ବିଲ ହିଡ ସାଜିଛି ରାସ୍ତା, ମୌଳିକ ସୁବିଧାରୁ ବଞ୍ଚିତ ୧୦ ଆଦିବାସୀ ପରିବାର

ଏହି ସାହିର ଲୋକ ମାନଙ୍କର ଯାତାୟାତ କରିବା ପାଇଁ ନିତି ଦିନିଆ ରାସ୍ତାଟିଏ ନଥିବା ଯୋଗୁଁ ଯିବା ଆସିବାରେ ହଇରାଣ ହେଉଛନ୍ତି । ଏମାନଙ୍କ ପାଇଁ ସାହାରା ସାଜିଛି ବିଲ ହିଡ ।

ଆଧୁନିକତାର ଛାପ ସବୁ ସ୍ଥାନରେ ଦେଖିବାକୁ ମିଳୁଛି । ମୋବାଇଲ ଓ ଇଣ୍ଟରନେଟ ଯୁଗରେ ଆଜି ବି ଅନେକ ଗାଁ ଏପରି ଅଛି ଯେଉଁ ସ୍ଥାନକୁ ଯିବା ପାଇଁ ଖଣ୍ଡେ ରାସ୍ତା ନାହିଁ, ପିଇବା ପାଇଁ ପାଣି ନାହିଁ କି ଗାଁକୁ ବିଜୁଳି ନାହିଁ । ସରକାରଙ୍କ ତରଫରୁ ଗାଁ ଗାଁ ମାନଙ୍କରେ ଉନ୍ନତି ପାଇଁ ନାନା ଯୋଜନାମାନ ହେଉଛି । କିନ୍ତୁ ଆପଣ ଦେଖୁଥିବା ଏହି ଗାଁକୁ ଆଜି ବି ଖଣ୍ଡିଏ ରାସ୍ତା ହୋଇ ପାରିଲାନି । ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏମାନେ । ଗରିବ ଗୁରୁବା ଶ୍ରେଣୀରେ ଲୋକ ଏମାନେ ନିଜ ମୌଳିକ ସୁବିଧା ପାଇଁ କାହାକୁ ବା କହିବେ । ତେଣୁ ମନକୁ ମାରି ସମସ୍ତ ଅସୁବିଧା ସହିତ ସହରରୁ ଅନତି ଦୂରରେ ବସବାସ କରୁଛନ୍ତି । ବିଲ ହିଡ ପାଲଟିଛି ଏମାନଙ୍କ ନିତିଦିନିଆ ରାସ୍ତା।

ଏମିତି ଏକ ଅଭାବନୀୟ ଦୃଶ୍ୟ ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ରପେୟା ପଞ୍ଚାୟତ ବାରାପୁର ଗାଁ ର ଗଡ଼ଗଡ଼ିଆ ଆଦିବାସୀ ସାହିରେ ଦେଖିବାକୁ ମିଳିଛି । ସ୍ୱାଧୀନତାର ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ମୌଳିକ ସୁବିଧାରୁ ବହୁ ଦୂରରେ ଅଛନ୍ତି ଏହି ଗାଁର ଅଧିବାସୀ । ନା ଅଛି ଗମନାଗମନ ର ବ୍ୟବସ୍ଥା, ନା ଅଛି ପରିମଳ ଓ ପାନୀୟ ଜଳ ସୁବିଧା । ଆଜକୁ ତିରିଶି ବର୍ଷ ପୂର୍ବେ ଗଡି ଉଠିଥିବା ଏହି ସାହିରେ ୧୦ଟି ପରିବାର ବସ ବାସ କରୁଛନ୍ତି। ଏଠାରେ ୮୦ ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ରହୁଥିବା ବେଳେ ୨୦ ରୁ ଅଧିକ ଛୋଟ ପିଲା ରହୁଛନ୍ତି । ଏହି ସାହିର ଲୋକ ମାନଙ୍କର ଯାତାୟାତ କରିବା ପାଇଁ ନିତି ଦିନିଆ ରାସ୍ତାଟିଏ ନଥିବା ଯୋଗୁଁ ଯିବା ଆସିବାରେ ହଇରାଣ ହେଉଛନ୍ତି । ଏମାନଙ୍କ ପାଇଁ ସାହାରା ସାଜିଛି ବିଲ ହିଡ । ପିଲା ଠାରୁ ବୁଢ଼ା ଯାଏଁ ସମସ୍ତେ ଏହି ବିଲ ହିଡ ଦେଇ ଯିବା ଆସିବା କରନ୍ତି । ବର୍ଷାଦିନେ ଯିବା ଆସିବା କଥା ନକହିବା ଭଲ ।

