Below header

କୋହଲି କହିଲେ ପରାଜୟର ବିଶ୍ଳେଷଣ କର ନାହିଁ, ଆମେ ଭଲ ଖେଳୁଛୁ

ପର୍ଥ : ଅଷ୍ଟ୍ରେଲିଆଠାରୁ ଦ୍ୱିତୀୟ ଟେଷ୍ଟରେ ୧୪୬ ରନ୍‌ରେ ହାରିଗଲା ଟିମ୍‌ ଇଣ୍ଡିଆ । ଆଉ ଅଧିନାୟକ ବିରାଟ କୋହଲି କହିଲେ ଯେ ଘରୋଇ ଦଳ ଆମ ଠାରୁ ବହୁତ ଭଲ ଖେଳିଲା । ଉଭୟ ବ୍ୟାଟ୍‌ ଓ ବୋଲିଂରେ ଭଲ କଲା । ତେବେ ତା ଭିତରେ ଗୋଟିଏ ମଞ୍ଜି କଥା ମଧ୍ୟ ସ୍ୱୀକାର କଲେ ଯେ ଆମେ ପର୍ଥ ପିଚ୍‌ରେ ଜଣେ ସ୍ପିନରଙ୍କୁ ଖେଳାଇବା କଥା ଆଦୌ ଚିନ୍ତା କରିନଥିଲୁ । ଯେତେବେଳେ କି ଅଷ୍ଟ୍ରେଲିଆ ସ୍ପିନର ନାଥନ୍‌ ଲାୟନ୍‌ଙ୍କୁ ଖେଳାଇଥିଲା ଏବଂ ସେ ମ୍ୟାଚ୍‌ରେ ୮ଟି ଓ୍ଵିକେଟ୍‌ ନେଇ ଦର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

କୋହଲି କହିଛନ୍ତି ଯେ ପର୍ଥ ପିଚ୍‌ ପେସ୍‌ ବୋଲରଙ୍କୁ ସୁହାଉଥିବାରୁ ଆମେ ଚାରିଜଣ ପେସ୍‌ ବୋଲରଙ୍କୁ ନେଇଥିଲୁ । ଯଦିଓ ଅଶ୍ୱିନ୍‌ ଆହତ ଥିଲେ । ରବୀନ୍ଦ୍ର ଜାଡେଜାଙ୍କୁ ଖେଳାଇବା କଥା ଆଦୌ ଭାବି ନଥିଲୁ । ଏକଥା ସ୍ପଷ୍ଟ କରୁଛି ଯେ ଅଭିଜ୍ଞତାର ଅଭାବ ଏବଂ ପ୍ରତିପକ୍ଷର ରଣନୀତିକୁ ବିଚାର ନକରି ସମ୍ଭବତଃ ଟିମ୍‌ ଇଣ୍ଡିଆ ଥିଙ୍କଟ୍ୟାଙ୍କ୍‌ ଦଳ ଗଠନ କରି ନଥିଲା । ତେବେ ଆଶ୍ଚର୍ଯ୍ୟ ଲାଗୁଛି ଯେ କୋହଲି ହୁଏତ ଅଧିନାୟକ ଭାବେ ଏତେ ଅଭିଜ୍ଞ ହୋଇ ନାହାନ୍ତି କିନ୍ତୁ ତାଙ୍କ ସହ ଜଣେ ଅଭିଜ୍ଞ କୋଚ୍‌ ରବି ଶାସ୍ତ୍ରୀ ଅଛନ୍ତି । ସେ କିଭଳି ଏ କଥା ଚିନ୍ତା କରି ପାରିଲେ ନାହିଁ ।

NATHAN LYON
ନାଥନ୍‌ ଲାୟନ୍‌

ପର୍ଥ ପିଚ୍‌ରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଫେଲ୍‌ ମାରିବେ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା । ତେବେ ଏମିତି ବିଫଳ ହେବେ ବୋଲି କେହି ଭାବି ନଥିଲେ । ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟ ହାରିିବା ପରେ ଦ୍ୱିତୀୟ ଟେଷ୍ଟରେ କଙ୍ଗାରୁ ଦଳ କିଛିବି ତ୍ରୁଟି କରିବ ନାହିଁ ଏବଂ ପୂରା ଦମ୍‌ରେ ଆଟାକ୍‌ କରିବ ବୋଲି ମଧ୍ୟ କୋହଲି ଏଣ୍ଡକୋଙ୍କୁ ଭାବିବାର ଥିଲା । ଉଭୟ ନିଂସ୍‌ରେ ବ୍ୟାଟ୍‌ସମ୍ୟାନ୍‌ଙ୍କ ବିଫଳତା କଥା ପଚାରିବାରେ କୋହଲି କହିଛନ୍ତି ହାରି ସାରିବା ପରେ ଏସବୁ କଥାର ବିଶ୍ଳେଷଣ କରିବାର କିଛି ଅର୍ଥ ନାହିଁ ।

