସେ ବହୁତ ଖୁସି ଓ ଗୋଟିଏ ବଡ଼ କାମ କରି ପାରିଛି ତାଙ୍କ ଦଳ । ତା ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ଙ୍କୁ ବୁମରା ଆଉଟ୍‌ କରିବା ପରେ କୋହଲି ତାଙ୍କୁ ପାଭିଲିଆନ୍‌ ରାସ୍ତା ଦେଖାଇଥିଲେ ।

ପ୍ରକୃତରେ ଘଟଣା କଣ କି ଷ୍ଟାଡିୟମର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବସିଥିବା କିଛି ଦର୍ଶକ ବାରମ୍ବାର ଭାରତୀୟ ଖେଳାଳିଙ୍କ ଦକ୍ଷତାକୁ ନେଇ କମେଣ୍ଟ କରି ଚାଲିଥିଲେ । ତେଣୁ ଲଥାମ୍‌ଙ୍କୁ ସାମି ଆଉଟ୍‌ କରିବା ପରେ କୋହଲି ସେହି ଦର୍ଶକଙ୍କମାନଙ୍କୁ ଚୁପ୍‌ ରହିବାକୁ ଇସାରା କଲେ । ଜଣାଇ ଦେଇଥିଲେ ଯେ ଆମେ ବି କିଛି କମ୍‌ ନୋହୁଁ । ତେବେ ପଡ଼ିଆ ଭିତରୁ କୋହଲିଙ୍କର ଏଭଳି ସଂକେତକୁ ଅନେକେ ନାପସନ୍ଦ କରିଛନ୍ତି । କାରଣ ସେ ହେଉଛନ୍ତି ଦଳର ଅଧିନାୟକ । ତେଣୁ ନିଜ ଭାବାପ୍ରବଣତା ଉପରେ ନିୟନ୍ତ୍ରଣ ରଖିବା ଉଚିତ । କୋହଲିଙ୍କ ଏହି ଇସାରାର ଭିଡିଓ ଜଣେ ଦର୍ଶକ ରେକର୍ଡ଼ିଂ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଛନ୍ତି ।

ଦେଖନ୍ତୁ କୋହଲିଙ୍କ ସେହି ରାଗ ଜର୍ଜରିତ ଭିଡିଓ..

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.