ଭାଙ୍ଗି ଦିଆଯିବ ଇଣ୍ଡୋନେସିଆର ଫୁଟବଲ୍‌ ଷ୍ଟାଡିୟମ୍‌! ଯେଉଁଠି ଦଳାଚକଟାରେ ଚାଲି ଯାଇଥିଲା ୧୩୩ ଲୋକଙ୍କ ଜୀବନ

ଇଣ୍ଡୋନେସିଆର ମଲଙ୍ଗସ୍ଥିତ ଫୁଟବଲ ଷ୍ଟାଡିୟମ୍‌କୁ ଭାଙ୍ଗି ଦିଆଯିବ। ନିକଟରେ ଏହି ଷ୍ଟାଡିୟମ୍‌ରେ ହୋଇଥିବା ଦଳାଚକଟାରେ ଶହ ଶହ ଲୋକଙ୍କ ଜୀବନ ଚାଲି ଯାଇଥିଲା। ଏବେ ଏହି ଷ୍ଟାଡିୟମ୍‌କୁ ମାଟିରେ ମିଶାଇବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଏହି ଷ୍ଟାଡିୟମ୍‌କୁ ଭାଙ୍ଗି ନୂଆ ଶୈଳୀରେ ନିର୍ମାଣ କରିବେ, ଯେପରି ଭବିଷ୍ୟତରେ ଆଉ କୌଣସି ବି ପ୍ରକାର ଦୁର୍ଘଟଣା ଘଟିବନି। ଇଣ୍ଡୋନେସିଆ ରାଷ୍ଟ୍ରପତି ଫିଫା ପ୍ରେସିଡେଣ୍ଟ ଜିୟାନୀ ଇମ୍ଫ୍ୟାଟିନୋଙ୍କୁ ସାକ୍ଷାତ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।

ସେ କହିଛନ୍ତି, ମଲଙ୍ଗସ୍ଥିତ ଷ୍ଟାଡିୟମ୍‌କୁ ଆମେ ଭାଙ୍ଗିଦେବୁ। ଏହାକୁ ଫିଫାର ମାନକ ଆଧାରରେ ପୁଣିଥରେ ନିର୍ମାଣ କରାଯିବ। ଆମେ ଇଣ୍ଡୋନେସିଆର ଫୁଟବଲ ଷ୍ଟାଡିୟମ୍‌କୁ ସମ୍ପୂର୍ଣ୍ଣ ରୂପେ ବଦଳାଇବା ପାଇଁ ସହମତି ବନାଇ ନେଇଛୁ। ପ୍ରସ୍ତୁତିର ସମସ୍ତ ଜିନିଷକୁ ଫିଫାର ମାନକ ଆଧାରରେ ରଖାଯିବ।

ସେହିପରି ଫିଫା ପ୍ରେସିଡେଣ୍ଟଙ୍କ କହିବା ହେଲା, ସାଉଥ୍‌ ଇଷ୍ଟ ଏସିଆ ଦେଶଗୁଡ଼ିକରେ ଖେଳାଳି ଏବଂ ଫ୍ୟାନ୍‌ମାନଙ୍କ ସୁରକ୍ଷା ନିଶ୍ଚିତ କରିବା ହିଁ ତାଙ୍କର ପ୍ରାଥମିକତା। ସେ କହିଛନ୍ତି, ଏହା ଫୁଟବଲର ଦେଶ। ଏଠାରେ ୧୦୦ ମିଲିୟନରୁ ଅଧିକ ଲୋକଙ୍କ ପ୍ୟାସନ ହେଉଛି ଫୁଟବଲ। ଆମେ ଏହା ନିଶ୍ଚିତ କରିବାକୁ ପ୍ରତିବଦ୍ଧ ଯେ ଯେତେ ବେଳେ ଲୋକେ ମ୍ୟାଚ୍‌ ଦେଖିବାକୁ ଆସିବେ, ସେମାନେ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅନୁଭବ କରିବେ।

କହି ରଖୁଛୁ, ୧ ଅକ୍ଟୋବରରେ ଏକ ମ୍ୟାଚ୍‌ ପରେ ଏଠାରେ ଦୁଃଖଦାୟକ ଦୁର୍ଘଟଣା ଘଟିଥିଲା। ପୋଲିସ ଦ୍ୱାରା ଷ୍ଟାଡିୟମ୍‌ରେ ଟିୟର ଗ୍ୟାସ୍‌ ଛଡ଼ାଯିବା ଦ୍ୱାରା ଏହି ଦୁର୍ଘଟଣା ଘଟିଥିଲା ବୋଲି କୁହାଯାଇଥିଲା। ଏବେ ଫିଫା ଏ ପ୍ରକାର ଜିନିଷ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି। ସୂଚନାଥାଉ କି, ଆସନ୍ତା ବର୍ଷ ଇଣ୍ଡୋନେସିଆ ଅଣ୍ଡର-୨୦ ଓ୍ଵାର୍ଲ୍ଡ କପ୍‌ ହୋଷ୍ଟ କରିବ। ତେଣୁ ଏହି ମାମଲା ସେମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ। ଫିଫା ଏହି ମାମଲାରେ ସକ୍ରିୟତା ଦେଖାଇ ଲଗାତାର ପରିସ୍ଥିତି ଉପରେ ନଜର ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.