Below header

ପୃଥ୍ଵୀ ସ : ଡେବ୍ୟୁରେ ଶତକ ମାରିବାରେ ଧୁରନ୍ଧର, ଜାଣନ୍ତୁ ତାଙ୍କ ରେକର୍ଡ଼

ପୃଥ୍ଵୀ ସ । ବୟସ ୧୮ ବର୍ଷ ୩୨୯ ଦିନ । ଆଜିର ଦିନରେ ଏହି ମୁମ୍ବାଇ ବ୍ୟାଟସମ୍ୟାନ ରାଜକୋଟ ଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ମ୍ୟାଚରେ ଶତକ ହାସଲ କରିଛନ୍ତି । ଏହି ସଫଳତା ହାସଲ କରିବାରେ ସେ ହେଛନ୍ତି ଭାରତର ସର୍ବକନିଷ୍ଠ ଖେଳାଳି । ପୂର୍ବରୁ ଏହି ରେକର୍ଡ଼ ଥିଲା ଆବାସ ଅଲୀ ବେଗଙ୍କ ନାଁରେ । ବେଗଙ୍କ ବୟସ ୨୦ ବର୍ଷ ୧୩୧ ଦିନ ହୋଇଥିବା ବେଳେ ସେ ଶତକ ହାସଲ କରିଥିଲେ ।

after century

ମାତ୍ର ୯୯ଟି ବଲ ଖେଳି ସେ ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରିଛନ୍ତି ପୃଥ୍ଵୀ । ସର୍ବକନିଷ୍ଠ ଭାବେ ପଦାର୍ପଣ ଟେଷ୍ଟରେ ଶତକ କରିବାରେ ପୃଥ୍ଵୀ ହେଉଛନ୍ତି ବିଶ୍ବର ଚତୁର୍ଥ ଖେଳାଳି । ତାଙ୍କ ଅଗରେ ଅଛନ୍ତି ବାଂଲାଦେଶର ମହମ୍ମଦ ଅସ୍ରଫଉଲ୍, ଜିମ୍ବାୱେର ହାମିଲଟନ୍ ମାସାକାଜା ଏବଂ ପାକିସ୍ତାନର ସଲିମ ମଲିକ । ସର୍ବ କନିଷ୍ଠ ଭାବେ ରେକର୍ଡ଼ କରିଥିବା ଅସ୍ରଫଉଲଙ୍କୁ ଶତକ କଲା ବେଳେ ୧୭ ବର୍ଷ ୬୧ ଦିନ ବୟସ ହୋଇଥିଲା ।

ତେବେ ସର୍ବକନିଷ୍ଠ ଭାବେ ଶତକ ଲାଭ କରିବାରେ ପୃଥ୍ଵୀ ହେଉଛନ୍ତି ଭାରତର ଦ୍ବିତୀୟ ବ୍ୟାଟସମ୍ୟାନ । ପୂର୍ବରୁ ସଚିନ ତେନ୍ଦୁଲକର ସର୍ବକନିଷ୍ଠ ଖେଳାଳି ଭାବେ ଶତକ ହାସଲ କରିଥିଲେ । ସେ ଇଂଲଣ୍ଡ ବିପକ୍ଷରେ ୧୯୯୦ରେ ଓଲଡ ଟ୍ରାଫର୍ଡ ଠାରେ ଶତକ କରିଥିଲେ । ସେତେବେଳେ ତାଙ୍କ ବୟସ ଥିଲା ୧୭ ବର୍ଷ ୧୧୨ ଦିନ । ନିଜର ପ୍ରଥମ ଟେଷ୍ଟରେ ଶତକ ହାସଲ କରିବାରେ ପୃଥ୍ଵୀ ହେଉଛନ୍ତି ଭାରତର ୧୫ ନମ୍ବର ଖେଳାଳି ।

