Below header

ଗୁପଚୁପ୍ ବିକାଳିରୁ ମୁମ୍ବାଇ ରଣଜୀ ଟିମ୍ : ଭାରତୀୟ କ୍ରିକେଟରେ ଆଉ ଜଣେ ପପୁ ରାୟ, ଯଶସ୍ବୀ ଜୟସବାଲ

ଭାରତୀୟ କ୍ରିକେଟରେ ଆଉ ଜଣେ ପପୁ ରାୟ । ପପୁ ନିଜ ପେଟକୁ ଗଣ୍ଡେ ଦାନା ଯୋଗାଡ଼ ପାଇଁ ବୋଲିଂ କରୁଥିଲେ । ଆଉ ଏଇ ନବୋଦିତ କ୍ରିକେଟ୍ ଜଣକ ବିକୁଥଲେ ଗୁପଚୁପ୍ । ଏବେ ସେ ହୋଇଛନ୍ତି ମୁମ୍ବାଇ ରଣଜୀ ଟ୍ରଫି ଦଳର ସଦସ୍ୟ । ନାଁଟି ତାଙ୍କର ଯଶସ୍ବୀ ଜୟସବାଲ । ନାଁ ଅନୁଯାୟୀ କମେ ବି ସେମିତି । ଗତକାଲି ଘୋଷଣା ହୋଇଥିବା ଭାରତୀୟ ଟି-ଟ୍ବେଣ୍ଟି ଦଳର ଶ୍ରେୟସ ଆୟର ସ୍ଥାନ ପାଇବା ପରେ ମୁମ୍ବାଇ ରଣଜୀ ଦଳରେ ଜାଗାଟିଏ ଖାଲି ପଡ଼ିଲା । ତାଙ୍କର ସ୍ଥାନରେ ସାମିଲ ହେଲେ ୧୯ ବର୍ଷରୁ କମ୍ କ୍ରିକେଟର ଯଶସ୍ବୀ । ୧୫ ଜଣିଆ ଦଳରେ ତାଙ୍କୁ ସୁଯୋଗ ମିଳିଛି । ଯଦି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି ତେବେ ସେ ନିଜର ଜଲୱା ଦେଖାଇବେ ।

yashasvi-jaiswal-2

ଅଲରାଉଣ୍ଡର

ହେଲେ ଏଇ ଯୁବା ଖେଳାଳି ଜଣକ କିଏ ? ତାଙ୍କ ଧମାକାଦାର ବ୍ୟାଟିଂ ସହିତ ସେ କିଭଳି ସ୍ଥିତରେ କ୍ରିକେଟକୁ ଆସିଲେ ଏବଂ ସଫଳତାର ଶିଡ଼ି ଚଢ଼ିଲେ ତାକୁ ନେଇ ଏବେ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା । ଯଶସ୍ବୀ ବାମହାତୀ ବ୍ୟାଟସମ୍ୟାନ ଓ ଡାହାଣ ହାତରେ ଲେଗସ୍ପିନ୍ ପକାନ୍ତି । ନିଜ ଅଲରାଉଣ୍ଡ ସଫଳତା ପାଇଁ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ଅନ୍ୟ ବହୁ ନାମୀ ଖେଳାଳଙ୍କ ଦ୍ବାରା ପ୍ରଶଂସା ପାଇ ସାରିଛନ୍ତି । ସଚିନ୍ ତାଙ୍କୁ ଏକ ବ୍ୟାଟ୍ ମଧ୍ୟ ଉପହାର ଦେଇଥିଲେ । ଯଶସ୍ବୀଙ୍କୁ ଘରକୁ ଡାକି ନିଜ ଅଟୋଗ୍ରାଫ୍ ଥିବା ବ୍ୟାଟ୍ ତାଙ୍କୁ ଭେଟି ଦେଇଥିଲେ । ପୁଣି ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ ।

କୋଚ୍ ଜ୍ବାଲା ସିଂହଙ୍କ ସହିତ ଯଶସ୍ବୀ

ପରିବାର ସ୍ଥିତି ଭଲ ନଥିଲା

ଉତ୍ତର ପ୍ରଦେଶ ଭଦୋହିରେ ଯଶସ୍ବୀଙ୍କ ଘର । ସେଠାରେ ତାଙ୍କ ବାପାଙ୍କର ଏକ ଛୋଟ ହାଡଓୟାର ଦୋକାନ ଅଛି । ଏଥିରେ ପରିବାର ଚଳେ । ମାତ୍ର ୧୦ ବର୍ଷ ବୟସରୁ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ଯଶସ୍ବୀ । ତେବେ ବର୍ଷକ ପରେ ୨୦୧୨ରେ ସେ ଜଣେ ବଡ଼ କ୍ରିକେଟ୍ ଖେଳାଳି ହେବାର ସ୍ବପ୍ନ ନେଇ ମୁମ୍ବାଇରେ ପହଞ୍ଚିଥିଲେ । ଯେଉଁଠାରୁ ଆରମ୍ଭ ହୋଇଥିଲା ତାଙ୍କର ସଂଘର୍ଷର କାହାଣୀ । ସେ ମୁମ୍ବାଇ ଆଜାଦ ମଇଦାନରେ ଥିବା ଏକ କ୍ଲବରେ କ୍ରିକେଟ୍ ଖେଳିଲେ । ହେଲେ ରହିବାକୁ ଜାଗା ନଥିଲା । ପ୍ରଥମେ ଗୋଟିଏ କ୍ଷୀର ଦୋକାନରେ ଶୋଉଥିଲେ । ହେଲେ ସେ ତାଙ୍କୁ ବାହାର କରି ଦେଲା । ପରେ ଗ୍ରାଉଣ୍ଡସମ୍ୟାନକୁ କାକୁତି ମିନତି କରି ପ୍ରାୟ ବର୍ଷେ ପର୍ଯ୍ୟନ୍ତ ସେ ପଡ଼ିଆରେ ପଡ଼ିଥିବା ଟେଣ୍ଟ ତଳେ ମାଟି ଉପରେ ଶୋଉଥିଲେ । ନିଜ ଖର୍ଚ୍ଚ ଚଳାଇବାକୁ ଗୁପଚୁପ୍ ବିକ୍ରି କରୁଥିଲେ । କେବେ କେବେ ତାଙ୍କୁ ଖାଲି ପେଟରେ ବି ଶୋଇବାକୁ ପଡୁଥିଲା । ତେବେ ଏ ସବୁ କଷ୍ଟ ଯନ୍ତ୍ରଣା ଭିତରେ ସେ କିନ୍ତୁ ନିଜର ଜୀବନ, ଭିବଷ୍ୟତ ତଥା ବର୍ତ୍ତମାନକୁ କେବଳ କ୍ରିକେଟରେ ଲଗାଇ ଦେଇଥିଲେ ।

