Below header

୧୮ରେ ଆଇପିଏଲ୍ ହାଟ : ଫ୍ରାଞ୍ଚାଇଜି କିଣିବେ ଖେଳାଳି, ଫୋକସ୍‌ରେ ୫ ନୂଆ ଷ୍ଟାର୍‌

ଆଇପିଏଲ୍ ପାଇଁ ବାଜିଲାଣି ବିଗୁଲ୍। ଆସନ୍ତା ୧୮ ତାରିଖରୁ ରାଜସ୍ଥାନ ଜୟପୁରରେ ଆରମ୍ଭ ହେବ ଖେଳାଳି ନିଲାମ। ଏଥିପାଇଁ ୧୦୦୩ ଜଣ ଖେଳାଳି ପଞ୍ଜୀକୃତ ହୋଇଛନ୍ତି। ନିଜ ନିଜ ଟିମ୍କୁ ଶକ୍ତିଶାଳୀ କରିବା ପାଇଁ ଫ୍ରାଞ୍ଚାଇଜି ଟିମ୍‌ର ସଉଦା କରିବେ । ୧୦୦୩ କ୍ରିକେଟରଙ୍କ ମଧ୍ୟରେ ୨୩୨ ଜଣ ବିଦେଶୀ ଓ ୭୪୬ ଭାରତୀୟ ଖେଳାଳି ଅଛନ୍ତି। ପ୍ରତିବର୍ଷ ଆଇପିଏଲ୍ରୁ ନୂଆ ସମ୍ଭାବନା ବାହାରି ବିଶ୍ବ କ୍ରିକେଟରେ ନିଜର ଦବଦବା ଦେଖାଉଥିବା ଅନେକ ନଜିର ରହିଛି। ଘରୋଇ କ୍ରିକେଟର ଭଲ ଖେଳ ଦେଖାଇଥିବା ଖେଳାଳି ଆଇପିଏଲରେ ଡାର୍କ ହର୍ସ ବନି ଥାଆନ୍ତି । ପୂର୍ବ ଆଇପିଏଲ୍ ସିଜିନରେ ଏମିତି ଚିତ୍ର ଦେଖିବାକୁ ମିଳିଛି । ଆସନ୍ତୁ ନଜର ପକାଇବା ଏମିତି ୫ଜଣ କ୍ରିକେଟରଙ୍କ ଉପରେ ଯେଉଁମାନେ ଚଳିତ ନିଲାମ ପ୍ରକ୍ରିୟାରେ ବଡ଼ହସ୍ତୀଙ୍କୁ ବି ପଛରେ ପକାଇବାର ଦମ୍ ରଖିଛନ୍ତି ।

ଶିବମ୍ ଦୁବେ (ଭାରତ)

Shivam-Dubey

ପ୍ରଥମ ଶ୍ରେଣୀ କ୍ରିକେଟରେ ଗତବର୍ଷ ଡେବ୍ୟୁ କରିଥିବା ଶିବମ ଦୁବେ ଚଳିତ ବର୍ଷ ରଣଜୀ ଚ୍ରଫିରେ ମୁମ୍ବାଇ ପାଇଁ ଖରାପ ପ୍ରଦର୍ଶନ କରିଥିଲେ ବି ହେଡଲାଇନ୍ସରେ ରହିଛନ୍ତି। ଏହି ବାମହାତୀ କ୍ରିକେଟରଙ୍କ ଗୋଟିଏ ମ୍ୟାଚରେ ଧୂଆଁଧାର ଇନିଂସ ଯିଏ ଦେଖିଥିବ, ମନେ ଥିବ। ମୁମ୍ବାଇ ଟି-୨୦ ଲିଗର ଗୋଟିଏ ମ୍ୟାଚରେ ପ୍ରବୀଣ ତାମ୍ବେଙ୍କ ଗୋଟିଏ ଓଭରରେ ମାରିଥିଲେ ୩୨ ରନ୍। କମ୍ ଦିନର କ୍ରିକେଟ କ୍ୟାରିଅର ଭିତରେ ମୁମ୍ବାଇ ପାଇଁ ବିଭିନ୍ନ ସମୟରେ ବହୁମୂଲ୍ୟ ସାବ୍ୟସ୍ତ ହୋଇଛନ୍ତି ଶିବମ ଦୁବେ। ୧୩ଟି ଟି-୨୦ରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ରହିଛି ୧୪୭.୧୨ । ଆଇପିଏଲ୍ ଭଳି ଫଟାଫଟ୍‌ ଫର୍ମାଟର ହୀରା ଭାବରେ ଝଲସୁଛନ୍ତି ଶିବମ୍। କିମ୍ବଦନ୍ତୀ ସୁନୀଲ ଗାଭାସ୍କର ବି ତାଙ୍କର ଫ୍ୟାନ ହୋଇ ଯାଇଛନ୍ତି । ସେ କହିଛନ୍ତି, ସୌରଭ ଗାଙ୍ଗୁଲି ଓ ଯୁବରାଜ ସିଂହଙ୍କ ପରେ ପ୍ରଥମ ଥର ଜଣେ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବଶାଳୀ ଇନିଂସ ଦେଖିଲେ। ଯଦି ଚଳିତ ଆଇପିଏଲ୍ ସିଜିନରେ ମୌକା ମିଳେ ଶିବମ ବି ଦେଖାଇ ଦେବେ ସେ କୌଣସି ଗୁଣରେ କମ୍ ନୁହଁ।