WITH TROPHY

ଆଉ ଗୋଟିଏ ରେକର୍ଡ଼ ମଧ୍ୟ ହେଲା ପୃଥ୍ଵୀଙ୍କ ନାଁରେ । ପଦାର୍ପଣ ଟେଷ୍ଟରେ ୧୦୦ ବଲ୍ ଭିତରେ ଶତକ କରିବାରେ ସେ ହେଉଛନ୍ତି ବିଶ୍ବର ୩ୟ ଖେଳାଳି । ପୂର୍ବରୁ ୱେଷ୍ଟଇଣ୍ଡିଜର ଡ୍ବେନ ସ୍ମିଥ୍ ୯୩ ଓ ଭାରତର ଶିଖର ଧବନ ୮୫ ବଲରେ ଶତକ ହାସଲ କରିଥିଲେ । ତେନ୍ତୁଲକରଙ୍କ ଭଳି ପୃଥ୍ଵୀ ନିଜର ପ୍ରଥମ ରଣଜୀ ଓ ଦୁଲୀପ ଟ୍ରଫି ମ୍ୟାଚରେ ଶତକ ହାସଲ କରିଥିଲେ ।

ସୁଯୋଗର ପୂରା ଫାଇଦା ଉଠାଇଲେ

ପ୍ରଥମେ କଳ୍ପନା ଜଳ୍ପନା ଚାଲିଥିଲା ଯେ ଏତେ ସବୁ ଅଭିଜ୍ଞ ଏବଂ ସିନିୟ ଓପ୍ନର ଥାଉ ଥାଉ ପୃଥ୍ଵୀଙ୍କୁ ୧୧ ଜଣିଆ ଦଳରେ ସୁଯୋଗ ମିଳିବ କି ନାହିଁ । ଯଦି ମିଳେ ସେ କିଭଳି ପ୍ରଦର୍ଶନ କରିବେ ? ହେଲେ ଆଜି ଅଧିନାୟକ ବିରାଟ କୋହଲି ତାଙ୍କୁ ଭାରତୀୟ ଦଳର କ୍ୟାପ୍ ପ୍ରଦାନ କଲେ । ଆଉ ତାଙ୍କର ଏବଂ ଚୟନକର୍ତ୍ତାଙ୍କ ଆସ୍ଥାକୁ ରଖି ପୃଥ୍ଵୀ ସ ଦେଖାଇ ଦେଇଛନ୍ତି କି ସେ ଲମ୍ବା ରେସର ଘୋଡ଼ା । ବଢ଼ିଆ ଆଭିମୁଖ୍ୟ, ପରିପକ୍ବତା, ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ୱିକେଟ୍ ଭିତରେ ସୁନ୍ଦର ବୁଝାମଣା ପୃଥ୍ଵୀଙ୍କୁ ବହୁ ଅଗକୁ ନେବ । ତାଙ୍କର ଫୁଟୱାର୍କ ଓ ଷ୍ଟ୍ରୋକ କ୍ରିକେଟ୍ ବିଶେଷଜ୍ଞଙ୍କୁ ବହୁତ ପସନ୍ଦ ଆସିଛି । ଯାହା ତାଙ୍କର ବହୁତ ବଡ଼ ସାମର୍ଥ୍ୟ ବୋଲି ସେମାନେ କହୁଛନ୍ତି ।

prithvi-shaw-sachin-tendulkar

୨୦୧୭ ଜାନୁଆରୀ ମାସରେ ତାମିଲନାଡୁ ବିପକ୍ଷରେ ଏଇ ରାଜକୋଟରେ ଖେଳି ପୃଥ୍ଵୀ ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ । ଏହା ଥିଲା ରଣଜୀ ଟ୍ରଫି ସେମିଫାଇନାଲ୍ ମ୍ୟାଚ୍ । ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ ପୃଥ୍ଵୀ । ହେଲେ ଦ୍ବିତୀୟ ଇନିଂସରେ ଦେଖାଇଲେ କମାଲ । ୧୨୦ ରନର ଇନିଂସ୍ ଖେଳିଲେ । ଯାହାଫଳରେ ମୁମ୍ବାଇ ଦଳ ୬ ୱିକେଟରେ ଜିତି ଫାଇନାଲରେ ପ୍ରବେଶ କରିଥିଲା । ରାଜକୋଟ ତାଙ୍କ ପାଇଁ ଲକୀ ସାବ୍ୟସ୍ତ ହୋଇଛି ।

