Below header

କାଲି ମିଳିଲା ପଦ୍ମଶ୍ରୀ, ଆଜି ପୁରସ୍କାର ଓ ପଦକ ଧରି ଫୁଟପାଥରେ ବସିଛନ୍ତି ଅଲିମ୍ପିୟାନ ବୀରେନ୍ଦର ସିଂ! କହିଲେ, ସରକାର କରୁଛନ୍ତି ଭେଦଭାବ

ଦିବ୍ୟାଙ୍ଗ ଅଲିମ୍ପିୟାନ ବୀରେନ୍ଦର ସିଂଙ୍କୁ ମଙ୍ଗଳବାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା, ହେଲେ ଆଜି ସେ ହରିୟାଣା ଭବନ ସମ୍ମୁଖରେ ପଦ୍ମଶ୍ରୀ, ଅର୍ଜୁନ ଆଓ୍ଵାର୍ଡ ଏବଂ ପଦକ ଧରି ଫୁଟ୍‌ପାଥ ଉପରେ ବସିଛନ୍ତି। ତାଙ୍କ କହିବା ହେଲା, ହରିୟାଣା ସରକାର ତାଙ୍କ ସହିତ ଭେଦଭାବ କରୁଛନ୍ତି। ତେବେ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନକୁ ନେଇ ଖାସ୍‌ ଚର୍ଚ୍ଚା ଲାଗି ରହିଛି। ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଦିଲ୍ଲୀର ଜିତେନ୍ଦର ସିଂହ ଶାଣ୍ଟି ବି ସାମିଲ ଅଛନ୍ତି, ଯିଏକି, କୋଭିଡ୍‌ କାଳରେ ୪୦୦୦ ଶବ ଦାହ କରିଥିଲେ। ପଦ୍ମଶ୍ରୀ ପାଇ ଜିତେନ୍ଦର ସିଂ ଶାଣ୍ଟି ବେଶ୍‌ ଖୁସି ଥିବା ବେଳେ ଦିବ୍ୟାଙ୍ଗ ଅଲିମ୍ପିୟାନ ବୀରେନ୍ଦର ସିଂହ ଫୁଟ୍‌ପାଥ ଉପରେ ବସି ରହିଛନ୍ତି।

ଦିଲ୍ଲୀରେ ଦୁଇ ଥର କାଉନସିଲର ଏବଂ ଥରେ ବିଧାୟକ ହୋଇଥିବା ଜିତେନ୍ଦର ସିଂହ କୋଭିଡ୍‌ ସମୟରେ ୪୦୦୦ ଶବର ଅନ୍ତିମ ସଂସ୍କାର କରି ଚର୍ଚ୍ଚାକୁ ଆସିଥିଲେ। ଏହି ସେବା ପାଇଁ ପ୍ରଥମେ ତାଙ୍କୁ ରାଜନୀତି ଏବଂ ପରେ ଘର ଛାଡ଼ିବାକୁ ପଡ଼ିଥିଲା। ଏବେ ତାଙ୍କର ଅଧିକାଂଶ ସମୟ ଶ୍ମଶାନ ଘାଟରେ ହିଁ ବିତୁଛି। ସହିଦ ଭଗତ ସିଂ ସେବା ଦଳର ଅଧ୍ୟକ୍ଷ ଥିବା ଜିତେନ୍ଦର ସିଂ ଶାଣ୍ଟି କୁହନ୍ତି, କୋଭିଡ୍‌ କଥା ମନେ ପଡ଼ିଗଲେ ଛାତି ଫାଟି ଯାଉଛି। କେବେ ଭାବିଦେଲେ ରାତିସାରା ନିଦ ଆସେ ନାହିଁ। ମୁଁ ୪ ହଜାର ଶବର ଅନ୍ତିମ ସଂସ୍କାର କରିଛି। ପ୍ରଧାନମନ୍ତ୍ରୀ ଭେଟିଥିଲେ, ଆଉ କହିଲେ, ଶାଣ୍ଟି ବହୁତ ବଢ଼ିଆ କାମ କରୁଛି। ଉପ ରାଷ୍ଟ୍ରପତି ନ୍ୟୁଜ୍‌ ଚ୍ୟାନେଲ ଦେଖି ଫୋନ୍‌ କରି କହିଥିଲେ, ଆପଣ ବଢ଼ିଆ କାମ କରୁଛନ୍ତି।

