ଦୁନିଆରୁ ବିଦାୟ ନେଲେ ଜିମ୍ବାୱେ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ହିଥ୍‌ ଷ୍ଟ୍ରିକ, ଖବର ନିଶ୍ଚିତ କଲେ ପତ୍ନୀ

ଆଉ ନାହାନ୍ତି ଜିମ୍ବାୱେ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ହିଥ୍‌ ଷ୍ଟ୍ରିକ୍‌। ମାତ୍ର ୪୯ ବର୍ଷ ବୟସରେ ସେ ଦୁନିଆକୁ ଅଲ୍‌ବିଦା କହିଛନ୍ତି।

ଆଉ ନାହାନ୍ତି ଜିମ୍ବାୱେ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ହିଥ୍‌ ଷ୍ଟ୍ରିକ୍‌। ମାତ୍ର ୪୯ ବର୍ଷ ବୟସରେ ସେ ଦୁନିଆକୁ ଅଲ୍‌ବିଦା କହିଛନ୍ତି। ତାଙ୍କ ପରିବାର ପକ୍ଷରୁ ଏହି ଖବର ନିଶ୍ଚିତ କରାଯାଇଛି। ‘ଫ୍ରି ଫେସ୍‌ ଜର୍ନାଲ୍‌’ ମୁତାବକ, ଜିମ୍ବାୱେର ଏହି ମହାନ୍‌ କ୍ରିକେଟରଙ୍କ ପତ୍ନୀ ନାଦିନ ଫେସ୍‌ବୁକ ଜରିଆରେ ସ୍ୱାମୀ ହିଥ୍‌ ଷ୍ଟ୍ରିକ୍‌ଙ୍କ ନିଧନ ଖବରକୁ ନିଶ୍ଚିତ କରିଛନ୍ତି। ନିକଟରେ ହିଥ୍‌ ଷ୍ଟ୍ରିକ୍‌ଙ୍କ ନିଧନକୁ ନେଇ ଗୁଜବ ଏବଂ ମିଥ୍ୟା ଖବର ପ୍ରଚାରିତ ହୋଇଥିଲା।

ରିପୋର୍ଟ ଅନୁସାରେ, ହିଥ୍‌ ଷ୍ଟ୍ରିକ୍‌ ରବିବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ। ଷ୍ଟ୍ରିକଙ୍କୁ କୋଲନ୍‌ ଏବଂ ଲିଭର କ୍ୟାନସର ଥିଲା। ଆଜି ତାଙ୍କର ମୃତ୍ୟୁ ଖବର ଫ୍ୟାନ୍‌ମାନଙ୍କୁ ସ୍ତବ୍ଧ କରିଦେଇଛି।

କହି ରଖୁଛୁ, କିଛି ଦିନ ତଳେ ଷ୍ଟ୍ରିକ୍‌ଙ୍କ ମୃତ୍ୟୁକୁ ନେଇ ଗୁଜବ ପ୍ରଚାରିତ ହୋଇଥିଲା। ପରେ ତାଙ୍କ ସାଥୀ କ୍ରିକେଟର ହେନରି ଓଲଙ୍ଗା ହ୍ଵାଟ୍ସଆପ୍‌ର ସ୍କ୍ରିନ୍‌ ଶର୍ଟ ସେୟାର କରି ଷ୍ଟ୍ରିକ୍‌ଙ୍କ ନିଧନ ଖବରକୁ ମିଥ୍ୟା ବୋଲି କହିଥିଲେ। ସେ କହିଥିଲେ କି, ଏବେ ବି ଷ୍ଟ୍ରିକ୍‌ ଜୀବିତ ଅଛନ୍ତି ଏବଂ ଥାର୍ଡ ଅମ୍ପାୟର ତାଙ୍କୁ ଫେରାଇ ଆଣିଛନ୍ତି।

ହିଥ୍‌ ଷ୍ଟ୍ରିକ୍‌ ଜିମ୍ବାୱେ ଟିମ୍‌କୁ ଅନେକ ମ୍ୟାଚ୍‌ ଜିତାଇଥିଲେ। ସେ ଜିମ୍ବାୱେ ପାଇଁ ୧୯୯୩ ମସିହାରେ ଡେବ୍ୟୁ କରିଥିଲେ। ୬୫ଟି ଟେଷ୍ଟ୍‍ ମ୍ୟାଚ୍‌ରେ ସେ ୧୯୯୦ ରନ୍‌ ଏବଂ ୨୧୬ଟି ଓ୍ଵିକେଟ୍‌ ହାସଲ କରିଥିଲେ। ସେହିପରି ୧୮୯ଟି ଦିନିକିଆ ମ୍ୟାଚ୍‌ ଖେଳି ହିଥ୍‌ ଷ୍ଟ୍ରିକ୍‌ ୨୯୪୩ ରନ୍‌ ସହ ୨୩୯ ଓ୍ଵିକେଟ୍‌ ହାସଲ କରିଥିଲେ। ସେ ଜବରଦସ୍ତ ବୋଲିଂରେ ମାହିର ଥିଲେ। ୨୦୦୦ରୁ ୨୦୦୪ ମଧ୍ୟରେ ହିଥ୍‌ ଷ୍ଟ୍ରିକ୍‌ ଜିମ୍ବାୱେ ଟିମ୍‌ର ଅଧିନାୟକ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.