ଏପର୍ଯ୍ୟନ୍ତ ୧୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ପୃଥ୍ଵୀ ୫୬.୭୨ ହାରରେ ୧୪୧୮ ରନ୍ ସ୍କୋର କରିଛନ୍ତି । ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୮୮ ରନ୍ । ଭାରତ ପକ୍ଷରୁ ୨୨ଟି ‘ଏ’ ମ୍ୟାଚ୍ ଖେଳି ସେ କରିଛନ୍ତି ୯୩୮ ରନ୍ । ସେହିପରି ଟିଟ୍ବେଣ୍ଟିରେ ୯ଟି ମ୍ୟାଚ୍ ଖେଳି ୨୪୫ ରନ୍ ସଂଗ୍ରହ କରିଛନ୍ତି ।

WITH DRAVID

ଭାରତୀୟ ୧୯ ବର୍ଷରୁ କମ୍ ଦଳର ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି ପୃଥ୍ଵୀ । ଆଇପିଏଲରେ ଦିଲ୍ଲୀ ଡେୟାର ଡେଭିଲସ୍ ତରଫରୁ ଖେଳୁଛନ୍ତି । ମାତ୍ର ୧୪ ବର୍ଷ ବୟସରେ ୩୩୦ ବଲରେ ୫୪୬ ରନର ଇନିଂସ୍ ଖେଳି ସେ ସମସ୍ତଙ୍କୁ ଚକିତ କରି ଦେଇଥିଲେ । ସେଇଠୁ ଆରମ୍ଭ ହୋଇଥିଲା ତାଙ୍କୁ ନେଇ ଚର୍ଚ୍ଚା । ଏହି ବିଶାଳ ଇନିଂସରେ ଥିଲା ୮୫ଟି ଚୌକା ଓ ୫ଟି ଛକା । ମୁମ୍ବାଇରେ ଜୁନିୟର ଖେଳାଳିଙ୍କ ପାଇଁ ହେଉଥିବା ହ୍ୟାରିସ୍ ସିଲଡ୍ ଟୁର୍ଣ୍ଣାମେଣ୍ଟରେ ସେ ତାଙ୍କ ସ୍କୁଲ ରିଜଭି ସ୍ପ୍ରିଙ୍ଗଫିଲଡ୍ ପକ୍ଷରୁ ଏହି ସ୍କୋର କରିଥିଲେ । ଇଏ ହେଉଛି ୨୦୧୩ ମସିହାର କଥା । ୨୦୧୬ ନଭେମ୍ବରରେ ସେ ଭାରତୀୟ ଯୁବ ଦଳରେ ସାମିଲ ହେଲେ । ଏହି ୧୯ ବର୍ଷରୁ କମ୍ ଦଳ ଶ୍ରୀଲଙ୍କାରେ ହୋଇଥିବା ଏସିଆ ଯୁବ କପ୍ ଜିତିଥିଲା ।

