ତୃତୀୟ ଟେଷ୍ଟ : ରୋହିତ ଶର୍ମାଙ୍କ ସର୍ବାଧିକ ସ୍କୋର ୨୧୨ ରନ୍, ୪୯୭ ରନ୍ରେ ପାଳି ଘୋଷଣା କଲେ ବିରାଟ

ରାଞ୍ଚି : ଓପ୍ନର ରୋହିତ ଶର୍ମାଙ୍କ ପ୍ରଥମ ଦ୍ୱିଶତକ ଏବଂ ଅଜିଙ୍କ୍ୟ ରାହାଣେଙ୍କ ଶତକ ବଳରେ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ଭାରତୀୟ ଦଳ ୯ ଓ୍ଵିକେଟ୍ରେ ୪୯୭ ରନ୍ କରି ପାଳି ଘୋଷଣା କରିଛି । ଏହା ପରେ ବ୍ୟାଟିଂ ଆରମ୍ଭ କରି ଆଜି ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୫ ଓଭର୍ ଖେଳରେ ୯ ରନ୍ କରି ୨ଟି ଗୁରୁତ୍ୱପୂର୍ଣ୍ଣ ଓ୍ଵିକେଟ୍ ହରାଇଛି । ଦୁଇ ଓପ୍ନର ଏଲଗାର ଓ ଡିକକ୍ଙ୍କୁ ସାମି ଓ ଉମେଶ ଯାଦବ ବିଦା କରି ଦେଇଛନ୍ତି ।
ରୋହିତ ଓ ରାହାଣେ ଚତୁର୍ଥ ଓ୍ଵିକେଟ୍ରେ ୨୬୭ ରନ୍ ସଂଗ୍ରହ କରିଥିଲେ । ନିଜର ୧୧ତମ ଟେଷ୍ଟ ଶତକ କରିଥିବା ରାହାଣେ ୧୧୫ ରନ୍ (୧୯୨ ବଲ୍, ୧୭ ଚୌକା ଓ ୧ ଛକା) କରି ଆଉଟ୍ ହୋଇଥିଲେ । ହେଲେ ଦିନିକିଆରେ ସବୁ ବେଳେ ବଡ଼ ଇନିଂସ୍ ଖେଳିବାରେ ଧୁରନ୍ଧର ରୋହିତ ତାଙ୍କର ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ । ସେ ୨୧୨ ରନ୍ କରିବା ପରେ ରାବଡ଼ାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ରୋହିତ ୨୫୫ ବଲ୍ ଖେଳି ୨୮ଟି ଚୌକା ଓ ୬ଟି ଛକା ମାରିଥିଲେ । ୩୦ତମ ଟେଷ୍ଟରେ ରୋହିତଙ୍କର ଇଏ ହେଉଛି ଷଷ୍ଠ ଶତକ ।
100 ✔
150 ✔
200 ✔@ImRo45 you beauty 😍 pic.twitter.com/FDMXsjlwcr— BCCI (@BCCI) October 20, 2019
ପରେ ରବୀନ୍ଦ୍ର ଜାଡେଜା ୫୧, ରିଧିମାନ ଶାହ ୨୪, ଅଶ୍ୱିନ୍ ୧୪, ଉମେଶ ଯାଦବ ୩୧ ରନ୍ କରିଛନ୍ତି । ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ନଦିମ ୧ ଏବଂ ମହମ୍ମଦ ସାମି ୮ ରନ୍ କରି ଅପରାଜିତ ଥିଲେ । ଜାଡେଜା ଆଜି ତାଙ୍କର ୪୬ତମ ଟେଷ୍ଟରେ ୧୩ ନମ୍ବର ଶତକ ପିଟିଛନ୍ତି । ଠିକ୍ ଚା’ ପାନ ବିରତି ବେଳକୁ ଅଧିନାୟକ ବିରାଟ କୋହଲି ପାଳି ଘୋଷଣା କରିଦେଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲିଣ୍ଡେ ସର୍ବାଧିକ ୪ଟି ଏବଂ ରାବଡ଼ା ୩ଟି ଓ୍ଵିକେଟ୍ ଦଖଲ କରିଛନ୍ତି ।