ଗରିବଙ୍କ ପେଟରେ ଲାତ୍ ମାରିଛି କରୋନା। ମଣିଷ ଦିନ ମଜୁରିଆ ଭାବେ ଖଟିବାକୁ ଗଲେ ହିଁ ପେଟକୁ ଦାନା ଟିକେ ମିଳିବ। ନିଜ ପରିବାରର ଭୋକ ମେଣ୍ଟାଇବା ପାଇଁ ମଣିଷ ଖରା, ବର୍ଷା, ଶୀତ କାକରକୁ ଖାତିର ନ କରି ଖଟିବାକୁ ଯାଇଥାଏ। ଏମାନେ ଖଟିବାକୁ ଗଲେ ହିଁ ଏମାନଙ୍କ ଚୁଲି ଚଳେ। ଯେଉଁଦିନ କାମ ବନ୍ଦ, ସେଦିନ ଖାଇବା ମଧ୍ୟ ବନ୍ଦ। କିନ୍ତୁ ଏବେ କରୋନା ସକଂମ୍ରଣକୁ ରୋକିବା ପାଇଁ ସରକାର ଜାରି କରିଛନ୍ତି କଟକଣା।
ଗାଁଠୁ ସହର ସବୁଆଡେ ପ୍ରାୟତଃ ଏହି ନିୟମକୁ ମାନି ଚଳୁଛନ୍ତି ଲୋକେ। କିନ୍ତୁ ଏହି ଲକଡାଉନର ପ୍ରଭାବ ବେଶୀ ପଡିଛି ଗରିବ ଏବଂ ଦିନ ମଜୁରିଆଙ୍କ ଉପରେ। ଧନୀ ପରିବାର ଏବଂ ମଧ୍ୟବିତ୍ତ ପରିବାର ଯେକୌଣସି ପ୍ରକାରରେ ସାଧାରଣ ଜୀବନଯାପନ କରିପାରୁଛନ୍ତି। କିନ୍ତୁ ସବୁଠାରୁ ଅଧିକ ହଇରାଣ ହେଉଛିନ୍ତି ଏପରି ଦିନ ମଜୁରିଆ ଏବଂ ଶ୍ରମିକ ପରିବାର। ଗଂଜାମ ଜିଲ୍ଲାର ଭଂଜନଗର ଉପଖଣ୍ଡରେ ଥିବା ସେମାନାଥ ପଲ୍ଲୀର ଗାଁ ଲୋକଙ୍କ ଅବସ୍ଥା ଏବେ ଏମିତିି।
ପ୍ରତିଦିନ ସକାଳୁ ପଥର ଦେହରେ ହାତୁଡିର ଠକଠକ୍ ଶବ୍ଦରୁ ଆରମ୍ଭ ହୁଏ ଏମାନଙ୍କର ସକାଳ। କିଏ ପଥର ପିଟି ପରିବାର ଚଳାଏ ତ, କିଏ ଜଙ୍ଗଲରୁ ଜାଳକାଠ ସଂଗ୍ରହ କରି ଗାଁ ଗାଁ ବୁଲି ବିକ୍ରି କରେ। ଯାହା ରୋଜଗାର ହୁଏ, ସେଥିରେ ଏମାନେ ନିଜ ନିଜ ପରିବାର ଭୋକ ମେଣ୍ଟାନ୍ତି। ଆଉ କିଏ ଦିନ ମଜୁରିଆ ଭାବେ ମୂଲ ଲାଗି ପରିବାରକୁ ଚଳାଏ। ଗାଁର ପ୍ରତିଟି ପରିବାରର ଏ ହେଉଛି ଦୈନନ୍ଦିନ ଜୀବିକା। କିନ୍ତୁ କରୋନା କଟକଣା ଯୋଗୁଁ ନିଜର ଜୀବିକା ହରାଇଛନ୍ତି ଏମାନେ।
ଏହି ଗାଁରେ ଏପରି ଦେଢଶହ ପରିବାର ରହିଛନ୍ତି। କରୋନା କଟକଣା ଯୋଗୁଁ କାମ ଧନ୍ଦା ବନ୍ଦ। ଖାଇବାକୁ ମଧ୍ୟ ଠିକ୍ ଭାବେ ମିଳୁନାହିଁ। ଗାଁର ଅଙ୍ଗନବାଡି କେନ୍ଦ୍ରରୁ ମିଳୁଥିବା ରନ୍ଧାଖାଦ୍ୟ କିଛି ପରିବାରକୁ ମିଳୁଛି। ଏମାନଙ୍କୁ ଖାଇବାକୁ ମିଳୁନି ସତ କିନ୍ତୁ ସରକାରଙ୍କ ସମସ୍ତ ନିୟମ ଏବଂ କଟକଣାକୁ ମାନିଛନ୍ତି ଏମାନେ।
ଗରିବଙ୍କ ଏବଂ ଶ୍ରମିକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। କିନ୍ତୁ ଏମାନଙ୍କ ପାଖରେ ହୁଏତ କିଛି ଯୋଜନା ପହଞ୍ଚିପାରିନାହିଁ। କିନ୍ତୁ ଏହି ଗାଁର ଲୋକ କରୋନା ସଂକ୍ରମଣର ଭୟାବହତାକୁ ଠିକ୍ ଭାବେ ବୁଝିପାରିଛନ୍ତି। ଏମାନେ ଅନ୍ୟ ଗାଁର ଦିନ ମଜୁରିଆ ଏବଂ ଶ୍ରମିକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।