ଓଡ଼ିଶା ବୋର୍ଡ ଇତିହାସରେ ରେକର୍ଡ ସୃଷ୍ଟି କଲା କିସ୍, ଏକକାଳୀନ ୧୯୫୦ ଜଣ ଛାତ୍ରଛାତ୍ରୀ ଦେବେ ମାଟ୍ରିକ୍ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ): ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ସୋସିଆଲ ସାଇନ୍‌ସେସ କିସ୍‌ରୁ ସର୍ବାଧିକ ୧୯୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଗୋଟିଏ ବିଦ୍ୟାଳୟରୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଓଡ଼ିଶା ବୋର୍ଡ ଇତିହାସରେ ଏକ ରେକର୍ଡ। ସମଗ୍ର ଭାରତରେ ମଧ୍ୟ ଏହା ଏକ ରେକର୍ଡ ବୋଲି ଶିକ୍ଷାବିତ୍‌ମାନେ କହୁଛନ୍ତି। ଏହା ପାଖାପାଖି ୫୦ଟି ସରକାରୀ ବିଦ୍ୟାଳୟର ମୋଟ ମାଟ୍ରିକ ପରୀକ୍ଷାର୍ଥୀଙ୍କ ସଂଖ୍ୟା ସହ ସମାନ। ଏମାନଙ୍କ ମଧ୍ୟରେ ଓଡ଼ିଶାର ୩୦ଟି ଜିଲ୍ଲାର ଜନଜାତି ଛାତ୍ରଛାତ୍ରୀ ଓ ଆଦିମ ଜନଜାତି ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି।

Image result for kiss university

କିସ୍‌ର ଛାତ୍ରଛାତ୍ରୀମାନେ ଭୁବନେଶ୍ୱରର ନିଳାଦ୍ରୀ ବିହାର, ୟୁନିଟ୍‌ ୮, ଫକିରମୋହନ ନଗର, ଧର୍ମବିହାର ସରସ୍ୱତୀ ଶିଶୁ ମନ୍ଦିର ଓ ଚନ୍ଦ୍ରଶେଖରପୁର ଫେଜ୍‌ ୨ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। କିସ୍‌ରୁ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିବା ଲାଗି କିସ୍‌ ତରଫରୁ ୪୦ଟି ବସର ବନ୍ଦୋବସ୍ତ କରାଯାଇଛି। ମାଟ୍ରିକ ପରୀକ୍ଷା ଅବ୍ୟବହିତ ପୂର୍ବରୁ ରବିବାର କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ କଲମ ବଣ୍ଟନ କରିଥିଲେ । ପିଲାମାନଙ୍କୁ ପରାମର୍ଶ ଦେଇ ଡ. ସାମନ୍ତ କହିଥିଲେ ପରୀକ୍ଷା ସମୟରେ ଆଦୌ ବିଚଳିତ ନ ହୋଇ ସ୍ଥିର ଚିତ୍ତ ଭାବେ ପରୀକ୍ଷାର ସମ୍ମୁଖୀନ ହୁଅ । ବର୍ତ୍ତମାନ ସମୟ ତୁମ ପାଇଁ ବହୁତ ମୂଲ୍ୟବାନ । କୌଣସି ବିଷୟରେ ସନ୍ଦେହ ରହିଲେ ତୁରନ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତା ନେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କିସ୍‌ ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିବେ ବୋଲି ଡ.ସାମନ୍ତ ଆଶା ପ୍ରକାଶ କରିଛନ୍ତି।