yashasvi-jaiswal-୩

ଯଶସ୍ବୀଙ୍କ ଯଶ

ପରେ ତାଙ୍କୁ ପରିଶ୍ରମର ଫଳ ମିଳିଲା । ବଦଳିଗଲା ଭାଗ୍ୟ । କ୍ରିକେଟ୍ କୋଚ୍ ଜ୍ବାଲା ସିଂହଙ୍କ ନଜର ତାଙ୍କ ଉପରେ ପଡ଼ିଲା । ଜ୍ବାଲା ହେଉଛନ୍ତି ପୃଥ୍ଵୀ ସ’ଙ୍କ କୋଚ । ସେ ନିଜ ସାଂଗରେ ନେଇଗଲେ ଏଇ ପ୍ରତିଭାଙ୍କୁ । ତାପରେ ଯଶସ୍ବୀଙ୍କ ଯଶ ଚାରିଆଡ଼େ ଖେଳିଗଲା । ମାତ୍ର ୧୬ ବର୍ଷ ବୟସରେ ଯଶସ୍ବୀ ବେଶ୍ କିଛି କାରନାମା କରି ଦେଖାଇଲେଣି । ଜ୍ବାଲା କହିଛନ୍ତି, ତାଙ୍କର ଜଣେ ବନ୍ଧୁ ଯଶସ୍ବୀଙ୍କ କଥା ତାଙ୍କୁ କହିଥିଲେ । ପିଲାଟି ପାଖରେ ରହିବାକୁ ଜାଗା ନାହିଁ କି ତାଙ୍କର କେହି କୋଚ୍ ନାହାନ୍ତି ବୋଲି ମଧ୍ୟ ଜଣାଇଥିଲେ । ତା ପରେ ଜ୍ବାଲା ନିଜେ ଆସି ନେଟ୍ସରେ ତାଙ୍କ ବ୍ୟାଟିଂ ଦେଖି ପ୍ରଭାବିତ ହେବା ପରେ ସାଙ୍ଗରେ ନେଇଗଲେ ଯଶସ୍ବୀଙ୍କୁ । ପ୍ରଥମେ ମୁମ୍ବାଇ ୧୬ ବର୍ଷରୁ କମ୍ ଓ ତା ପରେ ୧୯ ବର୍ଷରୁ କମ୍ ଦଳରେ ସୁଯୋଗ ମିଳିଲା । ସୁଯୋଗର ପୂରା ଫାଇଦା ଉଠାଇଲେ ଏହି ପ୍ରତିଭା ଜଣକ । ଯଶସ୍ବୀ ଖୁବ୍ ଶୀଘ୍ର ଭାରତୀୟ ସିନିୟର ଦଳରେ ଖେଳିବେ ବୋଲି ଆଶା ରଖିଛନ୍ତି କୋଚ୍ ଜ୍ବଲା ସିଂହ । ଗତ ୩ ବର୍ଷ ଭିତରେ ଯଶସ୍ବୀ ବିଭିନ୍ନ ପ୍ରତିଯୋଗିତାରେ ୫୩ଟି ଶତକ କରିଥିବା ବେଳେ ୩୦୦ ୱିକେଟ୍ ଦଖଲ କରିଛନ୍ତି ।

yashasvi-sachin-tendulkar-6

ଆଗାମୀ ସୁପରଷ୍ଟାର !

ଗତ ୧୯ ବର୍ଷରୁ କମ୍ ଏସିଆ କପରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ଦଳ ଚାମ୍ପିଅନ୍ ହେଲା ଓ ଯଶସ୍ବୀ ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହେଲେ । ଫାଇନାଲ ମ୍ୟାଚରେ କରିଥିଲେ ୮୫ ରନ୍ । ପୂରା ଟୁର୍ଣ୍ଣାମେଣ୍ଟରେ ସେ ୭୯.୫୦ ହାରରେ ମୋଟ୍ ୩୧୮ ରନ୍ କରିଥିଲେ ଏହି ଓପ୍ନର । ଏବେ ତାଙ୍କୁ ମାତ୍ର ୧୬ ବର୍ଷ । ସେ ନିଜର କ୍ରିକେଟ୍ ସାଧନା ଏହିଭଳି ଭାବେ ଜାରି ରଖିଲେ ତେନ୍ଦୁଲକର, ବିରାଟ କେହଲିଙ୍କ ଭଳି ଜଣେ ସୁପରଷ୍ଟାର ହୋଇ ଉଭା ହେବେ ଯଶସ୍ବୀ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.