ନିକୋଲସ୍ ପୂରଣ (ଓ୍ୱେଷ୍ଟଇଣ୍ଡିଜ)

Nicolas-Pooran

ଭାରତ ଗସ୍ତରେ ଆସିଥିବା ବେଳେ ଓ୍ବେଷ୍ଟଇଣ୍ଡିଜର ଏହି ଖେଳାଳି ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ ଧମାଲ ମଚେଇଥିଲେ। ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିବା କ୍ରିକେଟର ନିକୋଲସ୍ ପୂରଣ ୨୫ବଲ୍ରୁ ୫୩ ରନ୍ ବାହାର କରିଥିଲେ। କାରେବିୟାନ୍ ପ୍ରିମିୟର ଲିଗରେ ୨୩ ବର୍ଷୀୟ ଏହି କ୍ରିକେଟର ୧୦ମ୍ୟାଚରୁ ସ୍କୋର କରିଥିଲେ ୨୬୭ ରନ୍। ଷ୍ଟ୍ରାଇକ ରେଟ୍ ଥିଲା ୧୪୪। ପ୍ରତିବଦଳରେ ଓ୍ୱେଷ୍ଟଇଣ୍ଡିଜ ଟିମ୍‌ରେ ସ୍ଥାନ ମିଳିଥିଲା। ନିକଟରେ ଶେଷ ହୋଇଥିବା ଟି-୧୦ ଲିଗରେ ବି ଗର୍ଜିଥିଲା ନିକୋଲସଙ୍କ ବ୍ୟାଟ୍। ୯ଟି ମ୍ୟାଚରେ ୩୨୪ରନ୍ ପିଟିଛନ୍ତି। ଷ୍ଟ୍ରାଇକ୍ ରେଟ୍ ୨୪୫.୪୫। ଆଇପିଏଲ୍ ନିଲାମୀରେ ବହୁ ବଡ଼ ବଡ଼ ଷ୍ଟାରଙ୍କ ଚମକକୁ ନିକୋଲସ୍ ଫିକା ପକାଇ ଦେଇ ପାରନ୍ତି ।

ମହମ୍ମଦ ଶେହଜାଦ୍ (ଆଫଗାନିସ୍ତାନ)

Mohammad-Shahzad

ଆଫଗାନିସ୍ତାନ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ । ୩୦ବର୍ଷୀୟ ମହମ୍ମଦ ଶେହଜାଦ ବର୍ଷେ ବାସନ୍ଦାଦେଶ କାଟିବା ପରେ କ୍ରିକେଟକୁ ଫେରିଛନ୍ତି । ଟି-୨୦ ଲିଗରେ ରାଜପୁତ୍‌ସ ପକ୍ଷରୁ ଖେଳି ୧୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ୧୫ ବଲରେ ୭୪ ରନ୍ କରି ନଟ୍ ଆଉଟ୍ ଥିଲେ ଶେହଜାଦ୍। ସେ ଧୋନିଙ୍କୁ ନିଜ ଗୁରୁ ମାନନ୍ତି। ଧୋନି ୭ ନମ୍ବର ଲେଖାଥିବା ଜର୍ସି ପିନ୍ଧୁଥିବା ବେଳେ ଶେହଜାଦ ପିନ୍ଧୁଛନ୍ତି ୭୭ ନମ୍ବର ଜର୍ସି। ଧୋନିଙ୍କୁ ଗୁରୁ ମାନୁଥିବା ଏହି କ୍ରିକେଟର ଆଇପିଏଲ୍ ପାଇଁ ଜଣେ ବଡ଼ ଦାବିଦାର। ତାଙ୍କୁ କିଏ କିଣୁଛି ଦେଖିବାକୁ ଅପେକ୍ଷା ରହିଲା।