ଏତିକିରେ ସରୁ ନାହିଁ ପୃଥ୍ଵୀଙ୍କ ସଫଳତାର କଥା। ଗତ ବର୍ଷ ସେପଟେମ୍ବର ମାସରେ ସେ ଦଲୀପ ଟ୍ରଫିରେ ନିଜ ପ୍ରଥମ ମ୍ୟାଚ୍ ଖେଳି ଶତକ କରିଥିଲେ । ଏଭଳି କରିବାରେ ସେ ହେଉଛନ୍ତି ସଚିନ୍ ତେନ୍ଦୁଲକରଙ୍କ ପରେ ଦ୍ବିତୀୟ ଖେଳାଳି । ୨୦୧୮ ଜୁନିୟର ବିଶ୍ବ କପରେ ସେ ହେଲେ ଭାରତୀୟ ଦଳର ଅଧିନାୟକ । ଦଳ ଚାମ୍ପିଅନ୍ ହୋଇଛି । ଆଇପିଏଲରେ ମଧ୍ୟ ସେ ସର୍ବକନିଷ୍ଠ ଖେଳାଳି ଭାବେ ଓପ୍ନିଂ କରିଥିଲେ । ସେ ହେଉଛନ୍ତି ଭାରତର ୨୯୩ତମ ଟେଷ୍ଟ ଖେଳାଳି ।

WORLD CUP

‘ବିରାର କା ଛୋକରା’ ଟେଷ୍ଟ ଡେବ୍ୟୁ ପୂର୍ବରୁ କୋଟିପତି

୧୯୯୯ ମସିହା ନଭେମ୍ବର ୯ ତାରିଖରେ ଥାନେ ଅଞ୍ଚଳ ବିରାରରେ ଜନ୍ମ ନେଇଥିଲେ ପୃଥ୍ଵୀ ପଙ୍କଜ ସ । ପୃଥ୍ଵୀ ସ’ଙ୍କୁ ଏସଜି ଭଳି ନାମୀ କ୍ରୀଡ଼ା ସରଞ୍ଜାମ ନିର୍ମାତା କମ୍ପାନୀ ସ୍ପନସର ଭାବେ ମିଳିଛନ୍ତି । ୩୬ ଲକ୍ଷ ଟଙ୍କାରେ ତାଙ୍କ ସହ ଚୁକ୍ତି ହୋଇଛି । ଯିଏକ ପୂର୍ବରୁ ରାହୁଲ ଦ୍ରାବିଡ଼ ଓ ସୁନୀଲ ଗାଭାସ୍କର, ବୀରେନ୍ଦ୍ର ସେହବାଗଙ୍କ ଭଳି ଖେଳାଳିଙ୍କର ପ୍ରାୟୋଜକ ଥିଲେ । ୨୦୧୦ରେ ମାତ୍ର ୧୧ ବର୍ଷ ବୟସରେ ପୃଥ୍ଵୀଙ୍କୁ ନିଜର ଦକ୍ଷତା ପାଇଁ ଏକ ସ୍ପନସରସିପ୍ ମିଳିଥିଲା । ଏହି ସ୍ପନସରସିପ୍ ସହାୟତାରେ ସେ ଓ ତାଙ୍କ ପରିବାର ମୁମ୍ବାଇ ଚାଲି ଆସିଥିଲେ । ସେଠାରେ ବଢ଼ିଥିଲା ପୃଥ୍ଵୀଙ୍କ କ୍ରିକେଟ୍ ପାଠ । ଇଣ୍ଡିଆନ ଅଏଲ୍ କମ୍ପାନୀ ମଧ୍ୟ ତାଙ୍କର ପ୍ରାୟୋଜକ ହୋଇଥିଲା ।

ଅଭିନନ୍ଦନ ଓ ପ୍ରଶଂସାର ସୁଅ

ଏଇ ଯୁବ ବ୍ୟାଟସମ୍ୟାନଙ୍କୁ ଅଭିନନ୍ଦନ ଓ ପ୍ରଶଂସାର ସୁଅ ଛୁଟିଛି । ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି ପୃଥ୍ଵୀ । ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ହରଭଜନ ସିଂହ ପର୍ଯ୍ୟନ୍ତ ସମସ୍ତେ ଟୁଇଟ୍ କରିଛନ୍ତି ପୃଥ୍ଵୀଙ୍କୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.