ଅନ୍ୟପଟେ ସାହିରେ ସରକାରୀ ନଳକୂପଟିଏ ଥିବା ବେଳେ ତାହା ଦୀର୍ଘ ଦିନ ଧରି ଅଚଳ ଅବସ୍ଥାରେ ପଡ଼ିରହିଛି । ପୋଖରୀ ପାଣିରେ ଗାଧୋଇବା ଠାରୁ ଆରମ୍ଭ କରି ରୋଷେଇ କାମ କରୁଛନ୍ତି । ଏପରିକି ପୋଖରୀ ପାଣିକୁ ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି ଏମାନେ ।
ପିଇବା ପାଣି ପାଇଁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଏମାନଙ୍କ ଦୁଃଖ କେହି ଶୁଣୁ ନାହାନ୍ତି ।

ରୋଗ ହେଲେ ହସ୍ପିଟାଲକୁ ଯିବା ପାଇଁ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି । ସାହିର ପିଲା ମାନେ ରାସ୍ତାଟିଏ ନଥିବା ଯୋଗୁଁ କାଦୁଅରେ ବିଲ ରାସ୍ତା ଦେଇ ସ୍କୁଲ ଯାଆନ୍ତି । ଆଉ ବର୍ଷା ହେଲେ କଥା ସରିଲା ପିଲାଙ୍କ ପାଠ ପଡିଵାରେ ଡୋରୀ ବନ୍ଧା ହୋଇ ଯାଏ । କିଛି ଦିନ ତଳେ ଏଠାରେ ଜଣଙ୍କ ଘରେ ନିଆଁ ଲାଗି ଯାଇଥିବା ବେଳେ ଦମକଳ ବାହିନୀ ଖବର ପାଇ ଆସିଥିଲେ ମଧ୍ୟ ରାସ୍ତା ନଥିବା ଯୋଗୁଁ ଅଧା ବାଟରେ ଅଟକି ରହିଥିଲା ଯାହା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିଲା।

୨ ବର୍ଷ ପୂର୍ବେ ବିଜୁ ଜ୍ୟୋତି ଯୋଜନାର ବିଦ୍ୟୁତକରଣ ହୋଇଥିବା ବେଳେ ଖୁଣ୍ଟ ପୋତା ହୋଇ ବିଦ୍ୟୁତ ତାର ଟଣାଯାଇ ଥିଲେ ମଧ୍ୟ ରାତି ହେଲେ ଗାଁ ଅନ୍ଧାର । ଏଭଳି ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଗରିବ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ କାହାରି ନଜର ନଥିବା ଦେଖାଯାଇଛି । ଏମାନଙ୍କ ଦୁଃଖକୁ ଯଦି ଦୂର କରାଯାଇ ପାରନ୍ତା ତେବେ ଏମାନେ ମଧ୍ୟ ଅନ୍ୟ ଗାଁର ଲୋକମାନଙ୍କ ପରି ଖୁସିରେ ଦିନ କାଟନ୍ତେ । କେବେ ଏହି ଆଦିବାସୀ ସାହିର ବାସିନ୍ଦା ମାନଙ୍କର ସମସ୍ୟା ଦୂର ହେବ ତାକୁ ହିଁ ଅପେକ୍ଷା।

 

 

Leave A Reply

Your email address will not be published.