ଅଣ୍ଡର-୧୯ ବିଶ୍ୱକପ୍‌: ବାଂଲାଦେଶ ଠାରୁ ପ୍ରତିଶୋଧ ନେଲା ଭାରତ, ଏବେ ସେମିଫାଇନାଲରେ ଅଷ୍ଟ୍ରେଲିଆ ସହିତ ହେବ ଟକ୍କର

ଚଳିତ ଅଣ୍ଡର-୧୯ ବିଶ୍ୱକପ୍‌ରେ ଭାରତ ସହଜ ବିଜୟ ସହ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଶନିବାର ଅନୁଷ୍ଠିତ ସୁପରଲିଗ୍‌ କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ଭାରତ ୫ ୱିକେଟ୍‌ରେ ବାଂଲାଦେଶକୁ ହରାଇଥିଲା। ୩୦.୫ ଓଭରରେ ୫ ଓ୍ଵିକେଟ ହରାଇ ଏହି ବିଜୟ ହାସଲ କରିଛି। କୌଶଳ ତାମ୍ବେ ୬ ମାରି ଭାରତକୁ ଜିତାଇଥିଲେ।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୭.୧ ଓଭରରେ ୧୧୧ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ଦଳ ପକ୍ଷରୁ ଏସଏମ ମେହରବ ୩୦, ଐଚ ମୁଲା ୧୭, ଆଶିକୁର ଜମାନ ୧୬ ରନ୍‌ କରିଥିଲେ । ଭାରତ ପକ୍ଷରୁ ରବି କୁମାର ୧୪ ରନ୍‌ରେ ୩ଟି ଓ ଭିକି ଓସ୍ୱାଲ ୧୬ ରନ୍‌ରେ ୨ଟି ୱିକେଟ୍‌ ନେଇଥିଲେ ।

ଭାରତ ପକ୍ଷରୁ ରଘୁବଂଶୀ ୪୪ ରନ୍‌, ରସିଦ ୨୬, ସିଦ୍ଧାର୍ଥ ଯାଦବ ୬, ରାଜ ବାୱା ୦ ରନ୍‌ କରି ଆଉଟ୍‌ ହୋଇଥିଲେ । ୯୭ ରନ୍‌ରେ ଭାରତ ୫ଟି ୱିକେଟ୍‌ ହରାଇଥିଲା । ଅଧିନାୟକ ୟଶ ଧୂଲ ଓ କୌଶଲ ତାମ୍ବେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ଭାରତ ୩୦. ୫ଓଭରରେ ବିଜୟ ହାସଲ କରିଥିଲା । ପଞ୍ଚମ ବଲ୍‌ରେ ତାମ୍ବେ ଛକା ମାରିଥିଲେ । ସେ ୧୧ ଓ ଧୂଲ ୨୦ ରନ୍‌ କରି ଅପରାଜିତ ରହିଥିଲେ । ବାଂଲାଦେଶ ପକ୍ଷରୁ ରିପୋନ ମଣ୍ଡଳ ୪ଟି ୱିକେଟ୍‌ ନେଇଥିଲେ ।

ଟିମ୍‌ ଇଣ୍ଡିଆ ଏହି ମ୍ୟାଚ ଜିତିବା ପରେ ସେମିଫାଇନାଲ ଅଷ୍ଟ୍ରେଲିଆ ସହିତ ଖେଳିବ। ଅଷ୍ଟ୍ରେଲିଆ କ୍ୱାଟରଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୧୯ ରନରେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ଓ୍ୱିକେଟ୍ ହରାଇ ୨୭୬ ରନ୍ କରିଥିଲା । ତେବେ ପାକିସ୍ତାନ ମାତ୍ର ୩୫.୧ ଓଭରରେ ୧୫୭ ରନରେ ଅଲଆଉଟ ହୋଇଯାଇଥିଲା ।

ପାକିସ୍ତାନ ଅଧିନାୟକ କାସିମ ଆକ୍ରମ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଅଷ୍ଟ୍ରେଲିଆର ଦୁଇ ଓପନର ୧୬.୪ ଓଭରରେ ୮୬ ରନ୍ ଯୋଡି ଦଳକୁ ମଜବୁତ ସ୍ଥିତିରେ ରଖିଥିଲେ । ସେହିପରି ବିଲି ଡେଟ୍ ୭୧ ରନ୍ କରିଥିଲେ । ଏତତ୍ ବ୍ୟତୀତ କ୍ୟାରୀ ମିଲର ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୬୪ ରନ୍ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.