ପ୍ରମୋଦ, ସ୍ବୟଂଶ, ପଞ୍ଚାନନ, ଅରୁଣ ପାଇଲେ ଓସଜା ପୁରସ୍କାର

କଟକ : ସ୍ଥାନୀୟ ଓଡିଶା ଅଲମ୍ପିକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ଓଡିଶା କ୍ରୀଡ଼ା ସାମ୍ବାଦିକ ସଂଘ(ଓସଜା)ର ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ। କ୍ରୀଡ଼ବିତ୍ ଓ କ୍ରୀଡ଼ା ସାମ୍ବାଦିକଙ୍କ ସମ୍ପର୍କ ଯୋଗୁଁ ରାଜରେ କ୍ରୀଡ଼ାର ବିକାଶ ହୋଇଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଅର୍ଜୁନ ପୁରସ୍କାର ବିଜେତା ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ (୨୦୧୯), ଓଡ଼ିଶାର ନୂଆ ଚେସ୍ ଗ୍ରାଣ୍ଡମାଷ୍ଟର୍ ସ୍ବୟମ୍ସ ମିଶ୍ର (୨୦୨୦) ବିଗତ ଦୁଇ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର ପାଇଥିବାବେଳେ ଏବଂ ସଫଳ ଖେଳାଳିରୁ ସଫଳ ପ୍ରଶିକ୍ଷକ ପାଲଟିଥିବା ଦୁଇ ଦୌଡ଼କୁଦ ବ୍ୟକ୍ତିତ୍ବ ପଞ୍ଚାନନ ଗନ୍ତାୟତ (୨୦୧୯) ଓ ଅରୁଣ ଦାସ (୨୦୨୦)ଙ୍କୁ ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍’ ସମ୍ମାନ ପ୍ରଦାନ କରାଯାଇଛି। ଉଭୟ ପୁରସ୍କାର ବାବଦରେ ଉପରୋକ୍ତ ୪ ଜଣଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ଅର୍ଥ ରାଶି, ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା।

ଓସଜା ପକ୍ଷରୁ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ବ ହୃଦୟନାଥ ଦାସ ଓ ଶ୍ୟାମାକାନ୍ତ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଉଭୟଙ୍କ ଅନୁପସ୍ଥିତିରେ ତାଙ୍କ ପରିବାର ଲୋକ ଏହା ଗ୍ରହଣ କରିଥିଲେ। ଏହି ଅବସରରେ ଅର୍ଜୁନ ପୁରସ୍କାର ବିଜେତା ତଥା ପ୍ରମୋଦ ଭଗତଙ୍କ ଯୁଗଳ ସାଥି ମନୋଜ ସରକାରଙ୍କୁ ଓସଜା ସମ୍ବର୍ଦ୍ଧିତ କରିଥିଲା। ଓସଜା ସମ୍ପାଦକ ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା, ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ, ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ରାଜେନ୍ଦ୍ର ପ୍ରସାଦ ସିଂହ, ଓସଜା ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ ରବି, ଆୟୋଜନ ସମିତି ସମ୍ପାଦକ ସୁଶାନ୍ତ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ।

Leave A Reply

Your email address will not be published.