ନିଜର ଅଲଗା ସୋସିଆଲ ମିଡିଆ ପ୍ଲାଟଫର୍ମ ଆରମ୍ଭ କରିବେ ଡୋନାଲ୍ଡ ଟ୍ରମ୍ପ, ବ୍ୟାନ୍‌କୁ ନେଇ ଟ୍ଵିଟର ଏବଂ ଫେସ୍‌ବୁକକୁ ଦେବେ କଡ଼ା ଜବାବ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣିଥରେ ସୋସିଆଲ ମିଡିଆକୁ ଫେରିବାକୁ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ଏଥର ସେ ନିଜର ଏକ ଅଲଗା ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏ ନେଇ ଟ୍ରମ୍ପ୍‌ଙ୍କ ପୁରୁଣା ପରାମର୍ଶଦାତା ତଥା ପ୍ରବକ୍ତା ଜେସନ ମିଲର ସୂଚନା ଦେଇଛନ୍ତି। ଏକ ଗଣମାଧ୍ୟମକୁ ବୟାନ ଦେବାକୁ ଯାଇ ମିଲର କହିଛନ୍ତି, ଟ୍ରମ୍ପ୍‌ ଆସନ୍ତା ୨-୩ ମାସ ମଧ୍ୟରେ ସୋସିଆଲ ମିଡିଆକୁ ଫେରି ପାରନ୍ତି। କିନ୍ତୁ ଏହି ପ୍ଲାଟଫର୍ମ ତାଙ୍କ ନିଜର ହିଁ ହେବ। ଆଗାମୀ ଭବିଷ୍ୟତରେ ଟ୍ରମ୍ପ୍‌ଙ୍କର ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଗେମ୍‌ ଚେଞ୍ଜର ପ୍ରମାଣିତ ହେବ। ଯଦିଓ ମିଲର ଏହି ମାମଲାରେ ଅନ୍ୟ କୌଣସି ସୂଚନା ଦେଇନାହାନ୍ତି।

କହି ରଖୁଛୁ, ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ସୋସିଆଲ ମିଡିଆରେ ନାହାନ୍ତି। ୟୁଏସ୍‌ କ୍ୟାପିଟୋଲରେ ହିଂସା ସୃଷ୍ଟି କରେଇବା ନେଇ ୬ ଜାନୁଆରୀରେ ଟ୍ରମ୍ପ୍‌ଙ୍କ ବିରୋଧରେ ଅଭିଯୋଗ ଉଠିଥିଲା। ଏହାପରେ ଟ୍ଵିଟର ଏବଂ ଫେସ୍‌ବୁକ ତାଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ସସ୍‌ପେଣ୍ଡ କରିଦେଇଥିଲେ। ୟୁଏସ୍‌ କ୍ୟାପିଟୋଲରେ ସୃଷ୍ଟି ହୋଇଥିବା ଏହି ହିଂସା ଯୋଗୁ ପୋଲିସ ଅଧିକାରୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିଲା।

ସସ୍‌ପେଣ୍ଡ ପୂର୍ବରୁ ଆକାଉଣ୍ଟ ବ୍ଲକ କରିଥିଲା ଟ୍ଵିଟର

ଜାନୁଆରୀରେ ହିଂସା ସୃଷ୍ଟି କରେଇବା ପରେ ଟ୍ଵିଟର ଟ୍ରମ୍ପ୍‌ଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ପାଇଁ ବ୍ଲକ କରିଦେଇଥିଲା। ଏଥି ସହିତ ତାଙ୍କ ଆକାଉଣ୍ଟରେ ଶେୟାର ହୋଇଥିବା ଏକ ଭିଡିଓ ଏବଂ ଅନ୍ୟ ଦୁଇ ଟ୍ଵିଟ୍‌କୁ ବି ହଟାଇ ଦେଇଥିଲା। କିନ୍ତୁ ପରେ ଟ୍ରମ୍ପ୍‌ଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ସସ୍‌ପେଣ୍ଡ କରି ଦିଆଯାଇଥିଲା। ଏହି ମାମଲାରେ ତାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ କହିଥିଲେ କି, ତାଙ୍କୁ ଚୁପ୍‌ କରାଯାଇ ପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.