Below header

ଧୋନିଙ୍କ ଉପରେ ସମସ୍ତଙ୍କର ଏତେ ରାଗ କାହିଁକି ?

ବିଶ୍ୱକପ୍‌ ପରେ ଏବେ ସମସ୍ତଙ୍କ ନଜର ଭାରତୀୟ କ୍ରିକେଟ୍‌ ଦଳର ଆଗାମୀ େଓ୍ଵଷ୍ଟଇଣ୍ଡିଜ୍‌ ଗସ୍ତ ଉପରେ । ବିଶ୍ୱକପ୍‌ ସେମିଫାଇନାଲ୍‌ରେ ହାରିବା ପରେ ବିଶେଷ କରି ଦଳର ଅଧିନାୟକ ବିରାଟ କୋହଲି, ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ରହିଛନ୍ତି ଟାର୍ଗେଟ୍‌ରେ । ବିଶେଷ ଭାବେ ଧୋନି ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ନେବା ପରେ ଯେଉଁମାନଙ୍କୁ ଦଳରୁ ବିଦା କରିଥିଲେ ଏବେ ସେମାନେ ରାଗ ଶୁଝାଉଛନ୍ତି ତାଙ୍କରି ଉପରେ ।
ପୂର୍ବତନ ଓପ୍ନର ତଥା ବର୍ତ୍ତମାନର ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ କହିବା କଥା, ଯେତେବେଳେ ଧୋନି ଅଧିନାୟକ ହେଲେ ବିଶ୍ୱକପ୍‌ ଦଳରେ ଯୁବ ଖେଳାଳି ଖେଳିବା ଦରକାର କହି ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼ଙ୍କ ଭଳି ଖେଳାଳିଙ୍କୁ ଦଳରୁ ବାହାର କଲେ । ଏବେ ସେ ନିଜେ କାହିଁକି ଯୁବ ଖେଳାଳିଙ୍କ ବାଟ ଓଗାଳୁଛନ୍ତି । ଚୟନକର୍ତ୍ତା ତାଙ୍କୁ ଦଳରୁ ବାହାର କରିବା ଉଚିତ । ଧୋନିଙ୍କ ସହ ମଧ୍ୟ ‘ଯେସାକୁ ତେସା’ ନୀତି ଗ୍ରହଣ କରାଯାଉ ବୋଲି ସେମାନେ ଦାବି କରୁଛନ୍ତି ।

DHONI-1
୨୦୧୨ରେ ଶ୍ରୀଲଙ୍କା ସହ ସିରିଜ୍‌ ବେଳେ ସଚିନ୍‌ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରୁ ଧୋନି ମାତ୍ର ଦୁଇ ଜଣଙ୍କୁ ଖେଳିବାର ସୁଯୋଗ ଦେଇଥିଲେ । ତାଙ୍କ ମତ ଥିଲା ଏମାନେ ଭଲ ଫିଲଡିଂ କରନ୍ତି ନାହିଁ । ସେହିଭଳି ଅଷ୍ଟ୍ରେଲିଆ ସିରିଜ୍‌ରୁ ଗାଙ୍ଗୁଲି ଓ ଦ୍ରାବିଡ଼ ବି ବାଦ୍‌ ପଡ଼ିଥିଲେ । ଗମ୍ଭୀରଙ୍କ ଭଳି ଆଉ କିଛି ଖେଳାଳି ମଉକା ଦେଖି ମଧ୍ୟ ଧୋନିଙ୍କ ଉପରେ ରାଗ ଶୁଝାଇଛନ୍ତି ।
ଗତ ବିଶ୍ୱ କପ୍‌ରେ ଓ୍ଵିକେଟ୍‌ ପଛରେ ଓ ଆଗରେ ଧୋନିଙ୍କ ପ୍ରଦର୍ଶନ ଅତି ଖରାପ ନଥିଲା । ହେଲେ ଲାଗୁଥିଲା ତାଙ୍କ ଠାରେ ଆଉ ଆଗର ସାମର୍ଥ ଓ ସାହସ ନାହିଁ । ଯାହା ଅନ୍ତତଃ ବିଶ୍ୱକପ୍‌ ଭଳି ଟୁର୍ଣ୍ଣାମେଣ୍ଟରେ ଦରକାର ହୋଇଥାଏ । ତେଣୁ ସେ ଅବସର ନେଇଯିବା ଉଚିତ। ଏମିତିକି ବିଶ୍ୱକପ୍‌ ପରେ ଧୋନି ଅବସର ଘୋଷଣା କରିବେ ବୋଲି ସମସ୍ତେ ଆଶା କରୁଥିଲେ । ହେଲେ ଏପର୍ଯ୍ୟନ୍ତ ତାହା ହୋଇନାହିଁ । ଅନ୍ୟପକ୍ଷରେ ସୌରଭ ଗାଙ୍ଗୁଲିଙ୍କ ଠାରୁ ଆରମ୍ଭ କରି କପିଳ ଦେବ ପର୍ଯ୍ୟନ୍ତ ସମସ୍ତେ ଧୋନିଙ୍କ ଅଭିଜ୍ଞତା ଏବଂ ପରାମର୍ଶ ଦଳ ପାଇଁ ନିହାତି ଆବଶ୍ୟକ ବୋଲି କହି ଚାଲିଛନ୍ତି । ତେବେ ଏସବୁ କଳ୍ପନା ଜଳ୍ପନା ଭିତରେ ଧୋନି ଇଣ୍ଡିଜ୍‌ ଗସ୍ତରୁ ଓହରି ଯାଇଛନ୍ତି ।
ଆସନ୍ତାକାଲି େଓ୍ଵଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଦଳ ଚୟନ କରାଯିବ । ଏଥିରେ ଧୋନିଙ୍କ ସ୍ଥାନରେ ଋଷଭ ପନ୍ତ କିମ୍ବା ରିଧିମାନ ଶାହାଙ୍କୁ ସାମିଲ କରାଯାଇ ପାରେ । ତେବେ ଦେଶର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏବେବି ସସ୍‌ପେନ୍ସ ଜାରି ରହିଛି । କାରଣ ସବୁ ବେଳେ ଧୋନି ସସ୍‌ପେନ୍ସ ରଖନ୍ତି, ସେ ଖେଳ ପଡ଼ିଆରେ ହେଉ କି ପଡ଼ିଆ ବାହାରେ କୌଣସି ନିଷ୍ପତ୍ତିକୁ ନେଇ ହେଉ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.