ପ୍ରବାସୀ ଓଡ଼ିଆଙ୍କ ଭୋଟ ଦେବାର ଆଗ୍ରହ, ଟାଣିଆଣିଲା ଦୁବାଇରୁ-ସମ୍ବଲପୁର ଦୀର୍ଘ ୩୩ ଘଣ୍ଟାର ପଥ

ଦେଶରେ ଏବେ ଚାଲିଛି ନିର୍ବାଚନ ପର୍ବ । ଭାରତର ଏହି ନିର୍ବାଚନ ଉତ୍ସବରେ ଭାଗ ନେବା ପାଇଁ ଏମିତି ଜଣେ ଓଡ଼ିଆଙ୍କୁ ଟାଣି ଆଣିଛି ସୂଦୁର ଦୁବାଇରୁ ସମ୍ବଲପୁରକୁ ।

କେନ୍ୟୁଜ : ଦେଶ ବାହାରେ ଥିଲେ ବି ଦେଶ ପ୍ରୀତି କାହା କାହାକୁ ଟାଣି ଆଣେ ସୁଦୂର ଦରିଆ ପାରି ଦେଶରୁ କିଛି ଉତ୍ସବ ଅବସରରେ । ଦେଶରେ ଏବେ ଚାଲିଛି ନିର୍ବାଚନ ପର୍ବ । ଭାରତର ଏହି ନିର୍ବାଚନ ଉତ୍ସବରେ ଭାଗ ନେବା ପାଇଁ ଏମିତି ଜଣେ ଓଡ଼ିଆଙ୍କୁ ଟାଣି ଆଣିଛି ସୂଦୁର ଦୁବାଇରୁ ସମ୍ବଲପୁରକୁ । ନିଜ ଦେଶର ନିର୍ବାଚନରେ ଭାଗନେଇ ମତଦାନ କରିବାର ସୌଭାଗ୍ୟରୁ ନିଜକୁ ବଂଚିତ କରିପାରି ନାହାଁନ୍ତି ଏହି ଓଡ଼ିଆ ମତଦାତା ଜଣକ । ସମ୍ବଲପୁର ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିବା ପାଇଁ ସେ ଦୁବାଇରୁ ସମ୍ବଲପୁର ହଜାର ହଜାର ମାଇଲ ପଥ ଅତିକ୍ରମ କରି ଆଜି ପହଞ୍ଚିଛନ୍ତି ସମ୍ବଲପୁରରେ । ନିର୍ବାଚନରେ ନିଜର ମତ ମଧ୍ୟ ସାବ୍ୟସ୍ତ କରିଛନ୍ତି ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଶ୍ରୀ ପ୍ରିୟଦର୍ଶୀ । ସେ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ସୁପୁତ୍ର । ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରରୁ ଆସିଥିବା ତଥା ସମ୍ବଲପୁର ମାଟିରେ ପଢ଼ିଥିବା ଓ ବଢ଼ିଥିବା ଶ୍ରୀ ପ୍ରିୟଦର୍ଶୀ କୁହନ୍ତି, ମୋର ଦିବଂଗତ ପିତା ସମ୍ବଲପୁର ବିଧାନସଭା ଆସନରୁ ଦୁଇ ଥର ବିଧାୟକ ହୋଇ ନନ୍ଦିନୀ ଶତପଥୀଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ତେଣୁ ଏହି ନିର୍ବାଚନ ସମୟରେ ଆସି ଭୋଟ ଦେବା ମୋର ଦେଶ ମାତୃକା ପାଇଁ କେବଳ ଶ୍ରଦ୍ଧା ନୁହେଁ ମୋର ଦିବଂଗତ ପିତାଙ୍କ ପାଇଁ ମଧ୍ୟ ବଡ଼ ଶ୍ରଦ୍ଧାଞ୍ଜଳି ।

ବିମାନରେ ଦୁବାଇରୁ କୋଲକାତା ଓ ସେଠାରୁ ଟ୍ରେନରେ ଝାରସୁଗୁଡା ଓ ପୁଣି ରାସ୍ତା ପଥରେ ସମ୍ବଲପୁର ଦୀର୍ଘ ୩ ୩ ଘଣ୍ଟାର ପଥ ଅତିକ୍ରମ କରି ଆଜି ସମ୍ବଲପୁରରେ ପ୍ରିୟଦର୍ଶୀ ଭୋଟ ଦେଇଥିବା କହିଛନ୍ତି । ସେ କୁହନ୍ତି, ଭୋଟ ଦେବା ପାଇଁ ଏତେଦୂରରୁ ଆସିବା ଗଣତନ୍ତ୍ରର ମୌଳିକ ମୂଲ୍ୟବୋଧ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଗାମୀ ଦିନ ପାଇଁ ଏହା ଏକ ଭଲ ବାର୍ତ୍ତା ବହନ କରିବ । ସମ୍ବଲପୁରରେ ମାତ୍ର ଗୋଟିଏ ଦିନ ରହି ସେ ପୁଣି ଦୁବାଇ ଫେରିଯିବେ । ତାଙ୍କ ସହ ୧୩ ବର୍ଷର ଝିଅ ତିଶ୍ୟା ମଧ୍ୟ ଆସିଛନ୍ତି ଯେ କି ଜଣେ ସ୍କୁବା ଡାଇଭର । ଶ୍ରୀ ପ୍ରିୟଦର୍ଶୀ କୁହନ୍ତି, ଯଦି ତାଙ୍କର ଏହି ଆଗମନ କୌଣସି ଜଣେ ବ୍ୟକ୍ତିଙ୍କୁ ମତଦାନ ପାଇଁ ଉତ୍ସାହିତ କରିଥାଏ, ତେବେ ତାହା ତାଙ୍କ ପାଇଁ ଏକ ବଡ଼ ଉପହାର ହେବ ।

Leave A Reply

Your email address will not be published.