୧୦ ଦିନ ବିତି ଗଲାଣି କିନ୍ତୁ ମିଳୁନି ପୁଅ, କାନ୍ଦି କାନ୍ଦି ପାଗଳି ହେଲାଣି ମା’

ଦିନ ବିତି ଯାଇଥିଲେ ମଧ୍ୟ ପୁଅ ମିଳୁନି । ଆଉ ନିଖୋଜ ପୁଅକୁ ଉଦ୍ଧାର ପାଇଁ ବର୍ତ୍ତମାନ ପୁରା ପରିବାର ଏସପିଙ୍କ ନିକଟରେ ପହଞ୍ଚି ଗୁହାରି କରିଛନ୍ତି । ଏଭଳି ଘଟଣା ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ।

୧୦ ଦିନ ବିତି ଗଲାଣି । ଘରେ ଚୁଲି ଜଳୁନି । ଖିଆ ପିଆ ସବୁ ବନ୍ଦ । ମା’ କାନ୍ଦି କାନ୍ଦି ତା ଆଖିରୁ ଲୁହ ଶୁଖୁନି । ପୁଅ ପୁଅ କହି ପାଗଳି ହେଇଗଲାଣି ମା’ । ୧୦ ଦିନ ହେବ ପୁଅ ନିଖୋଜ ହୋଇଯାଇଛି । ନିଖୋଜ ହେବା ଦିନ ସାଇକେଲ ନେଇ ଘରୁ ବାହାରି ଯାଇଥିଲା ପୁଅ । କିନ୍ତୁ ବହୁତ ସମୟ ବିତି ଯାଇଥିଲେ ମଧ୍ୟ ଘରକୁ ଫେରିଲାନି । ବାପା ବିଚଳିତ ହୋଇ ପୁଅକୁ ଖୋଜିବାକୁ ବାହାରି ପଡ଼ିଥିଲେ । ବହୁ ଖୋଜାଖୋଜି ପରେ ପାଖ ରେଳ ଷ୍ଟେସନରେ ସାଇକେଲଟିକୁ ପାଇଲେ । କିନ୍ତୁ ପୁଅ କେଉଁ ଆଡ଼େ ଗଲା ଖୋଜ ଖବର ନାହିଁ । ଶେଷରେ ହାରମାନି ଥାନାକୁ ଯାଇଥିଲେ  । ଥାନା ଅଧିକାରୀ ଅଭିଯୋଗ ତ ନେଲେ କିନ୍ତୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ପୁଅ ମିଳୁନି । ଆଉ ନିଖୋଜ ପୁଅକୁ ଉଦ୍ଧାର ପାଇଁ ବର୍ତ୍ତମାନ ପୁରା ପରିବାର ଏସପିଙ୍କ ନିକଟରେ ପହଞ୍ଚି ଗୁହାରି କରିଛନ୍ତି ।

ଏଭଳି ଘଟଣା ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି । ଭଦ୍ରକ ଟାଉନ ଥାନା ଅଧିନସ୍ଥ ଜଗନ୍ନାଥ ପୁର ଅଞ୍ଚଳର ରବୀନ୍ଦ୍ର ସାହୁଙ୍କ ୧୮ବର୍ଷର ପୁଅ ଜିତେନ୍ଦ୍ର ସାହୁ ଗତ ଅଗଷ୍ଟ ମାସ ୨୪ ତାରିଖରୁ କେଉଁ ଆଡେ ନିଖୋଜ ହୋଇ ଯାଇଛି । ଭଦ୍ରକ ରେଳ ଷ୍ଟେସନରେ ତାଙ୍କ ସାଇକେଲ ମିଳିଥିଲେ ମଧ୍ୟ ତାଙ୍କର ଅତ୍ତାପତ୍ତା କିଛି ମିଳୁନି । ସବୁ ଆଡେ ଖୋଜା ଖୋଜି ପରେ ତାଙ୍କୁ ନପାଇବାରୁ ତାଙ୍କ ପରିବାର ଲୋକ ଏସମ୍ପର୍କରେ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ଉଦ୍ଧାର ପାଇଁ କିଛି ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏନେଇ ପରିବାର ଲୋକେ ଭଦ୍ରକ ଏସପିଙ୍କୁ ଭେଟି ଅଭିଯୋଗ ପତ୍ର ଦେବା ସହିତ ତାଙ୍କ ପୁଅକୁ ଖୋଜି ବାହାର କରିବା ପାଇଁ ଅନୁରୋଧ କରିଛନ୍ତି । ପୋଲିସର ସହାୟତା ଲୋଡ଼ିଛନ୍ତି ପରିବାର ଲୋକେ । ଏସପି ଏ ଦିଗରେ ଦୃଢ଼ ପଦକ୍ଷେପ ନେବେ ବୋଲି ଆଶା କରିଛନ୍ତି ପରିବାର ଲୋକେ ।

ପୁଅ କେଉଁଆଡ଼େ ଗଲା, କଣ ପାଇଁ ଗଲା କିଛି ବୁଝି ପାରୁ ନାହାନ୍ତି ରବୀନ୍ଦ୍ର । ନିଜ ସ୍ତ୍ରୀ ଆଖିର ଲୁହକୁ ଦେଖିବାର ଆଉ ସାମର୍ଥ୍ୟ ବି ନାହିଁ । ପୁଅକୁ ଯଦି କିଏ ପାଇଛି ତାର ଦେଖାଶୁଣା କରୁଛି ତାକୁ ଅର୍ଥ ଦେବାକୁ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି ସେ । ନଖାଇ ନପିଇ ପୁଅର ଆସିବା ବାଟକୁ ଅନାଇଛନ୍ତି ବାପା ମା’ । ତେବେ ତାଙ୍କ ପୁଅକୁ ସେମାନେ କେବେ ଫେରି ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.