ଫଓ୍ୱାଦ୍ ଅହମ୍ମଦ (ଅଷ୍ଟ୍ରେଲିଆ)

Fawad-Ahmed

ଅଷ୍ଟ୍ରେଲିଆ ଲେଗ୍ ସ୍ପିନର ଫଓ୍ୱାଦ ଅହମ୍ମଦ। ତାଙ୍କ ଫିରକିରେ ଭଲ ଭଲ ବ୍ୟାଟ୍‌ସମ୍ୟାନ୍ କ୍ଲିନ୍ ବୋଲ୍ଡ । ରନ୍ ଦେବାରେ ଭାରି କଞ୍ଜୁସ୍। ଚଳିତ ଆଇପିଏଲରେ ମାଲାମାଲ ହୋଇପାରନ୍ତି ଫଓ୍ୱାଦ ଅହମ୍ମଦ। ୨୦୧୩ରେ ବିଗ୍ ବସ୍ ଲିଗରେ ପଦାର୍ପଣ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ୫୨ ମ୍ୟାଚରୁ ୫୭ ଓ୍ୱିକେଟ ନେଇଥିଲେ ବି ତାଙ୍କ ଇକୋନୋମି ରେଟ୍‌ ଥିଲା ୬.୭୮। ଚଳିତ ବର୍ଷ ତାଙ୍କ ପ୍ରଦର୍ଶନ ବଢ଼ିଆ ରହିଛି। ଯଦି ଏଥର ଆଇପିଏଲ୍ ଦୁବାଇର ଧିମା ପିଚରେ ଖେଳାଯାଏ, ତେବେ ଫଓ୍ୱାଦ ବ୍ୟାଟ୍ସମ୍ୟାନଙ୍କ ନିଦ ହଜେଇ ଦେବେ। ତାଙ୍କ ଉପରେ ଫ୍ରାଞ୍ଚାଇଜିଙ୍କ ବେଟ୍ ଲାଗିପାରେ।

ବରୁଣ ଚକ୍ରବର୍ତ୍ତୀ (ଭାରତ)

Barun-Chakraborty

ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆରେ ଅନେକ ଖେଳାଳି ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଆର୍. ଅଶ୍ବିନ ବଡ଼ ଉଦାହରଣ। ଏମିତି ଜଣେ କ୍ରିକେଟର ବରୁଣ ଚକ୍ରବର୍ତ୍ତୀ। ଘରୋଇ କ୍ରିକେଟରେ ନିୟମିତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ତାମିଲନାଡୁ ପ୍ରିମିୟମ୍ ଲିଗରେ ମଦୁରାଇ ପାନ୍ଥର୍ସ ପାଇଁ ଖେଳି ଚର୍ଚ୍ଚାକୁ ଆସିଥିଲେ। ଏଥିରେ ୧୦ଟି ମ୍ୟାଚରୁ ୪.୭ ଇକୋନୋମିରେ ରନ୍ ବ୍ୟୟ କରିଥିଲେ ବରୁଣ। ଏହାପରେ ତାମିଲନାଡୁ ଟିମରେ ଏଣ୍ଟ୍ରି ମାରିଥିଲେ। ୯ଟି ମ୍ୟାଚ୍ ଖେଳି ୨୨ ଓ୍ୱିକେଟ ଅକ୍ତିଆର କରିଥିଲେ ବରୁଣ। ତାଙ୍କର ଫିରକି ଫ୍ରାଞ୍ଚାଇଜିଙ୍କୁ ନିହାତି ପ୍ରଭାବିତ କରିଥିବ। ଚୂଡ଼ାନ୍ତ ନିଲାମରେ କାହା ପାଇଁ ବିକ୍ରି ହେବେ ବରୁଣ ତା ଉପରେ ରହିଛି ନଜର।

ଏହି ନବାଗତଙ୍କୁ ଛାଡ଼ି ଏଥର କିଛି ବରିଷ୍ଠ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ଉପରେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ରହିଛି ସମସ୍ତଙ୍କର ।

ରିପୋର୍ଟ : ଅଜିତ କୁମାର ଦେହୁରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.