ସେପଟେ ଦିବ୍ୟାଙ୍ଗ ଅଲିମ୍ପିକ୍‌ରେ କୁସ୍ତିରେ ୩ ଥର ସ୍ୱର୍ଣ୍ଣ ପଦକ ଜିତି ସାରିଥିବା ବୀରେନ୍ଦରଙ୍କୁ ମଙ୍ଗଳବାର ପଦ୍ମଶ୍ରୀ ମିଳିଥିଲା। ଆଉ ବୁଧବାର ସେ ପୁରସ୍କାର ଧରି ଫୁଟପାଥ୍‌ରେ ଯାଇ ବସିଥିଲେ। ବୀରେନ୍ଦର କହି କିମ୍ବା ଶୁଣି ପାରନ୍ତି ନାହିଁ। କିନ୍ତୁ ତାଙ୍କ ହାତରେ ପଦକ ଏବଂ ସାମ୍ନାରେ ଥୁଆ ହୋଇଥିବା ଅର୍ଜୁନ ଆଓ୍ଵାର୍ଡ ଏହି କଥାକୁ ପ୍ରମାଣିତ କରୁଛି କି, କୁସ୍ତିରେ ତାଙ୍କର ଯୋଗଦାନ କାରଣରୁ ସେ ପଦ୍ମଶ୍ରୀ ପାଇବାକୁ ସକ୍ଷମ ହୋଇଛନ୍ତି। ତାଙ୍କର କେନ୍ଦ୍ର ସରକାରଙ୍କୁ ନେଇ କୌଣସି ଅଭିଯୋଗ ନାହିଁ, ହେଲେ ହରିୟାଣା ସରକାରଙ୍କୁ ନେଇ ଅଭିଯୋଗର ଲମ୍ବା ତାଲିକା ରହିଛି। ବୀରେନ୍ଦରଙ୍କ ଭାଇ ରାମବୀର କହିଛନ୍ତି କି, ହରିୟାଣା ସରକାର ମାତ୍ର ୧ କୋଟି ସହ ସି-ଗ୍ରେଡ୍‌ର ଚାକିରି ଦେଇଛନ୍ତି। ଯେତେବେଳେ କି, ପାରା ଅଲିମ୍ପିୟାନ ଏବଂ ଅଲିମ୍ପିୟାନମାନଙ୍କୁ ଅଧିକ ସୁବିଧା ସୁଯୋଗ ଦିଆଯାଉଛି। ଆମେ ପ୍ରଧାନମନ୍ତ୍ରୀଙ୍କୁ କାଲି ଏ ବିଷୟରେ ଜଣାଇଛୁ। ‘ଆମେ କଥା ହେବା’ ବୋଲି ସେ ଆମକୁ କହିଛନ୍ତି। ଏହିପରି ଲୋକ ନୃତ୍ୟରେ ବେଶ୍‌ ନାଁ କମାଇଥିବା ଟ୍ରାନ୍ସଜେଣ୍ଡର ମନଜପ୍ପାଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏମିତି ଅନେକ ଲୋକଙ୍କୁ ଏଥର ପଦ୍ମଶ୍ରୀ ଜରିଆରେ ପରିଚୟ ମିଳିଛି, ଯେଉଁମାନେ ସମସ୍ତଙ୍କ ଆଗୋଚରେ ରହି ନିଜ ନିଜ କ୍ଷେତ୍ରରେ କାମ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.