ପରବର୍ତ୍ତୀ ମ୍ୟାଚ୍‌ ଉପରେ ଆମେ ଫୋକସ୍‌ କରିବୁ । ସେ ଆହୁରି କହିଛନ୍ତି ‘ଏହି ପରାଜୟକୁ ଏତେ ଗୁରୁତ୍ୱ ଦେବା ଉଚିତ ନୁହେଁ । କାରଣ ଆମେ ଭଲ ଖେଳୁଛୁ । ହେଲେ କୋହଲି କେମିତି ଭୁଲି ଯାଉଛନ୍ତି ଯେ ଭୁଲ ତ୍ରୁଟିରୁ ଶିକ୍ଷା ଲାଭ କଲେ ସିନା ତାକୁ ସୁଧାରି ହେବ । ଦଳର ସମସ୍ତେ ତାଙ୍କ ଭଳି ବ୍ୟାଟ୍‌ସମ୍ୟାନ୍‌ ନୁହନ୍ତି ଯେ ପ୍ରତି ମ୍ୟାଚ୍‌ରେ ଭଲ ସ୍କୋର କରିବେ । ଏକଥାକୁ ମଧ୍ୟ ତାଙ୍କୁ ଧ୍ୟାନ ଦେବାକୁ ହେବ ।

ମେଲବୋର୍ଣ୍ଣରେ ଭାରତର ରେକର୍ଡ଼ ୨-୭

ପୂର୍ବରୁ ପ୍ରଥମ ଟେଷ୍ଟ ଜିତି ପରେ ସିରିଜ୍‌ ହାରିବାର ରେକର୍ଡ଼ ମଧ୍ୟ ରଖିଛି ଭାରତୀୟ ଦଳ । ଆସନ୍ତା ୨୬ ତାରିଖରେ ମେଲବୋର୍ଣ୍ଣରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ୍‌ । ଏଠାକାର ପିଚ୍‌ରେ ଉଭୟ ବ୍ୟାଟ୍‌ସମ୍ୟାନ୍‌ ଓ ବୋଲର୍‌ଙ୍କୁ ସୁହାଏ । ସ୍ପିନରଙ୍କୁ ଭଲ ସହାୟତା ମିଳେ । ଭାରତ ମଧ୍ୟ ଏହି ଗ୍ରାଉଣ୍ଡରେ ପୂର୍ବରୁ ବିଜୟ ହାସଲ କରିଛି ।

MCG

୧୯୭୮ ଡିସେମ୍ବର ୩୦ ତାରିଖରେ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଭାରତ ୨୨୨ ରନ୍‌ର ବିଶାଳ ବିଜୟ ହାସଲ କରିଥିଲା । ପୁଣି ୧୯୮୧ରେ ଫେବ୍ରୁଆରୀ ୧୧ ତାରିଖରେ ୫୯ ରନ୍‌ରେ ବିଜୟୀ ହୋଇଥିଲା । ଏହି ପଡ଼ିଆରେ ଭାରତ ୭ଟି ପରାଜୟ ଲଭିଥିବା ବେଳେ ୨ଟି ମ୍ୟାଚ୍‌ ଡ୍ର ରଖିଛି । ଶେଷ ଥର ୨୦୧୪ ଡିସେମ୍ବରରେ ମ୍ୟାଚ୍‌ ଡ୍ର ରଖିଥିଲା ଭାରତୀୟ ଦଳ ।

ଆମେ ଭଲ ଖେଳୁଛୁ କହିଲେ ହେବ ନାହିଁ, ଭଲ ଖେଳିବାକୁ ହେବ । କାରଣ ଆମ ଦଳରେ ଦକ୍ଷ ଖେଲାଳି ଅଛନ୍ତି । ତେଣୁ ସଠିକ୍‌ ରଣନୀତି ସହ ଖେଳିଲେ ଯାଇ ସିରିଜ୍‌ କବଜା କରିବାର ସୁଯୋଗ ହାସଲ କରିବ । ନଚେତ ଇଂଲଣ୍ଡରେ ସିରିଜ୍‌ ହାରିବାର ରେକର୍ଡ଼କୁ ଦୋହରାଇବ ।

ହିମାଂଶୁ ପତିମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.